Sat. Apr 19th, 2025

ଗଲାଣି ୧୦ ଜୀବନ, ତଥାପି ଚାଲିଛି ପୂଜାପାଠ ! ଗୁଣିଗାରେଡ଼ିର ଅନ୍ଧବିଶ୍ବାସ କବଳରେ ଗୁଣ୍ତୁରିବିଡ଼ା

By amfnews Nov 6, 2019 #Featured
167 Views

ଚାରିଛକ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଦିବାସୀବହୁଳ ଗୁଣ୍ତୁରିବିଡ଼ା ଗାଁକୁ ଏବେ ଘାରିଛି ଗୁଣିଗାରେଡ଼ି ଓ ଅନ୍ଧବିଶ୍ବାସର ଭୟ। ବର୍ଷକ ମଧ୍ୟରେ ଗାଁରେ ୧୦ ଜଣଙ୍କ ମୃତ୍ୟୁ ଘଟିବା ପରେ ଏହା ଗୁଣିଗାରେଡ଼ି ଜନିତ ମୃତ୍ୟୁ ବୋଲି ଗାଁ ଲୋକ ଧରି ନେଇଛନ୍ତି। ଏଥିସହ ଗାଁର କିଛି ଲୋକ ଏବେ ବି ଅସୁସ୍ଥ ଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ଗୁଣିଗାରେଡ଼ି ପ୍ରଭାବରୁ ଗାଁ ଲୋକଙ୍କୁ ରକ୍ଷା କରିବା ଲାଗି ପୂଜାପାଠ ଚାଲିଛି। ଏଭଳି ଅନ୍ଧବିଶ୍ବାସ ଦୂର କରିବା ନିମନ୍ତେ ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରୁ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି।

ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକଠାରୁ ମାତ୍ର ୫କି.ମି ଦୂରରେ ରହିଛି ଏହି ଗୁଣ୍ତୁରିବିଡା ଗ୍ରାମ। ଏହି ଗାଁରେ ୩୮ଟି ଆଦିବାସୀ ପରିବାର ବାସ କରନ୍ତି। ଗାଁ ଲୋକଙ୍କ କହିବା କଥା ହେଲା, ଗୁଣିଗାରେଡ଼ି କରୁଥିବା ଗାଁର କିଶୋରୀ ପ୍ରଧାନ(୪୫)ଙ୍କ ଗତବର୍ଷ ମୃତ୍ୟୁ ଘଟିଥିଲା। ଏହାପରେ ଗ୍ରାମର ମାଟିଗୁରୁ ହରିଡ଼ାବିଡ଼ା ଗାଁର ଉସତ ନାୟକ(୫୨), କେଶବ ପ୍ରଧାନ(୪୨), ପୁରନ୍ଦର ପ୍ରଧାନ(୫୦), ହେମନ୍ତ କହଁର(୪୦), ନରୋତ୍ତମ ନାଏକ(୪୬), ଲକ୍ଷ୍ମଣ ନାଏକ (୪୫), ତାଙ୍କ ଝିଅ ଜେମାଦେଈ ନାଏକ(୦୭), ଗୁରୁମତି ପ୍ରଧାନ ଏବଂ ଗତ ୨ ଦିନ ତଳେ ପ୍ରଭାକର ମଲ୍ଲିକ (୪୧)ଙ୍କ ମୃତ୍ୟୁ ଘଟିଲାଣି। ମୃତକଙ୍କ ମଧ୍ୟରେ ୮ଜଣ ପୁରୁଷ, ଜଣେ ମହିଳା ଏବଂ ଜଣେ ବାଳିକା ଅଛନ୍ତି। କମ୍‌ ଦିନ ବ୍ୟବଧାନରେ ଏତେ ଜଣଙ୍କ ମୃତ୍ୟୁକୁ ନେଇ ଗାଁ ଲୋକେ ଭୟଭୀତ ହୋଇଗଲେଣି। ବର୍ତ୍ତମାନ ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନ ରୋଗାକ୍ରାନ୍ତ ଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

ମୃତ କିଶୋରୀ ପ୍ରଧାନଙ୍କ ଶିଷ୍ୟ ଯୁଧିଷ୍ଠିର ନାଏକ, ଅଶ୍ବିନୀ ନାଏକ ଗାଁରେ ଗୁଣିଗାରେଡ଼ି କରୁଥିବା ଓ ଉପରୋକ୍ତ ବ୍ୟକ୍ତିମାନଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଗ୍ରାମ ସଭାପତି ବାସୁଦେବ ପ୍ରଧାନ, ଉପସଭାପତି ଲକ୍ଷ୍ମୀଧର ପ୍ରଧାନ, ପ୍ରଦୀପ ପ୍ରଧାନ, ପ୍ରବୀଣ ପ୍ରଧାନ, ଜଗନ୍ନାଥ ପ୍ରଧାନ, ସୁମନ୍ତ ପ୍ରଧାନଙ୍କ ସମେତ ସମସ୍ତ ଗ୍ରାମବାସୀ ଏ ନେଇ ଗାଁରେ ବୈଠକ ଡାକିବା ସହ ଯୁଧିଷ୍ଠିର ଓ ଅଶ୍ବିନୀଙ୍କୁ ଏ ବିଷୟରେ ପଚାରିଥିଲେ। ରୋଗାଗ୍ରସ୍ତ ଥିବା ଗାଁର ଲୋକଙ୍କୁ ତୁରନ୍ତ ଭଲ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନେ ଏଥିପାଇଁ ରାଜି ହୋଇଥିବା ମଧ୍ୟ ସୂଚନା ମିଳିଛି। ଏଥିସହ ଅନ୍ଧବିଶ୍ବାସର ବଳୟ ଭିତରେ ରହିଥିବା ଗାଁ ଲୋକେ ବର୍ତମାନ ବିଭିନ୍ନ ମନ୍ଦିରରେ ପୂଜାପାଠ ମଧ୍ୟ ଚଳାଇ ଥିବା ଜଣାଯାଇଛି। ଅନ୍ଧାରୀ ମୂଲକରେ ରହିଥିବା ଏହି ଆଦିବାସୀ ଗାଁ ଲୋକଙ୍କ ମନରୁ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

By amfnews

Related Post