Tue. Nov 26th, 2024

ଘଘର ନଦୀ ହିଁ ସରସ୍ୱତୀ ନଦୀ, ଓଡ଼ିଆ ବୈଜ୍ଞାନିକ ଜ୍ୟୋତିରଂଜନଙ୍କ ଗବେଷଣାରୁ ପ୍ରମାଣ ମିଳିଲା

By amfnews Jan 9, 2020 #Featured
96 Views

ଭୁବନେଶ୍ବର : ଉତ୍ତର ପଶ୍ଚିମ ଭାରତରେ ପ୍ରବାହିତ ହେଉଥିବା ଘଘର ନଦୀ ହିଁ ପୁରାଣ ବର୍ଣ୍ଣିତ ସରସ୍ବତୀ ନଦୀ। ଏହା ପ୍ରମାଣିତ କରିଛନ୍ତି ଓଡ଼ିଆ ବୈଜ୍ଞାନିକ ପ୍ରଫେସର ଜ୍ୟୋତି ରଂଜନ ଶ୍ରୀଚନ୍ଦନ ରାଏ ଏବଂ ତାଙ୍କ ଅଧୀନରେ ପିଏଚ୍‌ଡି କରୁଥିବା ଅହମ୍ମଦାବାଦସ୍ଥିତ ଫିଜିକାଲ ରିସର୍ଚ୍ଚ ଲାବୋରେଟୋରିର ଅନିର୍ବାନ ଚାଟାର୍ଜୀ ଏବଂ ଦୁଇ ଜଣ ସାଥୀ ଗବେଷକ।

ପୁରାଣରେ ଗଙ୍ଗା-ଯମୁନା-ସରସ୍ବତୀ ତିନିଟି ପ୍ରମୁଖ ନଦୀ ଥିବା କୁହାଯାଉଥିବାବେଳେ ଏହାର ସଙ୍ଗମସ୍ଥଳୀକୁ ତ୍ରିବେଣୀ ସଙ୍ଗମ ‌େବାଲି କୁହାଯାଏ। ହେଲେ ତ୍ରିବେଣୀ ସଙ୍ଗମ‌େର ଗଙ୍ଗା ଓ ଯମୁନା ମିଶିଥିଲେ ହେଁ ସରସ୍ବତୀ ନଦୀର ଚିହ୍ନ ନାହିଁ। ତେଣୁ ସରସ୍ବତୀ ନଦୀ ପ୍ରକୃତରେ ଥିଲା କି ନାହିଁ ସେନେଇ ବହୁ ବିବାଦ ଉଠିଛି। ବିଭିନ୍ନ ସମୟରେ ବହୁ ଗବେଷକ ସରସ୍ବତୀ ନେଇ ବହୁ ମତ ଦେଇଛନ୍ତି। ହେଲେ ଓଡ଼ିଆ ଗବେଷକ ଜ୍ୟୋତି ରଂଜନ ଶ୍ରୀଚନ୍ଦନ ରାଏ ପ୍ରମାଣ ସହ କହିଛନ୍ତି ଯେ, ବର୍ତ୍ତମାନ ବହୁଥିବା ଘଘର ନଦୀର ଗତି ପଥରେ ହିଁ ସରସ୍ବତୀ ନଦୀ ବହୁଥିଲା। ଏହା ଏକ ଚିରସ୍ରୋତା ନଦୀ ଥିଲା। ପ୍ରଫେସର ରାଏଙ୍କ ଏହି ଗବେଷଣାର ଫଳାଫଳ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ପତ୍ରିକା ନେଚର୍ ସାଇଣ୍ଟିଫିକ୍ ରିପୋର୍ଟରେ ପ୍ରକାଶ ପାଇଛି।

ପ୍ରଫେସର ରାଏ ଆଇସୋଟେପ୍ ଜ୍ଞାନକୌଶଳ ପ୍ରୟୋଗ କରି ଘଘର ନଦୀର ୩ରୁ ୧୦ମିଟର ତଳେ ମିଳୁଥିବା ବାଲିର ଉତ୍ପତ୍ତି ନିର୍ଦ୍ଧାରଣ କରି ‌ପ୍ରମାଣିତ କରିଛନ୍ତି ଯେ, ପ୍ରାଚୀନ ଘଘର ନଦୀ ପ୍ରକୃତରେ ଚିରସ୍ରୋତା ଥିଲା ଏବଂ ହିମାଳୟର ବରଫଖଣ୍ଡର ତରଳ ହିମସ୍ରୋତରୁ ଜଳ ପାଉଥିଲା। ଘଘର ନଦୀ ପ୍ରାୟ ୩୦୦କିମି (ପାକିସ୍ତାନ ସୀମା) ପର୍ଯ୍ୟନ୍ତ ବିସ୍ତୃତ ପଠାରୁ ପାଉଁଶିଆ ରଙ୍ଗର ଖଦଡ଼ା ବାଲିସ୍ତର ଓ ବହୁ ପରିମାଣରେ ଧଳା ମାଇକା ପାଇଛନ୍ତି। ଏହି ପ୍ରକାରର ବାଲି ହିମାଳୟରୁ ନିର୍ଗତ ନଦୀଗୁଡ଼ିକରେ ଯଥା ଗଙ୍ଗା, ଯମୁନା ଓ ସତ୍‌ଲେଜ୍‌ରେ ଦେଖିବାକୁ ମିଳିଥାଏ। ଯାହା ପ୍ରମାଣ କରୁଛି ଯେ, ଅତୀତରେ ଘଘର ଏକ ଶକ୍ତିସଂପନ୍ନ ନଦୀ ଥିଲା। ଆଇସୋଟେପ୍ ଫିଙ୍ଗର ପ୍ରିଣ୍ଟିଂ ଜ୍ଞାନକୌଶଳ ମାଧ୍ୟମରେ ପ୍ରମାଣ ମିଳିଛି ଯେ, ଏହି ବାଲି ଓ ମାଇକାର ଜନ୍ମ ବରଫାବୃତ ଉଚ୍ଚତମ ହିମାଳୟର ପଥରରୁ ହୋଇଛି। ହିମାଳୟରୁ ବାହାରିଥିବା ନଦୀଗୁଡ଼ିକରେ ବର୍ଷ ସାରା ଜଳ ପ୍ରବାହିତ ହୋଇଥାଏ। ଏହି ନଦୀ କେବଳ ବର୍ଷା ଋତୁ ଉପରେ ନିର୍ଭର କରେନି। ହେଲେ ଏବେ ଘଘର ନଦୀ ଏବେ କେବଳ ମୌସୁମୀ ବର୍ଷା ଉପରେ ନିର୍ଭର କରୁଛି। ଆଉ ଏବେ ହିମାଳୟ ସହ ଏହାର କୌଣସି ସମ୍ପର୍କ ନାହିଁ କି ଅତୀତରେ ନଥିଲା। ପୁରାତନ ଘଘରର ବାଲିରୁ ମିଳିଥିବା ଶାମୁକାର ସ୍ପ୍ରୋନସିଅମ୍ ଆଇସୋଟପିକ୍ କମ୍ପୋଜିସନ୍‌ରୁ ଜଣାପଡ଼ିଛି ଯେ, ଘଘର ନଦୀ ପଡ଼ୋଶୀ ନଦୀ ସତଲେଜ୍‌ ଠାରୁ ପାଣି ପାଉଥିଲା। ପରବର୍ତ୍ତୀ ସମୟରେ ସମ୍ଭବତଃ ସତଲେଜ୍ ଶାଖା ନଦୀର ଜଳଧାରା ବନ୍ଦ ହୋଇଯିବା‌ ଦ୍ବାରା ପ୍ରାଚୀନ ଘଘରର ଜଳପ୍ରବାହ ସମ୍ପୂର୍ଣ୍ଣ ହ୍ରାସ ପାଇଥିଲା।

ଅପରପକ୍ଷେ ହରପ୍ପା ସଭ୍ୟତାର ବସତିମାନଙ୍କର ଗତିଶୀଳତାକୁ ବି‌େଶ୍ଲଷଣ କରି ଏହି ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ପ୍ରାଚୀନ ଘଘରର ପୁର୍ନଜୀବିତ ସମୟରେ (୯ହଜାରରୁ ୪୫୦୦ ବର୍ଷ ପୂର୍ବେ) ପ୍ରାରମ୍ଭିକ ହରପ୍ପା ସଭ୍ୟତା ଏହି ନଦୀ କୂଳରେ ହିଁ ଗଢ଼ି ଉଠିଥିଲା। ଏହି ପୁର୍ନଜୀବିତ ଘଘର ନଦୀ ହିଁ ପ୍ରାଚୀନ ଭାରତର ସରସ୍ବତୀ ନଦୀ। ସଭ୍ୟତାର ପରିପକ୍ବତା ସମୟରେ (୪୬୦୦ ଠାରୁ ୩୯୦୦ ବର୍ଷ ପୂର୍ବେ) ସେହି ନଦୀର ପ୍ରବାହ ହ୍ରାସ ପାଇଥିଲା।ଏହି ନଦୀର ନିଷ୍କ୍ରିୟ ହେବା ସମ୍ଭବତଃ ସଭ୍ୟତାର କ୍ଷୟକୁ ଦର୍ଶାଉଛି। ଯାହାକି ୪୨୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ପୃଥିବୀ ବ୍ୟାପି ଶୁଷ୍କ ଜଳବାୟୁର ପରିଣତି। ଏହି ଗବେଷଣାରୁ ଜଣାପଡ଼ିଛି ଯେ, ହରପ୍ପା ସଭ୍ୟତା ହିମାଳୟରୁ ନିର୍ଗତ ଚିରସ୍ରୋତା ସରସ୍ବତୀ ନଦୀ କୂଳରେ ହିଁ ଗଢ଼ି ଉଠିଥିଲା।

By amfnews

Related Post