Sat. Mar 7th, 2026

ଘରୋଇ କୋଚିଂ ଦେଉଥିଲେ ବାଜିବ ଉଚ୍ଚ ଶିକ୍ଷା ବିଭାଗର ଛାଟ

206 Views

ଭୁବନେଶ୍ୱର : ସରକାରୀ କିମ୍ବା ଅଣ ସରକାରୀ କଲେଜ  ଅଧ୍ୟାପକ ହୋଇ ଘରୋଇ କୋଚିଂ ଦେଉଥିଲେ ଏଣିକି ଆଉ ନିସ୍ତାର ନାହିଁ। ଏପରି ଅଧ୍ୟାପକଙ୍କ  ଉପରେ କଡ଼ା ନଜର ରଖିଛି ଉଚ୍ଚ ଶିକ୍ଷା ବିଭାଗ। ସେମାନଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରି ସାରିଲାଣି।

କିଛିଦିନ ତଳେ ଅଭିଭାବକ ସଂଘର ଏକ ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘରୋଇ କୋଚିଂ ଦେଉଥିବା ଅଧ୍ୟାପକଙ୍କୁ ତାଗିଦ୍ କରିଥିବା ପରେ ଏପରି ଅଧ୍ୟାପକଙ୍କ ନାଁ ଥିବା ଏକ ଲମ୍ବା ତାଲିକା ସୋଶାଲ ମିଡିଆରେ ଘୁରି ବୁଲୁଛି। ଏଥିରେ ୧୧୧ ଅଧ୍ୟାପକଙ୍କ ନାଁ ସାମିଲ ହୋଇଛି।

ଉଚ୍ଚଶିକ୍ଷା ବିଭାଗ  ଏହି ତାଲିକା ପ୍ରସ୍ତୁତ କରିଥିବା କୁହାଯାଉଥିବା ବେଳେ   ଏହି ଅଧ୍ୟାପକଙ୍କ ବିରୁଦ୍ଧରେ ନିଆଯିବ ଦୃଢ  କାର୍ଯ୍ୟାନୁଷ୍ଠାନ ।  ଏହାକୁ ନେଇ ବହୁ ଅଧ୍ୟାପକଙ୍କ ମନରେ ଛନକା ପଶି ଗଲାଣି । ଆଗକୁ ଏହି ତାଲିକା ଲମ୍ବିପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ତେବେ ସୋଶାଲ୍‌ ମିଡିଆରେ ଘୁରି ବୁଲୁଥିବା ଚିଠିର ବୈଧତା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ଏନେଇ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କହିଛନ୍ତି,  ଘରୋଇ କୋଚିଂ ଦେଉଥିବା ଅଧ୍ୟାପକଙ୍କ କୌଣସି ତାଲିକା ତାଙ୍କର ହସ୍ତଗତ ହୋଇନାହିଁ । ବହୁ ଦିନ ପୂର୍ବରୁ  ସମସ୍ତ  ସରକାରୀ କିମ୍ବା ଅଣ ସରକାରୀ କଲେଜ  ଅଧ୍ୟାପକଙ୍କୁ ଟ୍ୟୁସନ କରିବେ ନାହିଁ କିମ୍ବା କୋଚିଂ କ୍ଲାସ ଯିବେ ନାହିଁ ବୋଲି ଅଣ୍ଡରଟେକିଂ ଦେବାକୁ କୁହାଯାଇଥିଲା। ଏନେଇ  ଅଧ୍ୟାପକମାନେ ଅଣ୍ଡରଟେକିଂ ମଧ୍ୟ ଦେଇଥିଲେ। ଯଦି ଏହାପରେ ଯଦି କେହି ଟ୍ୟୁସନ କରିବାର  ପ୍ରମାଣ ମିଳିବ , ତା ହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

By amfnews

Related Post