Sun. Mar 8th, 2026

ଗୋଟିଏ ବିଷୟରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ମିଳିଛି ଶୂନ, ଆଶଙ୍କାରେ ଖପୁରିଆ ଆଇଟିଆଇ‌ ଛାତ୍ର

206 Views

କଟକ : ଖପୁରିଆସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଶତାଧିକ ଛାତ୍ରଛାତ୍ରୀଙ୍କ ନିର୍ଦ୍ଦିଷ୍ଟ ଗୋଟିଏ ବିଷୟରେ ନମ୍ବର ରହିଛି ଶୂନ। ଏହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ପଡିଥିବା ବେଳେ ସମସ୍ୟାର ସମାଧାନ ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଦୃ‌ଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପଟେ କର୍ତ୍ତୃପକ୍ଷ କହିଛନ୍ତି ଯେ ବୈଷୟିକ ତ୍ରୁଟିରୁ ଏଭଳି ଘଟିଛି, ଏନ୍‌ସିଭିଟିକୁ ଖୁବ୍‌ଶୀଘ୍ର ଠିକ ନମ୍ବର ପ୍ରକାଶ କରିବାକୁ ଚିଠି କରାଯାଇଛି।

ଖପୁରିଆ ଆଇଟିଆଇର ଫିଟର, ଏମ୍‌ଏମ୍‌ବି, ଆଇସିଟିସିଏମ୍‌ ପରି ୫ଟି ଟ୍ରେଡର ୪ଶହରୁ ଅଧିକ ଛାତ୍ରଛାତ୍ରୀ ଇଂଜିନିୟରିଂ ଡ୍ରଇଂ(ଇଡି) ପରୀକ୍ଷା ମାସକ ପୂର୍ବେ ଦେଇଥିଲେ। ଅନ୍‌ଲାଇନ୍‌ରେ ନ୍ୟାସନାଲ କାଉନସିଲ ଅଫ୍‌ ଭୋକେସନାଲ୍‌ ଟ୍ରେନିଂ(ଏନ୍‌ସିଭିଟି) ପକ୍ଷରୁ ପରୀକ୍ଷା କରାଯାଇଥିଲା। ଚଳିତମାସ ୧ ତାରିଖରେ ଏନ୍‌ସିଭିଟି ପରୀକ୍ଷାଫଳ ପ୍ରକାଶ କରିଥିଲା। ପ୍ରଥମେ ସବୁ ବିଷୟର ରେଜଲ୍ଟ ସାଇଟ୍‌ରେ ପ୍ରକାଶ ହୋଇ ନଥିଲା। ୩ ତାରିଖ ସୁଧା ସମସ୍ତ ବିଷୟର ମାର୍କ ୱେବସାଇଟ୍‌ରେ ପ୍ରକାଶ ପାଇଥିଲା। ଏଥିରେ ୫ଟି ଟ୍ରେଡର ୪ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଇଡି ବିଷୟରେ ଶୂନ ଥିବା ଦେଖିବାକୁ ମିଳିଥିଲା। ଅନ୍ୟ ସବୁ ବିଷୟରେ ଆଶା ଅନୁସାରେ ଛାତ୍ରଛାତ୍ରୀ ନମ୍ବର ରଖିଥିବା ବେଳେ ଗୋଟିଏ ବିଷୟରେ ଶତାଧିକ ପିଲା ଶୂନ ରଖିବା ସମସ୍ତଙ୍କୁ ଆଶଙ୍କାରେ ପକାଇଛି। ଏହାକୁ ନେଇ ଛାତ୍ରଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। କର୍ତ୍ତୃପକ୍ଷ ଏନ୍‌ସିଭିଟିକୁ ଜଣାଇବା ପରେ ୫ ତାରିଖ ସୁଧା ଠିକ ମାର୍କ ୱେବସାଇଟ୍‌ରେ ଛାଡ଼ି ଦିଆଯିବ ବୋଲି କୁହାଯାଇଥିଲା। ମାତ୍ର ଆଜି ଯାଏ ବି ତାହା ସମ୍ଭବ ହେଲା ନାହିଁ। ଆସନ୍ତା ଦୁଇ ଦିନ ମଧ୍ୟରେ ଠିକ ମାର୍କ ପ୍ରକାଶ ପାଇବ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ଏନେଇ କଲେଜ ଅଧ୍ୟକ୍ଷ ଇଂଜିନିୟର ହୃଷିକେଶ ମହାନ୍ତି କହିଛନ୍ତି ଯେ ଏନ୍‌ସିଭିଟି ସମସ୍ତ ପରୀକ୍ଷା କରିବା ସହ ଫଳ ପ୍ରକାଶ କରିଥାଏ। ମାତ୍ର ଏଥର ଇଡି ବିଷୟର ନମ୍ବର ଭୁଲରେ ଏନ୍‌ସିଭିଟି ପକ୍ଷରୁ ସିଷ୍ଟମରେ ଏଣ୍ଟ୍ରି କରାଯାଇ ନାହିଁ। ଆସନ୍ତା ଦୁଇ ଦିନ ମଧ୍ୟରେ ଠିକ ନମ୍ବର ପ୍ରକାଶ ପାଇବ ବୋଲି ଏନ୍‌ସିଭିଟି ସୂତ୍ରରୁ ସୂଚନା ମିଳିଛି।

By amfnews

Related Post