ନିବେଦିତା ପଟ୍ଟନାୟକ
ଧାଡି ଧାଡି ଛୋଟ ଛୋଟ ନୂଆଣିଆ ଘର, ତା ଭିତରେ ରୋଷେଇ, ଶୁଆ, ବସା, ଖାଇବା, ପିଇବା ସବୁ କିଛି । ଏହି ଅଞ୍ଚଳକୁ ନିଷିଦ୍ଧ ଇଲାକା ଭାବରେ ଗଣାଯାଏ । ସେ ଇଲାକାକୁ ଭଦ୍ରଲୋକଙ୍କର ପ୍ରବେଶ ନିଷେଧ । ଏଠି ଦିନ ବେଳା ନୁହେଁ ରାତିରେ ବସେ ବଜାର, କିଣା ବିକା ଚାଲେ ରାତ୍ରିର ନିର୍ଜନ ପ୍ରହରରେ । ରେଡଲାଇଟ ଅଞ୍ଚଳ ଭାବରେ ଜଣାଶୁଣା ଏହି ଅଞ୍ଚଳରେ ରୁହନ୍ତି ଦେହକୁ ନେଇ ବ୍ୟବସାୟ କରୁଥିବା ଯୌନକର୍ମୀ । ରେଡଲାଇଟ ଅଞ୍ଚଳ କହିଲେ ବୁଝାଯାଏ, ଯେଉଁ ଠାରେ ବେଶ୍ୟାବୃତ୍ତି ସମ୍ବନ୍ଧୀୟ କାର୍ଯ୍ୟ କରାଯାଏ । ସେଠାରେ ବେଶ୍ୟାଳୟ, ବୟସ୍କ ସିନେମା ହଲ, ଯୌନ ସମ୍ବନ୍ଧୀୟ ଉପକରଣର ଦୋକାନ ଇତ୍ୟାଦି ରହିଥାଏ । ରେଡଲାଇଟ ଅଞ୍ଚଳ ବୋଲି ଏହାକୁ ଏଥିପାଇଁ କୁହାଯାଏ ଯେ ଲାଲଲାଇଟ ବେଶ୍ୟାଳୟର ଚିହ୍ନ ଭାବରେ ଗଣାଯାଏ ।
ଜଣେ ମହିଳା ବେଶ୍ୟାବୃତ୍ତିରେ ଅସ୍ଥାୟୀ ଭାବରେ କିଛି ବର୍ଷ ପାଇଁ ରୁହନ୍ତି । ଅଧିକାଂଶ ମହିଳା ଏହି ବୃତ୍ତିକୁ ନିଜର ଜୀବିକା ଭାବରେ ଖୁସିରେ ବାଛିନଥାନ୍ତି ବରଂ ଅପର ପକ୍ଷରେ ସେମାନଙ୍କୁ ଏହି ବୃତ୍ତିରେ ରହିଥିବାକୁ ବାଧ୍ୟ କରାଯାଇଥାଏ । ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିଲେ, ମାଦକ ଦ୍ରବ୍ୟର ବ୍ୟବହାର, ଅଶିକ୍ଷା ଇତ୍ୟାଦି ମହିଳାଙ୍କୁ ଏପରି ବୃତ୍ତି ଆପଣେଇବାକୁ ବାଧ୍ୟ କରିଥାଏ । ରାସ୍ତା କଡରେ, ସହରର ଶେଷ ମୁଣ୍ଡରେ ଥିବା ଗଳି କନ୍ଦିରେ ଏମାନେ ଜୀବନ ବିତାନ୍ତି । ଭାରତରେ ପାଖାପାଖି ୮୦୦,୦୦୦ ଯୌନ କର୍ମୀ ଅଛନ୍ତି ।
ସାରା ବିଶ୍ଵରେ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାରକୁ ନେଇ ମହିଳା ଯୌନକର୍ମୀ ମାନେ ଅବହେଳାର ଶିକାର ହୁଅନ୍ତି । ଏମାନଙ୍କୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗିବାକୁ ପଡିଥାଏ । କେତେକ ସର୍ତ୍ତରୁ ଜଣାଯାଏ ଯେ ମହିଳା ଯୌନକର୍ମୀଙ୍କ ସ୍ୱାସ୍ଥ୍ୟ କେବଳ HIV / AIDS କିମ୍ବା SID ଉପରେ ପର୍ଯ୍ୟବେଶିତ ଥାଏ । ସମ୍ପୂର୍ଣ୍ଣ ରୂପେ ଏହା ସତ ନୁହେଁ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାବି ଭୋଗନ୍ତି । ଯୌନକର୍ମୀ ମାନେ ସେମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଏତେ ସଚେତନ ନଥାନ୍ତି । ସାମାଜିକ ବାଛନ୍ଦ, ଲଜ୍ଜା, ବିଭେଦତା ଇତ୍ୟାଦି ସେମାନଙ୍କୁ ସ୍ୱାସ୍ଥ୍ୟ ବିଷୟରେ କଥାବାର୍ତ୍ତା କରିବା ପାଇଁ ରୋକିଥାଏ । କେବଳ ଏଡସ ଯୌନକର୍ମୀ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ନୁହେଁ । HIV / AIDS କେନ୍ଦ୍ର ମାନେ ଏହା ଅନୁଭବ କରିଛନ୍ତି ଯେ କେବଳ AIDS ପ୍ରତିରୋଧ ଉପରେ କାର୍ଯ୍ୟ କଲେ ଯୌନକର୍ମୀ ମାନଙ୍କ ସମସ୍ତ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ହୋଇଯିବ ଏହା ଅସମ୍ଭବ ।
ଏ କଥା ସତ ଯେ ଯୌନ ବ୍ୟବସାୟରେ ଥିବା ୭୫ ପ୍ରତିଶତ ମହିଳାଙ୍କର reproductive tract ସଂକ୍ରମଣ ସମସ୍ୟା ରହିଥାଏ । ଧଳାସ୍ଥାବ ମୂତ୍ରାଶୟ ପୋଡିବା, STD ଇତ୍ୟାଦି ସାଧାରଣ କଥା ଯାହା ଯୌନକର୍ମୀଙ୍କ ଠାରେ ଦେଖାଯାଇଥାଏ । ଏହାଛଡା ଅନ୍ୟାନ୍ୟ ରୋଗ ଯେପରି ଚର୍ମ ସଂକ୍ରମଣ, ହେପାଟାଇସ B, ଟିବି, ଆଜମା, ଅବସାଦ, ପୁଷ୍ଟିହୀନତା ଦେଖାଦେଇଥାଏ ।
ରେଡଲାଇଟ ଅଞ୍ଚଳରେ ରହୁଥିବା ଯୌନକର୍ମୀ ମାନଙ୍କୁ ସଠିକ ସ୍ୱାସ୍ଥ୍ୟ ସେବା ମିଳେ ନାହିଁ । ସେମାନଙ୍କ ମତରେ ପ୍ରାଇଭେଟ ଡାକ୍ତରଙ୍କ ପାଖକୁ ଗଲେ ସେମାନେ ଅଧିକ ପଇସା ଦାବୀ କରନ୍ତି ତେଣୁ ସେଠାରେ ଚିକିତ୍ସା କରିପାରନ୍ତି ନାହିଁ । ମୁନିସପାଲଟି ହସ୍ପିଟାଲ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ହସ୍ପିଟାଲରେ ଏମାନଙ୍କୁ ସ୍ୱାସ୍ଥ୍ୟ ସେବା ଶସ୍ତାରେ ମିଳେ କିନ୍ତୁ ବେଳେ ବେଳେ କିଛି ଡାକ୍ତରଙ୍କର ବ୍ୟବହାର ଏମାନଙ୍କ ପ୍ରତି ଭଲ ନଥାଏ । ଡାକ୍ତର ମାନେ ଯୌନକର୍ମୀ ବୋଲି ଜାଣିବା ପରେ ଏମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇଥାନ୍ତି ବରଂ HIV / AIDS ଚିକିତ୍ସା ପାଇଁ ପଠାଇ ଦିଅନ୍ତି । ଅଧିକ ପଇସା ନିଜର ସ୍ୱାସ୍ଥ୍ୟ ଉପରେ ଖର୍ଚ୍ଚ କରିବା ପାଇଁ ଏମାନଙ୍କ ଶକ୍ତି ନଥାଏ ତେଣୁ ସରକାରୀ ଡାକ୍ତରଖାନା / ଡାକ୍ତରଙ୍କ ଉପରେ ନିର୍ଭର କରିବା ଛଡା ଅନ୍ୟ ଉପାୟ ନଥାଏ । ସରକାରୀ ଡାକ୍ତର ଖାନାରେ ବେଳେବେଳେ ଯୌନ ବ୍ୟବସାୟରେ ରହିଥିବା ମହିଳା ମାନଙ୍କର ମାନବିକ ଅଧିକାର କ୍ଷୁର୍ଣ୍ଣ ହୁଏ । ଡାକ୍ତର ସେମାନଙ୍କୁ ଚିକିତ୍ସା କରିବାକୁ ମନା କରିଦିଅନ୍ତି । କାରଣ ଡାକ୍ତରଙ୍କ ଭୟ ରହିଥାଏ କାଳେ ଏମାନେ ଏଡସ ଭାଇରସ ଦ୍ଵାରା ଆକ୍ରାନ୍ତ ଥିବେ । ତେଣୁ ସମସ୍ତ ଯୌନକର୍ମୀ ମାନଙ୍କୁ ବାଧ୍ୟତାମୂଳକ ଭାବରେ HIV ପରୀକ୍ଷା ପାଇଁ ପଠାଇ ଦିଆଯାଏ ।
ଓଡିଶାର ଭୁବନେଶ୍ଵରରେ ରହିଛି ରେଡଲାଇଟ ଅଞ୍ଚଳ । ଯଦିଓ ଏହା ମାନ୍ୟତା ପ୍ରାପ୍ତ ନୁହେଁ ତେବେ ମାନ୍ୟତା ପ୍ରାପ୍ତ ଭାବରେ ଏହାର ଗଣନା କରାଯାଏ । ଏଠାରେ ପାଖା ପାଖି ୩୫୦ ଯୌନକର୍ମୀ ରହୁଛନ୍ତି ।
୨୦ – ୩୦ ବର୍ଷ ମଧ୍ୟରେ – ୫୦
୩୦ – ୪୫ ବର୍ଷ ମଧ୍ୟରେ – ୨୦୦
୪୫ ରୁ ଉର୍ଦ୍ଧ – ୩୦
ପାଖାପାଖି ୭୦ ଜଣ ମହିଳା ଏବେ ଆଉ ଏ ବ୍ୟବସାୟରେ ନଥିଲେ ମଧ୍ୟ ସେହି ଅଞ୍ଚଳରେ ବାସ କରୁଛନ୍ତି । ଲାଗି ଲାଗି ଥିବା ଆଚୋଟ ଘରେ ଏମାନେ ବାସ କରନ୍ତି । ସେହି ଘରେ ରୋଷେଇ କରିବା ସହ ବସା ଉଠା କରାହୁଏ । ଘରେ କୌଣସି ଝରକା ନଥାଏ, କେବଳ କବାଟଟିଏ ଛଡା ଘରେ ପବନ ଯିବା ଆସିବା ପାଇଁ କୌଣସି ବାଟ ନଥାଏ । ବୟସାଧିକ କାରଣରୁ ଯେଉଁ ୭୦ଜଣ ଏବେ ଏହି ବ୍ୟବସାୟରେ ନାହାନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନୁହେଁ କହିଲେ ଚଳେ । ସାଧାରଣରେ ଧାରଣା ଏବେ ବ୍ୟବସାୟରେ ନଥିଲେ ବି ଏମାନେ HIV / AIDS ଭଳି ମାରାତ୍ମକ ରୋଗର ଶିକାର ହୋଇଥିବେ । କିନ୍ତୁ ସମସ୍ତଙ୍କ ଧାରଣା ବାହାରେ ଏମାନେ ଅନ୍ୟାନ୍ୟ ମାରାତ୍ମକ ରୋଗ ଦ୍ଵାରା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ କେତେଜଣ ଆଜମା ପରି ରୋଗ ଭୋଗୁଛନ୍ତି । କାଶ, କଫ, ନିଶ୍ଵାସ, ପ୍ରଶ୍ଵାସ ନେବାରେ କଷ୍ଟ ଧଇଁ ପେଲିବା ଇତ୍ୟାଦି । ବାସ କରୁଥିବା ଘରେ ରୋଷେଇ କରିବା ଦ୍ଵାରା ଚୂଲି ଧୂଆଁ ଘର ଭିତରେ ବୁଲେ, ବାହାରକୁ ଯିବାର ବାଟ ନଥାଏ, କାରଣ ସେ ଘରେ ଝରକା ନଥାଏ । ସେମାନଙ୍କ ବୃତ୍ତିଗତ ଜୀବନ ଯେହେତୁ ଲୁକାୟିତ ତେଣୁ ଘରେ ଝରକା ଖୋଲିବା ସେମାନଙ୍କ ପାଇଁ ନିଷିଦ୍ଧ । ଅସ୍ଵାସ୍ଥ୍ୟକର ପରିବେଶ, ଧୁଳି, ଧୂଆଁ, ବୁଲା କୁକୁର, ବିଲେଇଙ୍କର ଘର ଭିତରକୁ ଅବାଧ ପ୍ରବେଶ, ଗ୍ରାହକ ମାନଙ୍କର ବିଡି, ସିଗାରେଟ ଧୂଆଁ ଇତ୍ୟାଦି ବର୍ତ୍ତମାନର ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ଦାୟୀ ।
ବୟସ ଥିବା ବେଳେ ଏହାକୁ ସେମାନେ ଏତେ ଗୁରୁତ୍ଵ ଦେଇନଥିଲେ ଯାହା ସେତେବେଳେ ସାମାନ୍ୟ ଲାଗୁଥିଲା ତାହା ଏବେ ବଡ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଛିଡା ହୋଇଛି । ଆର୍ଥିକ ଅବସ୍ଥା ଭଲ ନଥିବାରୁ ନିଜର ଉପଯୁକ୍ତ ଚିକିତ୍ସା କରାଇପାରୁ ନାହାନ୍ତି । ସରକାରଙ୍କ ତରଫରୁ ପାଉଥିବା ବାର୍ଦ୍ଧକ୍ୟ ଭର୍ତ୍ତା ଚଳିବା ପାଇଁ ନିଅଣ୍ଟ ହେଉଥିବା ବେଳେ ଚିକିତ୍ସା ପାଇଁ ପଇସା ଆସିବ କୁଆଡୁ? ପାଖ ମେଡ଼ିସିନ ଦୋକାନରୁ ପଚାରି କିଛି ଟାବଲେଟ କିଣି ଆଣି ଖାଆନ୍ତି, ଯାହା ଆଜମା ପରି ସମସ୍ୟା ରୁ ତାଙ୍କୁ ମୁକ୍ତ ଦେଇପାରେ ନାହିଁ । ମଝିରେ ମଝିରେ ହେଉଥିବା ସ୍ୱାସ୍ଥ୍ୟ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତି, ସେତିକିବେଳେ ମିଳିଥିବାମାଗଣା ଔଷଧ ସେମାନଙ୍କ ପାଇଁ ବହୁମୂଲ୍ୟ ରଖିଥାଏ ।
୨,୩ ଜଣ ବୟସ୍କ ଯୌନକର୍ମୀଙ୍କ ସାଙ୍ଗରେ କଥା ହେବା ବେଳେ ଜଣାପଡିଲା, ଦୀର୍ଘ ୫ ବର୍ଷ ହେବ ସେମାନେ ଆଜମା ଭୋଗୁଛନ୍ତି । ସବୁବେଳେ ଶୁଖିଲା କାଶ, ଧଇଁପେଲି ହେବା, ବେଳେବେଳେ କଫ ଏତେ ଜମିଯାଉଛି ଯେ ନିଶ୍ଵାସ ନେବାରେ କଷ୍ଟ ହେଉଛି ।
ଚିକିତ୍ସା ବିଷୟରେ ପଚାରିଲେ କୁହନ୍ତି, “ଆମ ପାଖରେ ଡାକ୍ତରଙ୍କ ପାଖକୁ ଯାଇ ଆଜମାର ଚିକିତ୍ସା କରାଇ ଔଷଧ ଖାଇବାକୁ ପଇସା ନାହିଁ, ବୟସଥିବା ବେଳେ ଜଣ ପଡୁନଥିଲା, କିନ୍ତୁ ଏବେ ଆଉ ସହି ହେଉନାହିଁ ।
ସାରା ବିଶ୍ଵରେ ଆଜମା ହେଉଛି ଏକ ବୃହତ ସ୍ୱାସ୍ଥ୍ୟ ସମସ୍ୟା ପରିବେଶ ପ୍ରଦୂଷଣ, ବଢୁଥିବା ଲୋକ ସଂଖ୍ୟା, ଅତ୍ୟାଧିକ ଶିଳ୍ପାୟନ ଯୋଗୁଁ ବିଶ୍ଵର ଅଧିକାଂଶ ଦେଶରେ ଏହାର ବ୍ୟାପକତା ଦିନକୁ ଦିନ ବଢି ଚାଲିଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁଯାୟୀ ସାରା ବିଶ୍ଵରେ ୩୦୦ ମିଲିୟନ ବ୍ୟକ୍ତି ଆଜମା ଦ୍ଵାରା ଆକ୍ରାନ୍ତ ଏବଂ ସେମାନଙ୍କ ମଧ୍ୟରୁ ୨,୫୫,୦୦୦ ଲୋକ ମୃତ୍ୟୁ ମୁଖରେ ପଡନ୍ତି । ସେଥି ମଧ୍ୟରୁ ୮୦% ଆଜମା ମୃତ୍ୟୁ ନିମ୍ନ ଓ ନିମ୍ନ ମଧ୍ୟ ବିତ୍ତ ଆୟକାରୀ ଦେଶରେ ଘଟିଥାଏ । ଭାରତରେ ଆଜମାର ବ୍ୟାପକତା ଦେଖିଲେ ଜଣାଯାଏ ଯେ ୩ ପ୍ରତିଶତ (୩୦ ମିଲିୟନ) ଏହି ରୋଗ ଦ୍ଵାରା ଆକ୍ରାନ୍ତ ଏବଂ ସେମାନଙ୍କ ମଧ୍ୟରୁ ୫୭.୦୦୦ ବ୍ୟକ୍ତି ମୃତ୍ୟୁବରଣ କରନ୍ତି । ଗ୍ରାମାଞ୍ଚଳରେ ଏହି ସଂଖ୍ୟା ଅଧିକ ବୋଲି ଜଣାଯାଏ । ଅନୁମାନ କରାଯାଏ ଯେ ଏହା ଆସନ୍ତା ଦଶନ୍ଦିରେ ବଢିପାରେ ।
NFHS Report – Age – ୨୦ – ୪୯
ପୁରୁଷ
ସହରାଞ୍ଚଳ % | ଗ୍ରାମାଞ୍ଚଳ | ସମୁଦାୟ | |
ଭାରତ | ୨୧.୬୯୮ | ୩୫.୧୦୦ | ୫୬.୮୦୧ |
ଓଡିଶା | ୨୪୨ (୧.୨) | ୧୦୦୧(୧.୯) | ୧୨୪୩ (୧.୮) |
ମହିଳା
ସହରାଞ୍ଚଳ % | ଗ୍ରାମାଞ୍ଚଳ | ସମୁଦାୟ | |
ଭାରତ | ୩୪.୪୬୬ | ୬୫.୭୦୧ | ୧୦୦୧୭୪ |
ଓଡିଶା | ୬୫୧ (୩.୧) | ୩୦୦୧ (୨.୬) | ୩.୬୫୪(୨.୭) |
୨୦୧୬ରେ ଲାନସେଟ ଦ୍ଵାରା ଭାରତର ବିଭିନ୍ନ ଅଞ୍ଚଳରେ କରଯାଇଥିବା ସର୍ଭେରୁ ଜଣାଯାଏ Chronic obstructive Pulmonary ରୋଗ ଅଧିକା ବ୍ୟାପିବା ପାଇଁ ବାୟୁ ପ୍ରଦୂଷଣ ଦାୟୀ ।
ନିଶ୍ଵାସ ପ୍ରଶ୍ଵାସ ଜନିତ ରୋଗ ବାୟୁ ପ୍ରଦୂଷଣ ନିମନ୍ତେ ୫୩ ପ୍ରତିଶତ ହୋଇଥିବା ବେଳେ ୨୫.୪% ମାଦକ ଦ୍ରବ୍ୟ ବ୍ୟବହାର ଯୋଗୁ ଏବଂ ୧୬.୫% ବୃତ୍ତିଗତ ବିପଦ ପାଇଁ ହୋଇଥାଏ ।
ଯୌନକର୍ମୀ ମାନେ ଭୋଗୁଥିବା ଆଜମା ପାଇଁ ଏହି ବୃତ୍ତିଗତ ବିପଦ ଦାୟୀ । ଯେଉଁ ଘରେ ବସ କରନ୍ତି ସେହି ଘରେ ରୋଷେଇ କରିବା ଦ୍ଵାରା ଧୂଆଁ ଘର ମଧ୍ୟରେ ବିଡି, ସିଗାରେଟ ଧୂଆଁକୁ ବି ସେମାନେ ନିଶ୍ଵାସରେ ଗ୍ରହଣ କରନ୍ତି । ତେଣୁ ବୟସ ବଢିଲେ ତାର ପ୍ରଭାବ ଏମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡେ ।
୧୯୯୦ – ୨୦୧୬ ମଧ୍ୟରେ ଏହି ଫୁସଫୁସ ଜନିତ ରୋଗର ବୋଝ ସାରା ବିଶ୍ଵରେ ୮୦ ପ୍ରତିଶତ ବଢିଛି ଯାହା ପାଇଁ ବିଡି, ସିଗାରେଟ, ଗଞ୍ଜେଇ, ହୁକା ଇତ୍ୟାଦିର ବ୍ୟବହାର ଏବଂ ବାୟୁପ୍ରଦୂଷଣ ଦାୟୀ ।
ପୃଥିବୀରେ ଘଟୁଥିବା ମୃତ୍ୟୁ ହାରରେ ୧୦.୯ ପ୍ରତିଶତ ମୃତ୍ୟୁ ଫୁସଫୁସରେ ସ୍ଥାୟୀ ବ୍ୟାଧି ଏବଂ ଆଜମା ପାଇଁ ହୋଇଥାଏ ।
ଲାନସେଟର ଏକ ରିପୋର୍ଟରୁ ଜଣାପଡେ ଯେ ୧୯୯୦ରେ ଭାରତର ଫୁସଫୁସ ଜନିତ ରୋଗର ପରିମାଣ ୨୮.୧ ମିଲିୟନ ଥିବା ବେଳେ ୨୦୧୬ରେ ଏହା ୫୫.୩ ମିଲିୟନ କୁ ବୃଦ୍ଧି ପାଇଥିଲା । ୧୯୯୦ରେ ଆଜମା ରୋଗୀ ୨୨.୯ ମିଲିୟନ ଥିବା ବେଳେ ୨୦୧୬ରେ ଏହା ୩୭.୯ ମିଲିୟନକୁ ବୃଦ୍ଧି ହୋଇଛି ।
ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବା ହେଉଛି ସରକାରଙ୍କ କର୍ତ୍ତବ୍ୟ । ଯୌନକର୍ମୀ ମାନେ ହେଉଛନ୍ତି ସାମାଜିକ, ଅର୍ଥନୈତିକ ପଛୁଆ ଶ୍ରେଣୀର ତେଣୁ ଏମାନଙ୍କ ସ୍ୱାସ୍ଥ୍ୟ ଉପରେ ସରକାର ଅଧିକ ସଚେତନ ରହିବା ଆବଶ୍ୟକ । ଏମାନେ ରହୁଥିବା ଘରେ ବାଧ୍ୟତାମୂଳକ ଭାବରେ ଗୋଟିଏ ଝରକା ଖୋଲାଗଲେ, ଫୁସଫୁସ ଗ୍ରହଣ କରୁଥିବା ଧୂଆଁର ପ୍ରତିଶତ କମି ଯାଆନ୍ତି । ଘର ଭିତରର ବିଷାକ୍ତ ଧୂଆଁ ବାହାରକୁ ବାହାରିଯାଇ ଖୋଲା ପବନ ଘର ଭିତରକୁ ପ୍ରବେଶ କରନ୍ତା । ଯାହାର ଏକ ସକରାତ୍ମକ ପ୍ରଭାବ ଏମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡନ୍ତା ।
ବୟସ୍କ ଯୌନକର୍ମୀ ମାନଙ୍କୁ ଉପଯୁକ୍ତ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଇ ଆଜମା ନିମନ୍ତେ ପ୍ରୟୋଗ ହେଉଥିବା ଔଷଧ ଦିଆଗଲେ ଏମାନେ ଭୋଗୁଥିବା କଷ୍ଟ ଲାଘବ ହୁଅନ୍ତା । ଯଦି ସାମାଜିକ ଭାବରେ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଆମର କିଛି ଦାୟିତ୍ଵ ଅଛି ବୋଲି ଭାବିବା ତେବେ ପ୍ରଥମେ ସେମାନଙ୍କୁ ନିଜର ସେଇ ଛୋଟ ନୂଆଣିଆ ଘରେ ଏକ ଝରକା ଖୋଲିବା ପାଇଁ ପ୍ରେରିତ କରିବା ଆବଶ୍ୟକ । ଗୋଟିଏ ଝରକା ହିଁ ଏମାନଙ୍କ ଜୀବନର କଷ୍ଟକୁ କାହିଁ କେତେ ମାତ୍ରାରେ କମାଇ ଦେଇ ପାରନ୍ତା ତାହା ଏମାନଙ୍କ କଳ୍ପନାର ବାହାରେ ।