ବାରିପଦା: ଆଇନର ରକ୍ଷକ ହୋଇ ଆଇନକୁ ହାତକୁ ନେବା ଅଭିଯୋଗରେ ମୟୁରଭଞ୍ଜ ଜିଲ୍ଲା ପୁଲିସ ତିରିଂ ଥାନାଧିକାରୀ ଚନ୍ଦ୍ରମୋହନ ସିଂହଙ୍କୁ ଗିରଫ କରିଛି ।
ବାଙ୍ଗିରିପୋଷି ଥାନାରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୨୭୯, ୩୩୭, ୩୩୮ ଆଧାରରେ ଲିଖିତ ଅଭିଯୋଗ ଅଣାଯିବା ପରେ ମୟୁରଭଞ୍ଜ ପୁଲିସ ଅଧିକ୍ଷକ ଅନିରୁଦ୍ଧ ସିଂହଙ୍କ ନିର୍ଦ୍ଦେଶ ମତେ ଇନସ୍ପେକ୍ଟର ଚନ୍ଦ୍ରମୋହନଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ ନଭେମ୍ବର ୨୮ ତାରିଖ ରାତିରେ ଅଭିଯୁକ୍ତ ଚନ୍ଦ୍ରମୋହନ ନିଶାସକ୍ତ ଅବସ୍ଥାରେ ନିଜର ମାରୁତି ଏର୍ଟିଗା (ଓଡି୧୧ଏଚ୍ ୭୧୯୭) ଚଳାଇ ତିରିଂରୁ ବାରିପଦା ଯାଉଥିବା ସମୟରେ ଦୁଇଟି ଗାଡ଼ିକୁ ଧକ୍କା ଦେଇଥିଲେ ।
କୁଳିଅଣା ଥାନା ଅନ୍ତର୍ଗତ ରଙ୍ଗୟମ ଗ୍ରାମନିବାସୀ ମାଶ୍ରୁକାନ୍ତି ବେହେରା ବାଇକ ଚଳାଇ ଯାଉଥିବା ସମୟରେ ଚନ୍ଦ୍ରମୋହନଙ୍କ ମାରୁତି ଧକ୍କାରେ ଗୁରୁତର ଆହତ ହୋଇ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ମଦ ନିଶାରେ ଥାଇ ଚନ୍ଦ୍ରମୋହନ ଗାଡ଼ି ଚଳାଇବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି କହିଛନ୍ତି ବାରିପଦା ସଦର ଏସଡିପିଓ ଅଭିମନ୍ୟୁ ନାଏକ ।
162 Views