Sat. Mar 7th, 2026

ଚନ୍ଦ୍ରପୃଷ୍ଠର ଅନାବିଷ୍କୃତ ଅଞ୍ଚଳରୁ ୨ କିଲୋ ନମୁନା ଆଣିବାକୁ ମହାକାଶଯାନ ଅବତରଣ କରାଇଲା ଚୀନ୍‌

251 Views

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରୁ ମୃତ୍ତିକା ଓ ଶିଳା ନମୁନା ସଂଗ୍ରହ କରିବା ଉଦ୍ଦେଶ୍ୟରେ ଚୀନ୍‌ ମଙ୍ଗଳବାର ଦିନ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ତା’ର ମହାକାଶଯାନ ଅବତରଣ କରାଇଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

ପରେ ପରେ ଚୀନ୍‌ର ‘ଚାଙ୍ଗ୍‌ଇ-୫ ଲୁନାର ପ୍ରୋବ୍‌’ ଚନ୍ଦ୍ରପୃଷ୍ଠରେ ଉକ୍ତ ମହାକାଶଯାନ ଅବତରଣ କରୁଥିବା ସମୟର ଫଟୋ ସେୟାର୍‌ କରିଥିଲା। ନଭେମ୍ବର ୨୪ ତାରିଖ ଦିନ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଚୀନ୍‌ର ପୌରାଣିକ ଚନ୍ଦ୍ରଦେବୀଙ୍କ ନାମରେ ନାମିତ ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରର ଉତ୍ପତ୍ତି ସମ୍ବନ୍ଧରେ ଅଧିକ ଜାଣିବାରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବା ଲାଗି ଚନ୍ଦ୍ରପୃଷ୍ଠରୁ କିଛି ଉପାଦାନ ସଂଗ୍ରହ କରିବା।

ପୂର୍ବରୁ ଚନ୍ଦ୍ରପୃଷ୍ଠର ସେ ଅଞ୍ଚଳକୁ ଗସ୍ତ ହୋଇ ନ ଥିବା ‘ଓସେନସ୍‌ ପ୍ରୋସିଲାରୁମ୍‌’ ବା ‘ଝଡ଼ର ସମୁଦ୍ର’ ଭାବେ ନାମିତ ଗଳିତ ଲାଭାର ଏକ ସମତଳ ଅଞ୍ଚଳରୁ ଏହି ଅଭିଯାନ ଦୁଇ କିଲୋ ଓଜନର ମୃତ୍ତିକା ଓ ଶିଳା ସଂଗ୍ରହ କରିବ।

Image Courtesy of India Today

ଯୋଜନା ଅନୁଯାୟୀ ଏହି ଅଭିଯାନ ଯଦି ସଫଳ ହୁଏ ତେବେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ରୁଷ୍‌ ପରେ ଚନ୍ଦ୍ରରୁ ମୃତ୍ତିକା ଓ ଶିଳା ସଂଗ୍ରହ କରିବାରେ ଚୀନ୍‌ ହେବ ବିଶ୍ୱର ତୃତୀୟ ଦେଶ।

ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଏହି ‘ଲ୍ୟାଣ୍ଡର୍‌’ ଯାନଟି ହେଉଛି ‘ଚାଙ୍ଗ୍‌ଇ-୫ ପ୍ରୋବ୍‌’ ମୁତୟନ କରିଥିବା କେତେଗୁଡ଼ିଏ ମହାକାଶଯାନରୁ ଗୋଟିଏ।

ଅବତରଣ କରିବା ପରେ ଲ୍ୟାଣ୍ଡର୍‌ ଯାନଟି ତା’ର ରୋବୋଟିକ୍‌ ହାତରେ ଚନ୍ଦ୍ରପୃଷ୍ଠ ଖୋଳି ମୃତ୍ତିକା ଓ ଶିଳା ନମୁନା ସବୁକୁ ମହାକାଶଯାନକୁ ସ୍ଥାନାନ୍ତର କରିବ। ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରିବ ବୋଲି ରାଷ୍ଟ୍ରାୟତ ସମ୍ବାଦ ପ୍ରସାରଣକାରୀ ସଂସ୍ଥାନ ‘ସିସିଟିଭି’ କହିଛି। ଏହାପରେ ଉକ୍ତ ମହାକାଶଯାନ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରି ଚୀନ୍‌ର ଅଭ୍ୟନ୍ତର ମଙ୍ଗୋଲିଆ ଅଞ୍ଚଳରେ ଅବତରଣ କରିବ।

By amfnews

Related Post