Tue. Nov 26th, 2024

ଗରୀବ କଲ୍ୟାଣ ଯୋଜନାରେ ଦୁର୍ନିତି ପାଇଁ ଗ୍ରାମସେବକ ଅଟକ: ଲୁଚି ପଳାଇଲେ ସରପଞ୍ଚ: କୁଶ ପୁତ୍ତଳିକା ଦାହ

By amfnews Jan 17, 2019 #Featured
459 Views

ଯାଜପୁର, ଜାନୁଆରୀ ୧୭ :  ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ବିଭିନ୍ନ ପଂଚାୟତରେ ଗରୀବ କଲ୍ୟାଣ ଯୋଜନା ବାଟବଣା ହୋଇଛି । ୨୦୧୧ ସାମାଜିକ ଅର୍ଥନୈତିକ ଜନଗଣନାକୁ ବ୍ୟାପକ ଚଂଚକତା କରାଯାଇ ଗରୀବ ପାଇଁ ଉଦ୍ଧିଷ୍ଟ ଯୋଜନାକୁ ଧନୀଲୋକ ମାନେ ଲୁଟ କରି ଚାଲଛନ୍ତି । ଏହାର ପ୍ରତିବାଦରେ ବୁଧବାର ଧର୍ମଶାଳା ବ୍ଲକର ସାହାଣିଢିଅ ପଂଚାୟତରେ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପଂଚାୟତରେ ପିଠା ଯୋଜନା ଚାଲିଥିବା ବେଳେ ଉତ୍ୟକ୍ତ ମହିଳାମାନେ ପଂଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଜୀବନ ନେଇ ସରପଂଚ ଗିରିଧାରୀ ଜେନା ପଂଚାୟତ କାର୍ଯ୍ୟାଳୟ ଛାଡି ଧଉଡି ପଳାଇ ଥିବା ବେଳେ ଗ୍ରାମସେବକଙ୍କୁ ପଂଚାୟତ କାର୍ଯ୍ୟାଳୟରେ ଅଟକ ରଖି ବାହାରୁ ତାଲା ପକାଇ ଦେଇଥିଲେ । ଦୀର୍ଘ ୭ ଘଂଟା ଅଟକ ରହିବା ପରେ ଜେନାପୁର ଥାନା ପୋଲିସ ପହଞ୍ôଚ ଗ୍ରାମସେବକଙ୍କୁ ପଂଚାୟତ କାର୍ଯ୍ୟାଳୟରୁ ତାଲାଖୋଲି ବାହାରକୁ ଆଣିଥିଲେ । ଉତ୍ୟକ୍ତ ମହିଳାମାନେ ପଂଚାୟତ କାର୍ଯ୍ୟାଳୟ ସାମନାରେ ସରପଂଚ ଓ ଗ୍ରାମସେବକଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଖବରରୁ ପ୍ରକାଶ, ଏହି ପଂଚାୟତରେ ବହୁ ଗରୀବ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଏବଂ ରାସନକାର୍ଡ ପାଇବାରୁ ବଂଚିତ ହୋଇଛନ୍ତି । ହେଲେ ଗରୀବ ମାନଙ୍କ ଯୋଜନାକୁ ଧନୀ ଲୋକମାନେ ହଡପ କରିଛନ୍ତି । ଏପରିକି ପଂଚାୟତର କ୍ଷମତାସୀନ ନେତା ନିଜ ସଂପର୍କିୟଙ୍କ ନାମରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଡପ କରିଥିବାର ଗୁରୁତର ଅଭିଯୋଗ ହୋଇ ଆସୁଛି । ସରକାରୀ ବିଧି ବ୍ୟବସ୍ଥାକୁ ଅଣଦେଖା କରି କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଏ ପ୍ରକାର ଜନବିରୋଧୀ କାର୍ଯ୍ୟକୁ ପ୍ରଶୟ ଦେଇଛନ୍ତି । ଏହି ପଂଚାୟତର ପିଠା ଯୋଜନାରେ ଗୋଟିଏ ନିର୍ଦ୍ଦିଷ୍ଟ ଗାଁର ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଥିବା ବେଳେ କୃଷ୍ଣଚନ୍ଦ୍ରପୁର ଗାଁର ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକୁ ଅର୍ଥ ପ୍ରଦାନ କରାଯାଇ ନାହିଁ ।

ଏହାର ପ୍ରତିବାଦରେ କୃଷ୍ଣଚନ୍ଦ୍ରପୁର ଗ୍ରାମର ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ମହିଳାମାନେ ଏକଜୁଟ ହୋଇ ପଂଚାୟତ ଅଫିସ ଘେରାଉ କରିବା ପରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଅଣାୟତ୍ତ ହେବାରୁ ସରପଂଚ ଜୀବନ ବିକଳେ ପଂଚାୟତ କାର୍ଯ୍ୟାଳର ଛାଡି କୌଣସି ପ୍ରକାରେ ଖସି ପଳାଇଥିଲେ । ଏହାପରେ ଲୋକଙ୍କ ଆକ୍ରୋଶର ଶୀକାର ହୋଇଥିଲେ ଭି.ଏଲ.ଡବଲ୍ୟୁ ଅଭୟ କୁମାର ସାହୁ । ଦିନ ପ୍ରାୟ ୧୨ ଟାରୁ ସଂଧ୍ୟା ୭ ଟା ପର୍ଯ୍ୟନ୍ତ ଭି.ଏଲ.ଡବଲ୍ୟୁଙ୍କୁ ମହିଳାମାନେ ପଂଚାୟତ କାର୍ଯ୍ୟାଳୟରେ ତାଲା ବନ୍ଦ କରି ଅଟକ ରଖିଥିଲେ ।

ଖବର ପାଇ ଜେନାପୁର ପୋଲିସ ଏବଂ ଧର୍ମଶାଳା ବି.ଡି.ଓ ଘଟଣା ସ୍ଥଳରେ ପହଂଚି ଭି.ଏଲ.ଡବଲ୍ୟୁଙ୍କ ବନ୍ଦ ପଂଚାୟତ କାର୍ଯ୍ୟାଳୟରୁ ଖଲାସ କରିଥିଲେ । ପ୍ରକାଶ ଥାଉ କି, ଧର୍ମଶାଳାର ବିଭିନ୍ନ ପଂଚାୟତରେ ଭଙ୍ଗା ଘରେ ଶୀତ କାକରରେ ଦିନ ବିତାଉଥିବା ଲୋକ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରାଯାଉ ନଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପରେ ବି ଧର୍ମଶାଳାର କ୍ଷମତାସୀନ ନେତାଙ୍କ ଚାପରେ ସେମାନଙ୍କୁ ଘର ଦିଆଯାଉ ନାହିଁ ।

ଏଥିନେଇ ହୋଇଥିବା ୨୦୧୧ ଜନଗଣନାକୁ ବ୍ୟାପକ ଚଂଚକତା କରାଯାଇ ଗରୀବଙ୍କୁ ସରକାରୀ ଯୋଜନାରୁ ସୁଫଳରୁ ବଂଚିତ କରାଯିବା ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରସଙ୍ଗ ହେବା ସହ ଅସନ୍ତୋଷ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନା ଦିଗହରା କରିବା ଉଦ୍ୟମ ଦୁର୍ଭାଗ୍ୟଜନକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷର ସଫଳ ରୂପାୟନ ପାଇଁ ପ୍ରଶାସନ ଏଭଳି କାର୍ଯ୍ୟକୁ ପ୍ରଶୟ ନଦେବାକୁ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ନିବେଦନ କରିଛନ୍ତି । ପ୍ରକାଶ ଥାଉ କି, ଅତୀତରେ ଜଣେ ଗରୀବ ଶାରିରିକ ଅକ୍ଷମଙ୍କ ଇନ୍ଦିରା ଆବାସ ବିଲକୁ ନଦେବା ନେଇ ଓଡିଶା ହାଇକୋର୍ଟ ବ୍ଲକ ଅଧିକାରୀଙ୍କୁ ଭର୍ତ୍ସନା କରିଥିଲେ ।

By amfnews

Related Post