Sat. Mar 7th, 2026

ଘାସ ଖାଉ ଖାଉ ଗାଈ ଚୋବାଇ ଦେଲା ବିସ୍ଫୋରକ ସାମଗ୍ରୀ

143 Views

ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଗାଁରେ ଗତକାଲି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଗାଈ ଘାସ ଚରୁଥିବା ବେଳେ ପାଖରେ ପଡ଼ିଥିବା କିଛି ବିସ୍ଫୋରକ ସାମଗ୍ରୀ ଚୋବାଇ ଖାଇବାକୁ ଚେଷ୍ଟା କରିଥିଲା। ସେହି ସମୟରେ ତାହା ଫୁଟି ଯିବାରୁ ଗାଈଟି ଗୁରୁତର ହୋଇଥିଲା। ଏବଂ କିଛି ସମୟ ପରେ ତା’ର ମୃତ୍ୟୁ ହୋଇଥିଲା।

ଉକ୍ତ ସମୟରେ ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ବ୍ଲାଷ୍ଟ ଶବ୍ଦ ଶୁଣି ନିକଟସ୍ଥ ଥାନା ଓ ଆଖପାଖ ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ  ଗାଈ ମାଲିକ ସମୀର କୁମାର ଆଚାର୍ଯ୍ୟ ସେଠାରେ ପହଞ୍ଚିଥିଲେ। ଏହାପରେ ପ୍ରାଣୀଧନ ଡାକ୍ତର  ପହଞ୍ଚି ଗାଈର  ଚିକିତ୍ସା  କରୁଥିବା ବେଳେ ତାହାର ମୃତ୍ୟୁ ଘଟିଥିଲା। ଖବର ପାଇ ବଡ଼ବଜାର ଥାନା ଆଇଆଇସି ପ୍ରଶାନ୍ତ ଭୂପତି ପହଞ୍ଚି ସେଠାରେ କିପରି ବିସ୍ଫୋରକ ସାମଗ୍ରୀ ପହଞ୍ଚିଲା ତାହାର ତଦନ୍ତ ଜାରି ରଖିଛନ୍ତି।

ଗାଈ ଚରୁଥିବା ସ୍ଥାନ ନିକଟରେ ପନିପରିବା ଚାଷ  ହୁଏ। ଏଣୁ ବରହା ଆତଙ୍କରୁ ରକ୍ଷା ପାଇବା ପାଇଁ କିଛି ବିସ୍ଫୋରକ ଖଞ୍ଜା ଯାଇଥିଲା, ଯାହାକୁ ଗାଈ କାମୁଡି ଦେବା ବେଳେ ଫୁଟି ଯାଇଥିବା ପୁଲିସ୍‌ ସନ୍ଦେହ କରୁଛି। ଅନ୍ୟ ପକ୍ଷରେ ଅଳିଆ ଗଦାରେ ବୋମା କେହି ଲୁଚାଇ ରଖି ଥାଇପାରେ ବୋଲି ମଧ୍ୟ ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକ। ପୂର୍ବରୁ ଦୁଇଦିନ ତଳେ  ନିକଟରେ  ଥିବା ଏକ ଅଳିଆ ଗଦାରେ ବିସ୍ଫୋରଣ ଘଟି ଏକ ଘୁଷୁରୀର ମୃତ୍ୟୁ ଘଟିଥିଲା।

By amfnews

Related Post