Mon. Jun 9th, 2025

ଗାନ୍ଧିଜୀଙ୍କ ଚାଳକ ହେବା ମୋର ସୌଭାଗ୍ୟ

By amfnews Sep 29, 2018 #Featured
378 Views

୧୯୩୯ ନଭେମ୍ବର ୨୧ ସମୟର ଘଟଣା। ଉତ୍ତର ପ୍ରଦେଶର ମହୋବାଠାରେ ଏକ ଅନାଥାଶ୍ରମର ଶିଳାନ୍ୟାସ କରିବା ନିମନ୍ତେ ମହାତ୍ମା ଗାନ୍ଧୀ ଆସିବାର ସମସ୍ତ ପ୍ରସ୍ତୁତି ହୋଇସାରିଥାଏ। ସ୍ଥାନୀୟ ସମ୍ଭ୍ରାନ୍ତ ବ୍ୟକ୍ତି ପଣ୍ଡିତ ବୈଜନାଥ ତିୱାରୀ ୪ ଏକର ଜମି ଅନାଥାଶ୍ରମ ନିମନ୍ତେ ଦାନ କରିଥିଲେ। ତିୱାରୀ ପରିବାର ସପ୍ତାହେ ପୂର୍ବରୁ ମହାତ୍ମାଙ୍କ ଆଗମନ ନିମନ୍ତେ ପ୍ରସ୍ତୁତି ଚଳାଇଥାନ୍ତି। ଷ୍ଟେସନ୍‌ରୁ ଗାନ୍ଧିଜୀ କିପରି ଆସିବେ, କେଉଁଠି ରହିବେ ଓ କ’ଣ ଖାଇବେ, ଏସବୁ ନିଜେ ତିୱାରୀ ମହାଶୟ ତଦାରଖ କରୁଥାନ୍ତି। ଗାନ୍ଧିଜୀ ଷ୍ଟେସନ୍‌ରୁ ଓହ୍ଲାଇବା ପରେ ତାଙ୍କ ଘରକୁ ଆସିବା ପର୍ଯ୍ୟନ୍ତ ଦାମୀ କାର୍‌ର ବନ୍ଦୋବସ୍ତ କରାଗଲା। ତିୱାରୀଜୀ କାର୍ ଚଳାଇବା ନିମନ୍ତେ ନିଜ ଡ୍ରାଇଭର୍‌ଙ୍କୁ ନ କହି ବରଂ ବଡ଼ ପୁଅ ବାବୁଲାଲଙ୍କୁ ଆଦେଶ ଦେଲେ। ବାବୁଲାଲଙ୍କୁ ସେତେବେଳେ ମାତ୍ର ୧୮ ବର୍ଷ, କିନ୍ତୁ କାର୍ ଚଳାଇବାରେ ସେ ଖୁବ୍ ପାରଙ୍ଗମ ଥିଲେ। ବାପାଙ୍କର ଏହି ଆଦେଶ ଯେପରି ଅନ୍ୟଥା ନ ହୁଏ, ଗାନ୍ଧିଜୀ ମହୋବା ଆସିବାର ଦୁଇ ଦିନ ପୂର୍ବରୁ ବାବୁଲାଲ ଗାଡ଼ି ଚଳାଇ ଭଲଭାବେ ଅଭ୍ୟାସ କଲେ। ଯଥା ଦିନ ଗାନ୍ଧିଜୀ ଆସି ପହଞ୍ଚିଗଲେ। ସେ ତିୱାରୀ ପରିବାରର ଏ ଭବ୍ୟ ଆୟୋଜନ ଦେଖି ଆଶ୍ଚର୍ଯ୍ୟ ହେବା ସହ ଗାଡ଼ିରେ ବସିବାବଳେ ବାବୁଲାଲଙ୍କୁ କହିଲେ, ପୁଅରେ ଏସବୁ ଖର୍ଚ୍ଚ କାହିଁକି? ବରଂ ଜନକଲ୍ୟାଣରେ ଏଇ ଅର୍ଥ ଖର୍ଚ୍ଚ କରିଥିଲେ ମୁଁ ଅଧିକ ଖୁସି ହୋଇଥାନ୍ତି। ଗାନ୍ଧିଜୀଙ୍କର ଏଇ ପଦଟିଏ କଥା ହିଁ ବାବୁଲାଲଙ୍କ ଜୀବନ ପରିବର୍ତ୍ତନ କରିଦେଲା। ଏବେ ୯୭ ବର୍ଷୀୟ ବାବୁଲାଲ ତିୱାରୀ କେବଳ ପୈତୃକ ଗୃହ ବ୍ୟତୀତ ଅନ୍ୟ ସମସ୍ତ ଜମି, ତାଙ୍କ ଜମିଦାର ପରିବାରର ଗହଣାଗାଣ୍ଠି, ଦାମୀ ଆସବାବପତ୍ର ସବୁକିଛି ଦାନ କରିଦେଇଛନ୍ତି।

By amfnews

Related Post