Sat. Nov 23rd, 2024

ଗୋଏଲ ପ୍ଲାଷ୍ଟିକ୍ ପ୍ୟାକେଜିଂ ୟୁନିଟ୍କୁ ସିଲ୍ କଲା ପ୍ରଶାସନ

By amfnews Dec 31, 2018 #Featured
215 Views

ରାଉରକେଲା, ୩୧ା୧୨ : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତିରେ ଉଦିତନଗର ଠାରେ ଚାଲିଥିବା ପ୍ଲାଷ୍ଟିକ୍ ପ୍ୟାକେଜିଂ କାରଖାନାକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଉଦିତନଗର ସ୍ଥିତ ଆୟକର ବିଭାଗ ସମ୍ମୁଖରେ ଥିବା ଜ୍ୟୋତି ଗୋଏଲଙ୍କ ଗୋଏଲ ପ୍ଲାଷ୍ଟିକ୍ ପ୍ୟାକେଜିଂ କାରଖାନା ପ୍ରଦୂଷଣ ବିଭାଗର ବିନା ଅନୁମତିରେ ଚାଲୁଥିବା ସମ୍ପର୍କରେ ପ୍ରଶାସନକୁ ଅବଗତ କରିଥିଲା ।

ଏହାର ତଦନ୍ତ କରି ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ପ୍ରଶାସନକୁ ପ୍ରଦୂଷଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଆଧାରରେ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ରାଉରକେଲା ତହସିଲଦାର ବିଶ୍ୱ ରଞ୍ଜନ ରଥ ମାଜିଷ୍ଟ୍ରେଟ୍ ଭାବେ ଏହି ୟୁନିଟ୍କୁ ସିଲ୍ କରିଥିବା ବେଳେ ପ୍ରଦୂଷଣ ବିଭାଗର ସହକାରୀ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ଓ ଉଦିତନଗର ଥାନା ଅଧିକାରୀ ଉପସ୍ଥିତ ଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାରକୁ ନେଇ ଆର୍ଏମ୍ସି ପକ୍ଷରୁ ସହରର ବିଭିନ୍ନ ହୋଲ୍ସେଲ୍ ପ୍ଲାଷ୍ଟିକ୍ ଦୋକାନ ସମେତ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢଉ କରାଯାଇ ବହୁ ପରିମାଣର ଜୋରିମାନା ଆଦାୟ କରାଯାଇଛି । ତେବେ ପ୍ରଥମ ଥର ପାଇଁ ସହରରେ ଏଭଳି ଏକ ପ୍ଲାଷ୍ଟିକ୍ ପ୍ୟାକେଜିଂ ୟୁନିଟ୍ ଚାଲୁଥିବା ସମ୍ପର୍କରେ ଜଣାପଡିବାରୁ ଏହା ଉପରେ ଚଢଉ କରାଯାଇ ସିଲ୍ କରାଯାଇଛି । ଏହାଦ୍ୱାରା ସହରରେ ଲୁଚାଛପା ଭାବେ ପ୍ଲାଷ୍ଟିକ୍ କାରବାର କରୁଥିବା ବ୍ୟବସାୟୀ ତଥା ସରକାରୀ ଆଇନ୍ ଉଲ୍ଲଂଘନକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

By amfnews

Related Post