Sun. Mar 8th, 2026

ଗୋଟିଏ କୋଠରୀରେ ପ୍ରଥମରୁ ପଞ୍ଚମ

248 Views

ବିନିକା  : ଛାତ୍ରଛାତ୍ରୀ ଅଛନ୍ତି। ଶିକ୍ଷକ ଅଛନ୍ତି। ସ୍କୁଲ୍ ବି ଅଛି। ହେଲେ ସ୍କୁଲ୍‌ରେ ଛାତ୍ରଛାତ୍ରୀ ବସିବା ପାଇଁ ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନାହିଁ। ଦୀର୍ଘ ବର୍ଷ ହେଲା ଏମିତି ଚାଲିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅନ୍ତର୍ଗତ ସେଲେଡି ପଞ୍ଚାୟତରେ ଥିବା ତୁଲୁଣ୍ଡୁପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ।

୧୯୬୦ ମସିହାରେ ଏହି ସ୍କୁଲ୍ ପ୍ରତିଷ୍ଠା ହୋଇଥିଲା। ହେଲେ ଆଜି ଯାଏ ଏହାର ଚିତ୍ର ବଦଳି ପାରିନି। ସ୍କୁଲ୍‌ଟିରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ତା’ସହିତ ମାତ୍ର ଗୋଟିଏ କଠୋରୀ ରହିଛି। ତେଣୁ ପିଲାମାନେ ଏହି କଠୋରୀ ଓ ବରଣ୍ଡାରେ ବସି ପଢ଼ନ୍ତି।

ଏବେ ଏହି ସ୍କୁଲ୍‌ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ମୋଟ ୬୯ ଛାତ୍ରଛାତ୍ରୀ ଅଛନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ୩ ଜଣ ଶିକ୍ଷକ ଅଛନ୍ତି। ଶ୍ରେଣୀ ଗୃହ ନଥିବାରୁ ପ୍ରଥମ, ଦ୍ୱିତୀୟ ଓ ପଞ୍ଚମ ଶ୍ରେଣୀ ପିଲା ସେହି ଗୋଟିଏ କଠୋରୀରେ ପଢ଼ନ୍ତି। ତୃତୀୟ ଓ ଚତୁର୍ଥ ଶ୍ରେଣୀ ପିଲାମାନେ ବରଣ୍ଡାରେ ପଢ଼ନ୍ତି। କିନ୍ତୁ ବର୍ଷା ଦିନେ ପିଲାମାନେ ଭାରି ହଇରାଣ ହୁଅନ୍ତି। କାରଣ ବର୍ଷା ହେଲା ବରଣ୍ଡାରେ ବସିବା ସମ୍ଭବ ହୁଏ ନାହିଁ।

ଏ ସ୍କୁଲ୍‌ର ନୂତନ କଠୋରୀ କାମ ଚାଲିଛି। କିନ୍ତୁ ବର୍ଷେ ହେଲାଣି ତାହା ସରିପାରୁନି। କାମ ଅଧପନ୍ତରିଆ ହୋଇ ପଡ଼ିଛି। ଏ ଯାଏ ଛାତ ବି ପଡ଼ିନି।

ଅଧାରେ ପଡ଼ିଛି ନୂଆ ସ୍କୁଲ୍ କାମ

ପ୍ରଧାନ ଶିକ୍ଷକ ବାବୁଲାଲ୍ ପାଣ୍ଡେ କହିଛନ୍ତି ଯେ ସେ ଏ ସ୍କୁଲ୍‌କୁ ୨୦୧୬ରେ ଆସିଥିଲେ। ସେବଠାରୁ ପିଲାମାନେ ବରଣ୍ଡାରେ ବସି ପଢ଼ୁଛନ୍ତି। ନୂଆ ସ୍କୁଲ୍ ଗୃହ କାମ ଜଲଦି ସରିଲେ ଭଲ ହୁଅନ୍ତା। ପିଲାମାନେ ସୁବିଧାରେ ବସି ପଢ଼ିପାରନ୍ତେ।

ଅନ୍ୟପକ୍ଷରେ ବିନିକା ବ୍ଳକ୍ ଶିକ୍ଷା ଅଧିକାରୀ (ବିଇଓ) ଶଶିଭୂଷଣ ସେଠୀ କହିଛନ୍ତି ଯେ ନୂତନ ସ୍କୁଲ୍‌ ଗୃହ କାମ ଚାଲିଛି। ଏହା ସରିଗଲେ ସମସ୍ୟାର ସମାଧାନ ହୋଇଯିବ। ସେ ପର୍ଯ୍ୟନ୍ତ ପିଲାମାନଙ୍କୁ ଆଡ୍‌ଜଷ୍ଟ୍‌ କରି ପାଠ ପଢ଼ାଇବାକୁ କୁହାଯାଇଛି।

ସ୍କୁଲ୍‌ର ଶୌଚାଳୟ

ସେହିଭଳି ଏବେ ସବୁ ସ୍କୁଲ୍‌ରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଠାରେ ଥିବା ଶୌଚାଳୟଟିର ଅବସ୍ଥା ନ କହିଲେ ଭଲ। ଏହା ଜରାଜୀର୍ଣ୍ଣ ଓ ଜଙ୍ଗଲ ହୋଇ ପଡ଼ିଛି। ସ୍କୁଲ୍‌କୁ ବିଭିନ୍ନ ସମୟରେ ବିଭାଗୀୟ ଉପରସ୍ଥ ଅଧିକାରୀ ତଥା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଆସୁଥିବା ବେଳେ କେହି ଏଠାକାର ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ନଥିବା ଅଭିଯୋଗ ହୋଇଛି। ଫଳରେ ବର୍ଷ ବର୍ଷ ଧରି ସ୍କୁଲ୍‌ଟି ଏକ ଉନ୍ନତ ଓ ଉତ୍ତମ ଶୈକ୍ଷିକ ବାତାବରଣ ପାଇବାରେ ବିଫଳ ହୋଇଛି।

By amfnews

Related Post