359 Views
ହଙ୍ଗ୍ କଙ୍ଗ୍ : ଉଗ୍ରମୁଖା ପୁଲିସ ଏବଂ ପ୍ରତିବାଦକାରୀଙ୍କ ମଧ୍ୟରେ ସଂଘର୍ଷ ହେବା କାରଣରୁ ଚୀନ୍ ନିୟନ୍ତ୍ରଣାଧୀନ ସହର ହଙ୍ଗ୍ କଙ୍ଗ୍ର ବିମାନ ବନ୍ଦରରେ ଗତ ଦୁଇ ଦିନ ଧରି ବାଧାପ୍ରାପ୍ତ ବିମାନ ସେବା ପୁଣି ଆରମ୍ଭ ହୋଇଛି।
ଦଶ ସପ୍ତାହ ହେବ ସେଠାରେ ପୁଲିସ ଏବଂ ଗଣତନ୍ତ୍ରଣ ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ବଢ଼ି ଚାଲିଛି। ୧୯୯୭ ମସିହାରେ ବ୍ରିଟିସ୍ ଠାରୁ ଚୀନ୍ ଶାସନକୁ ଆସିବା ପରେ ଏସିଆର ଆର୍ଥିକ ନାଭିଚକ୍ର କୁହାଯାଉଥିବା ଏହି ସହରରେ ଏ ଭଳି ପରିସ୍ଥିତି କେବେ ହୋଇ ନ ଥିଲା। ବୁଧବାର ପ୍ରତ୍ୟୁଷରେ ୩୦ ସରିକି ପ୍ରତିବାଦକାରୀ ବିମାନ ବନ୍ଦରରେ ଥିବା ବେଳେ କର୍ମଚାରୀମାନେ ରାତାରାତି ରକ୍ତ ଓ ଆବର୍ଜନା ସଫା କରିଥିଲେ। ଏହା ପରେ ରାତି ତମାମ ଅପେକ୍ଷାରତ କ୍ଳାନ୍ତ ଯାତ୍ରୀଙ୍କ ନିମନ୍ତେ ଚେକ୍-ଇନ୍ କାଉଣ୍ଟର୍ ଖୋଲିଥିଲା।
ପ୍ରତିବାଦକାରୀଙ୍କ ହିଂସାକାଣ୍ଡକୁ ନିନ୍ଦା କରି ପୁଲିସ କହିଛି ଯେ ବୁଧବାର ଦିନ ଦଳେ ବହୁସଂଖ୍ୟକ ପ୍ରତିବାଦକାରୀ ଜଣେ ଦର୍ଶକ ଏବଂ ଜଣେ ସାମ୍ବାଦିକଙ୍କୁ ହଇରାଣ ହରକତ କରିବା ସହ ଆକ୍ରମଣ କରିଛନ୍ତି। ଜୁନ୍ ମାସରେ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ପ୍ରଦର୍ଶନରେ ପୁଲିସ ୬୦୦ରୁ ଅଧିକ ଲୋକଙ୍କୁ ଗିରଫ କରି ସାରିଲାଣି। ଗତକାଲି ୫ ଜଣଙ୍କୁ ଅଟକ ରଖାଯାଇଛି। ମଙ୍ଗଳବାର ଦିନ ଆନ୍ତର୍ଜାତିକ ବିମାନ ବନ୍ଦରରୁ ହଜାର ହଜାର କଳାପୋଷାକ ପିନ୍ଧା ପ୍ରତିବାଦକାରୀଙ୍କୁ ଘଉଡ଼ାଇବା ପାଇଁ ମଙ୍ଗଳବାର ଦିନ ପୁଲିସ ପିପର୍ ସ୍ପ୍ରେ ପ୍ରୟୋଗ କରିଥିଲା।