Sun. Mar 8th, 2026

ଗଛ ଯୋଗୁଁ ବଞ୍ଚିଗଲା ୪ ତାଲାରୁ ତଳକୁ ଖସିପଡ଼ିଥିବା ୧୪ ମାସିଆ ପିଲା

171 Views

ମୁମ୍ବାଇ: ଗୁରୁବାର ସକାଳେ ଗୋବନ୍ଦିସ୍ଥିତ ୪ ତାଲା ବାସଭବନର ସ୍ଲାଇଡିଙ୍ଗ୍‌ ଫ୍ରେଞ୍ଚ୍‌ ଝରକାରୁ ତଳକୁ ଖସିପଡ଼ି ଥିବା ଜଣେ ୧୪ ମାସିଆ ବାଳକ ଅଲୌକିକ ଭାବେ ବଞ୍ଚି ଯାଇଛି। ଅଥର୍ବ ବାର୍କାଡ଼େ ଓରଫ ଶ୍ରୀ ଝରକା ବାହାରେ ଥିବା ଗୋଟାଏ ଗଛରେ ପଡ଼ି ଭୂଇଁକୁ ଖସଡ଼ି ଯାଇଥିଲା।

ସକାଳ ପ୍ରାୟ ୮. ୪୫ ମିନିଟ୍‌ ସମୟରେ ଗୋବନ୍ଦି ଅନ୍ତର୍ଗତ ବିଏସ୍‌ ଦେବଶି ରୋଡ୍‌ରେ ଅବସ୍ଥିତ ଗୋପୀ କୃଷ୍ଣ ଅଟ୍ଟାଳିକାରେ ଘଟନାଟି ଘଟିଛି। ବାପା ଅଜିତ ବାର୍କାଡ଼େ, ମାଆ ଜ୍ୟୋତି, ଜେଜେବାପା ଜେଜେମା, ଅଣଜେଜେ, ଦାଦିଖୁଡ଼ୀ ଏବଂ ଦାଦିଝିଅ ଭଉଣୀଙ୍କୁ ନେଇ ଅଥର୍ବଙ୍କ ପରିବାର।

ଅଥର୍ବର ଜେଜିମାଆ ମଙ୍ଗଳ ଗ୍ରିଲ୍‌ ନ ଥିବା ରହିବା ଘରର ଝରକା ଖୋଲି ଥିଲେ ବାହାରେ ଶୁଖୁଥିବା ଲୁଗାପଟା ଆଣିବାକୁ। ସେ ଝରକାଟି ବନ୍ଦ କରିଥିଲେ ସୁଦ୍ଧା ତାହା ଭଲଭାବେ ବନ୍ଦ ହୋଇ ନାହିଁ ବୋଲି ଖିଆଲ୍‌ କରି ନ ଥିଲେ। ଏତିକି ବେଳେ ରହିବା ଘରେ ଖେଳୁଥିବା ଅଥର୍ବ ଝରକା ପାଖକୁ ଦୌଡ଼ି ଯାଇ ୨ଫୁଟ୍‌ ଲେଜ୍‌ରୁ ଖସିପଡ଼ି ବାହାରକୁ ପଡ଼ିଯାଇଥିଲା।

ବାପା ଅଜିତ ପାଟି ଚିଲାଇବାରୁ ଘରଲୋକେ ତଳକୁ ଧାଇଁଯାଇ ଦେଖିଲେ, ଝରକା ତଳେ ଥିବା ଗଛର ନଇଁ ଆସିଥିବା ଡାଳ ପାଖରେ ଅଥର୍ବ ତଳେ ପଡ଼ିଛି। କଥା ହେଲା, ଅଥର୍ବ ଝରକାରୁ ସିଧା ଗଛ ଉପରେ ପଡ଼ି ସେ ନୁଅାଁଣିଆ ଡାଳ ଦେଇ ଭୂଇଁ ଉପରକୁ ଖସି ଆସିଥିଲା। ପ୍ରଥମେ ସେ ଗଛରେ ପଡ଼ିଥିବାରୁ ଯୋର୍‌ ଆଘାତ ଲାଗି ନ ଥିଲା।

ତଳୁ ଉଠାଇ ନେବା ପରେ ଅଥର୍ବ କାନ୍ଦିବା ଆରମ୍ଭ କଲା। ତୁରନ୍ତ ତାକୁ ଦୁଇ ଦୁଇଟି ଘରୋଇ ଡାକ୍ତରଖାନାକୁ ନିଆଗଲା, କିନ୍ତୁ ସେଠାରେ ପିଲାଙ୍କ ଲାଗି ଚିକିତ୍ସା ସୁବିଧା ନ ଥିବାରୁ ମୁଲୁନ୍ଦସ୍ଥିତ ଫର୍ଟିସ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା।

ଏବେ ଇନ୍‌ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ରେ ଥିବା ଅଥର୍ବର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତା’ ଓଠ ଓ ଗୋଟିଏ ଗୋଡ଼ରେ ଆଘାତ ଲାଗିଛି।

By amfnews

Related Post