Sun. Mar 8th, 2026

କ୍ଷେପଣାସ୍ତ୍ର ମାଡ଼ରେ ଖସିଥିଲା ୟୁକ୍ରେନ୍‌ ବିମାନ: ପ୍ରମାଣ ହାସଲ କଲା ୟୁକ୍ରେନ୍‌

146 Views

ଲଣ୍ଡନ: ତେହେରାନ୍‌ ବିମାନ ବନ୍ଦର ନିକଟରେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ୟୁକ୍ରେନ୍‌ର ଯାତ୍ରୀବାହୀ ବିମାନକୁ ଇରାନ୍‌ ହିଁ ଭୁଲ୍‌ରେ କ୍ଷେପଣାସ୍ତ୍ର ମାରି ଖସାଇଥିଲା ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଏବଂ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି। ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଇରାନ୍‌ ଭୁଲ୍‌ରେ ଏହାକୁ ଟାର୍ଗେଟ୍‌ କରିଥିଲା ଏବଂ ଭୂପୃଷ୍ଠରୁ ଆକାଶ ମାର୍ଗକୁ କ୍ଷେପଣାସ୍ତ୍ର ଛାଡ଼ି ଏହାକୁ ଧ୍ବଂସ କରିଦେଇଥିଲା ବୋଲି ଉଭୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଏ ବାବଦରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ହାସଲ ହୋଇଥିବାରୁ ଇରାନ୍‌ ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍‌ ଇରାନ୍‌ର ଏଭଳି କାର୍ଯ୍ୟ ବାବଦରେ ଯଥେଷ୍ଟ ପ୍ରମାଣ ସଂଗ୍ରହ ପାଇଁ ପ୍ରୟାସ ଜାରି ରଖିଛି ।

ଏହି ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟରେ ଆମେରିକାଠାରୁ କିଛି ପ୍ରମାଣ ୟୁକ୍ରେନ୍‌ ହାସଲ କରିଛି। ଏହି ଆଧାରରେ ଇରାନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନ୍ତର୍ଜାତୀୟ ସମୁଦାୟ ଆଗଭର ହେବା ଉଚିତ ବୋଲି ୟୁକ୍ରେନ୍‌ କହିଛି। ଏହି ବିମାନ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ଅଧିକାଂଶ ଯାତ୍ରୀ କାନାଡ଼ା ଏବଂ ଇରାନ୍‌ର ଥିଲେ। ରୁଷ୍‌ ନିର୍ମିତ ୨ଟି କ୍ଷେପଣାସ୍ତ୍ର ମାଡ଼ ହେବାପରେ ବିମାନଟି ଜଳି ଯାଇଥିଲା ବୋଲି ଆମେରିକା କହିଛି। ଯୁଦ୍ଧ ଉତ୍ତେଜନା ଭିତରେ ଇରାନ୍‌ର ଭୁଲ୍‌ ଆକ୍ରମଣ ଯୋଗୁଁ ୧୭୬ ନିରୀହ ଯାତ୍ରୀଙ୍କ ଜୀବନ ଚାଲିଯାଇଥିବାରୁ ଇରାନ୍‌ ଏଥିପାଇଁ କ୍ଷମାପ୍ରାର୍ଥନା କରିବା ଜରୁରୀ ବୋଲି କାନାଡ଼ା କହିଛି ।

By amfnews

Related Post