Sun. Mar 8th, 2026

ଖେଳ ଦେଖିବା ବେଳେ ଗଛ ପଡ଼ି ଦୁଇ ଗୁରୁତର

273 Views

କୋରାପୁଟ : ଗଛ ତଳେ ବସି କ୍ରିକେଟ ଖେଳ ଦେଖୁଥିଲେ। ଜମାଣିଆ ଖେଳ ଦେଖି ତାଳି ବା‌ଡଉଥିଲେ। ଏହି ସମୟରେ ଏକ ଗଛ ହଠାତ୍‌ ଭାଙ୍ଗିଯାଇ ପଡ଼ିଥିଲା ଦେଖଣାହାରୀଙ୍କ ଉପରେ। ଫଳରେ ଦୁଇ ଜଣ ଯୁବକଙ୍କୁ ଗଭୀର ଆଘାତ ଲାଗିଛି। ଅନ୍ୟ କିଛି ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏଭଳି ଘଟଣା ଆଜି ଘଟିଛି କୋରାପୁଟ ରେଲବାଇ କଲୋନିରେ।
ଛୁଟି ଥିବାରୁ ଆଜି ରେଳବାଇ କଲୋନି ପଡ଼ିଆରେ କ୍ରିକେଟ ମ୍ୟାଚ୍‌ ଚାଲିଥିଲା। ପ୍ରବଳ ଖରା ହେଉଥିବାରୁ କିଛି ଯୁବକ ଏକ କୃଷ୍ଣଚୁଡ଼ା ଗଛ ତଳେ ବସି ଖେଳ ଦେଖୁଥିଲେ। ତେବେ ଖେଳ ଚାଲଥିବା ସମୟରେ ହଠାତ କଡମଡ ଶବ୍ଦ କରି ଗଛଟି ଭାଙ୍ଗିଯାଇଥିଲା। ଗଛ ତ‌ଳେ ଗାଡ଼ିରେ ବସି ଖେଳ ଦେଖୁଥିବା ଦେବରାଜ ଖିଲ ଓ ଜୟପୁରର ରାଜେନ୍ଦ୍ର ଖିଲଙ୍କ ଉପରେ ଗଛ ପଡିଯିବାରୁ ଉଭୟଙ୍କୁ ଗୁରୁତର ଆଘାତ ଲାଗିଥିଲା। ସେହିପରି ଗଛ ମୂଳେ ବସିଥିବା ଅନ୍ୟ କିଛି ଜଣ ସାମାନ୍ୟ ଆହତ ହୋଇଥିଲେ। ଖେଳ ଦେଖୁଥିବା ଅନ୍ୟ କିଛି ଯୁବକ ଗୁରୁତର ଦେବରାଜ ଓ ରାଜେନ୍ଦ୍ରଙ୍କୁ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି କରାଇଥିଲେ। ଦେବରାଜଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ରାଜେନ୍ଦ୍ରଙ୍କ ଅଣ୍ଟାରେ ମାଡ଼ ହୋଇଥିବା ଜଣାପଡିଛି। ଚିକିତ୍ସା ପରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି।

By amfnews

Related Post