ରାଉରକେଲା, ୪ା୯ : ରାଉରକେଲାର ଘରୋଇ ଗ୍ୟାସ୍ ଡେଲିଭରି ବୟ ଓ ମେକାନିକ ଆସୋସିଏସନର ଏକ ବୈଠକ ବିରଜାପାଲୀ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଲେବର ଅଫିସରେ ତ୍ରିପାକ୍ଷିକ ଚୁକ୍ତିନାମା ଗ୍ୟାସ ବିତରକଙ୍କ ସହ ଆସୋସିଏସନର ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟରତ କର୍ମଚାରୀଙ୍କୁ ଡିଲରମାନେ ପରିଚୟପତ୍ର ପ୍ରଦାନ କରୁନଥିବାରୁ ଆସୋସିଏସନ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସମସ୍ତଙ୍କୁ ଡ୍ରେସ୍ ପ୍ରାଦନ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଡ୍ରେସ୍ ନ ଦେବା, ସମସ୍ତଙ୍କ ନାମ ଆଟେଣ୍ଡାନ୍ସ ରେଜିଷ୍ଟ୍ରରରେ ଉଠାଇବା, ଗାଡି ଚଳାଇ ଗ୍ୟାସ୍ ଡେଲିଭ୍ରି ଦେଉଥିଲେ ମଧ୍ୟ ଗାଡିଚାଳକମାନଙ୍କୁ ଡ୍ରାଇଭର ମାନ୍ୟତା ବା ସ୍କିଲ୍ଡ/କୁଶଳୀ କର୍ମଚାରୀର ମାନ୍ୟତା ନ ଦେବା, ଗ୍ୟାସ୍ ଲିକେଜ୍, କିଚେନ୍ ଷ୍ଟୋଭ ଆଦି ମରାମତିରେ ନିୟୋଜିତ ମେକାନିକଙ୍କୁ ମଧ୍ୟ କୁଶଳୀ କର୍ମଚାରୀର ଦରମା ନ ଦେବା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା ।
ବର୍ତ୍ତମାନ ପର୍ଯ୍ୟନ୍ତ ଇ-ପେମେଣ୍ଟ ଲାଗୁ ନ କରିବା ଓ ପେ ସ୍ଲିପ୍ ଦେବାର ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଇନଥିବା ଆସୋସିଏସନ ସଦସ୍ୟମାନେ ଅଭିଯୋଗ କରିଥିଲେ । ଯେଉଁମାନେ ସାଇକେଲ୍ରେ ନେଇ ଘରକୁ ଘର ଗ୍ୟାସ୍ ବିତରଣ କରୁଛନ୍ତି ସେମାନଙ୍କୁ ସାଇକେଲ୍ ଆଲାଉନ୍ସ ବା ଭତ୍ତା ଦେବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ ବୋଲି ସଭ୍ୟମାନେ ଅଭିଯୋଗ କରିବା ସହ ଏଥିପାଇଁ ଆନ୍ଦୋଳନ କରିବାକୁ ମତବ୍ୟକ୍ତ କରିଥିଲେ । ବୈଠକରେ ଆସୋସିଏସନ ସଭାପତି ମହେନ୍ଦ୍ର ବାଗ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ରମେଶ ବଳ ଡିଏଲ୍ସି ଅଫିସ ମାଧ୍ୟମରେ ବାରମ୍ବାର କାର୍ଯ୍ୟରତ ଗ୍ୟାସ ବିତରକ ମାଲିକମାନେ ତ୍ରିପାକ୍ଷିକ ଚୁକ୍ତିନାମା ଅନୁଯାୟୀ କାମ କରୁନଥିବାରୁ ଡିଏଲ୍ସିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ରନ୍ଧନ ଗ୍ୟାସ ଏକ ଅତ୍ୟାବଶ୍ୟୀକୟ ସାମଗ୍ରୀ ହୋଇଥିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେବେ ।
ତେଣୁ ସର୍ବନିମ୍ନ ମଜୁରୀ ଓ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ମାଲିକମାନେ କର୍ମଚାରୀଙ୍କ ଇଏସ୍ଆଇ, ଦୁର୍ଘଟଣାଜନିତ ବୀମା ଆଦି ନ ଦେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ । ସମ୍ପାଦକ ସାମୁଏଲ୍ ହରିପାଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶରତ ଜେନା, ବିପିନ ବିହାରୀ ବାରିକ, ଅନ୍ତର୍ଯ୍ୟାମୀ ସୁନା, କୃଷ୍ଣ ନାୟକ, ତ୍ରିଲୋଚନ ଭୂୟାଁ, ଅଜୟ ବେହେରା, କୃଷ୍ଣ ଚନ୍ଦ୍ର ପାତ୍ର, ଗୌତମ ନାଗ, ପ୍ରଫୁଲ୍ଲ କୁମାର ଜେନା, ଯୁଗଳ ବେହେରା, କରିମ ଖାଁ, ଯୁଗଳ ତନ୍ତୀ, ଜିତେନ୍ଦ୍ର ହରିପାଲ, କେଶବ ଚନ୍ଦ୍ର ନାୟକ, ଶିବ ଚରଣ କାଲୋ ପ୍ରମୁଖ ଆଲୋଚନାର ଅଂଶଗ୍ରହଣ କରିଥିଲେ ।