Sat. Mar 7th, 2026

ଗୁରୁତର ଅସୁସ୍ଥତାରେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି

310 Views

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ନିମନ୍ତେ ସମ୍ପ୍ରତି ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାଇବେଟିସରେ ପୀଡ଼ିତ ଶ୍ରୀ ମହାନ୍ତିଙ୍କର ଶରୀର ହଠାତ ଖରାପ ଲାଗିବାରୁ ତାଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତି ରାଜ୍ୟର ଘରେ ଘରେ ପରିଚିତ। ନାୟକ, ଖଳନାୟକ ଓ ଚରିତ୍ର ଅଭିନୟରେ ସେ ଓଡ଼ିଆ ଦର୍ଶକଙ୍କ ମନଜିଣିଥିଲେ।  ନିଭାଇଥିବା ପ୍ରତିଟି ଚରିତ୍ରକୁ ଜୀବନ୍ତ କରିତୋଳିବା ଥିଲା ବିଜୟଙ୍କ ସ୍ବକୀୟତା। ଏଥିଲାଗି ସେ ଏକାଧିକବାର ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ଦିଲ୍ଲୀରୁ ପ୍ରଶିକ୍ଷଣପ୍ରାପ୍ତ ବିଜୟ ମହାନ୍ତି  ୧୯୭୬ ମସିହାରେ ‘ନାଗଫାଶ’ ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଉଚ୍ଚକୋଟୀର ଅଭିନୟ ନିମନ୍ତେ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଛନ୍ତି।

ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ‘ଭୁଲି ହୁଏନା’ ନାମକ ଏକ ଚଳଚ୍ଚିତ୍ରରେ ସେ ନିର୍ଦେଶନା ଦେଇଛନ୍ତି।

ଗତ ୪/୫ ବର୍ଷ ହେବ ସେ ହାଇଦ୍ରାବାଦରେ ଥିବା ତାଙ୍କ ଝିଅ ପାଖରେ ରହୁଥିଲେ।

By amfnews

Related Post