Mon. Jun 9th, 2025

ଗାଁ ଦାଣ୍ଡରେ ଖେଳୁ ଖେଳୁ ନିଖୋଜ ହୋଇଯାଇଥିଲେ, ୩ ଦିନ ପରେ ମିଳିଲା ମୃତଦେହ

By amfnews Feb 7, 2020 #Featured
161 Views

ଉମରକୋଟ : ତିନି ଦିନ ତଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅଧୀନ ପକନାଗୁଡ଼ା ଗାଁରୁ ନିଖୋଜ ହୋଇଯାଇଥିବା ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଗାଁ ପାଖ ଏକ ପରିତ୍ୟକ୍ତ କୂଅରେ ପଡ଼ିଥିବା କୁହାଯାଉଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିପାରିନି। ଗତକାଲି ଏହି ପରିତ୍ୟକ୍ତ କୂଅରେ ଏକ ମୃତଦେହ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ। ତେବେ ରାତି ଅଧିକ ହୋଇଯାଇଥିବାରୁ ମୃତଦେହଟି ଉଦ୍ଧାର ହୋଇପାରି ନ ଥିବା ବେଳେ ତାହା ନିଖୋଜ ନାବାଳିକାଙ୍କ ମଧ୍ୟରୁ ଜଣଙ୍କର ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଆଜି ଉଦ୍ଧାର କାର୍ଯ୍ୟ ସରିବା ପରେ ହିଁ ପ୍ରକୃତରେ ତାହା କାହାର ମୃତଦେହ ଜଣାପଡ଼ିବ।

ସୂଚନା ଅନୁଯାୟୀ, ପକନାଗୁଡ଼ା ଗାଁର ମହାଦେବ ଗଣ୍ଡଙ୍କ ୯ ବର୍ଷର ଝିଅ ପଞ୍ଚବତୀ ଓ ଗୋନା ଗାଁର ପ୍ରକାଶ ପାଣ୍ଡେଙ୍କ ୭ ବର୍ଷର ଝିଅ ଲକ୍ଷ୍ମୀ  ୪ ତାରିଖରୁ ନିଖୋଜ ଅଛନ୍ତି। ସେମାନେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ। ଲକ୍ଷ୍ମୀଙ୍କ ମାମୁ ଘର ପକନାଗୁଡ଼ା ଗାଁରେ। ସେ ସେଠାକୁ ଆସିଥିବା ବେଳେ ପଞ୍ଚବତୀଙ୍କ ସହିତ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ। ଚାରିଆଡ଼େ ବହୁତ ଖୋଜାଖୋଜି କରିଥିଲେ ବି ଦୁଇ ପରିବାର ଲୋକେ ସେମାନଙ୍କ ଝିଅଙ୍କୁ ପାଇ ନଥିଲେ। ତା’ପରେ ସେମାନେ କୁନ୍ଦେଇ ଥାନାର ଦ୍ୱାରସ୍ଥ ହୋଇଥିଲେ।  କୁନ୍ଦେଇ ପୁଲିସ୍‌ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କ ପତ୍ତା ପାଇ ନଥିଲା।

ଗତକାଲି ସନ୍ଧ୍ୟାରେ ପକନାଗୁଡ଼ା ଗାଁ ନିକଟସ୍ଥ ଉକ୍ତ ପରିତ୍ୟକ୍ତ କୂଅରେ ଜଣେ ନାବାଳିକାଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ ବୋଲି ଉମରକୋଟ ଏସ୍‌ଡିପିଓ ସୂଚନା ଦେଇଛନ୍ତି । ତେବେ ରାତି ଅଧିକ ହୋଇଯିବାରୁ ମୃତଦେହ ଉଦ୍ଧାର ହୋଇପାରିନଥିଲା ବୋଲି ସେ କହିଥିଲେ।

By amfnews

Related Post