Thu. May 22nd, 2025

ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଲାଗି ଦୂତି ଆବେଦନ କରିପାରିବେ

By amfnews Sep 9, 2018 #Featured
259 Views

ନୂଆଦିଲ୍ଲୀ  : ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ତଥା ଜାକର୍ତା/ପାଲେମବାଙ୍ଗ ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ଭାରତୀୟ ଖେଳାଳିମାନେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଏବଂ ସମ୍ମାନ ଜନକ ଅର୍ଜୁନ ପୁରସ୍କାର ଲାଗି ଆବେଦନ କରିପାରିବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଶନିବାର ଏହି ଘୋଷଣା କରିଛି। ଏଥିଲାଗି ଚଳିତ ସେପ୍ଟେମ୍ବର ୧୨କୁ ଶେଷ ତାରିଖ ରହିଛି। ସାନି ଆବେଦନକାରୀଙ୍କୁ ସୁଯୋଗ ଦେବା ଲାଗି ପୁରସ୍କାର ଚୟନ ସମିତିର ବୈଠକକୁ ମଧ୍ୟ ଆସନ୍ତା ୧୧ ପରିବର୍ତେ ୧୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ଅନୁସାରେ ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଯୁଗଳ ସ୍ୱର୍ଣ୍ଣ ଜିତିଥିବା ଓଡ଼ିଆ ଝିଅ ଦୂତି ଚାନ୍ଦ ଉଭୟ ରାଜୀବ ଗାନ୍ଧୀ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ଲାଗି ଆବେଦନ କରିପାରିବେ।

କେବଳ ଦୂତି ନୁହନ୍ତି, ହେପ୍ଟାଥଲନରେ ସ୍ୱର୍ଣ୍ଣ ଜିତିଥିବା ପଶ୍ଚିମବଙ୍ଗର ସ୍ୱପ୍ନା ବର୍ମନ, ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଏବଂ ରୌପ୍ୟ ଜିତିଥିବା ଧାବକ ଜିନସନ ଜନସନ, ଧାବିକା ହିମା ଦାସ, ମୁଷ୍ଟିଯୋଦ୍ଧା ଅମିତ ପଙ୍ଘାଲ, ବନ୍ଧୁକ ଚାଳକ ଅମିତ ଚୌଧୁରୀ, ସଟପୁଟର୍‌ ତେଜିନ୍ଦର ପାଲ ସିଂହ ତୁର ପ୍ରମୁଖ ବି ଏଥିଲାଗି ଆବେଦନ କରିପାରିବେ। ସୂଚନାଯୋଗ୍ୟ ଯେ ଏସୀୟ କ୍ରୀଡ଼ାକୁ ଆଖି ଆଗରେ ରଖି ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଦିବସରେ ବିଭିନ୍ନ ଖେଳ ପୁରସ୍କାର ପ୍ରଦାନକୁ ସ୍ଥଗିତ ରଖାଯାଇଥିଲା। ଖେଳରତ୍ନ ପୁରସ୍କାର ପାଇଁ ପୂର୍ବରୁ ୧୫ ଜଣ ଖେଳାଳି ଆବେଦନ କରିଥିଲେ। ଯାହା ଏବେ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ମହତ୍ୱପୂର୍ଣ୍ଣ କଥା ହେଲା ଏସିଆଡ଼୍‍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ଖେଳାଳିଙ୍କ ପ୍ରଶିକ୍ଷକମାନେ ମଧ୍ୟ ଏବେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଗି ଆବେଦନ କରି ପାରିବେ। ମନ୍ତ୍ରାଳୟର ଏହି ନିଷ୍ପତ୍ତି ପରେ ଦୂତି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପାଇବାର ଆଶା ସଂଚାର ହୋଇଛି।

By amfnews

Related Post