Sat. Mar 7th, 2026

କ୍ର୍ୟୁ ସଦସ୍ୟଙ୍କ ପେଟ କାଟ୍‌ କରି ଆର୍ଥିକ ସଙ୍କଟରୁ ମୁକୁଳିବାକୁ ଉଦ୍ୟମ କଲା ଏୟାର ଇଣ୍ଡିଆ

216 Views

ନୂଆଦିଲ୍ଲୀ  : ସଂପ୍ରତି ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ। ତେଣୁ, ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏବେ ଆରମ୍ଭ କରିଛନ୍ତି ଖର୍ଚ୍ଚକାଟ୍‌ ଯୋଜନା। ଏହି ଯୋଜନାରେ ପ୍ରଥମ ପଦକ୍ଷେପ ସ୍ୱରୂପ ଏୟାର ଇଣ୍ଡିଆର ପରିଚାଳନା କର୍ତ୍ତୃପକ୍ଷ ବିମାନ ମଧ୍ୟରେ କ୍ର୍ୟୁମାନଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟରେ ପରିବର୍ତ୍ତନ କରି ଏଣିକି ସେମାନଙ୍କୁ ବ୍ୟୟବହୁଳ ଗରିଷ୍ଠ ଖାଦ୍ୟ ବଦଳରେ ସ୍ୱତନ୍ତ୍ର ‘ଲୋ-ଫ୍ୟାଟ୍‌’ ଖାଦ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏଣିକି ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ରୁଟ୍‌ରେ ଉଡ଼ାଣ ଭରୁଥିବା ଏୟାର ଇଣ୍ଡିଆର ବିମାନ କ୍ର୍ୟୁମାନଙ୍କୁ ଆଉ ଦାମିକା ଆମିଷ ଖାଦ୍ୟ ପ୍ରଦାନ କରାଯିବ ନାହିଁ। ଏହା ବଦଳରେ ସେମାନଙ୍କୁ କମ୍‌ ମୂଲ୍ୟର ସ୍ୱାସ୍ଥ୍ୟ ଅନୁକୂଳ ନିରାମିଷ ଖାଦ୍ୟ ପ୍ରଦାନ କରାଯିବ। ଏସଂପର୍କରେ ସୂଚନା ପ୍ରଦାନ କରି ଏୟାର ଇଣ୍ଡିଆର ପ୍ରବକ୍ତା ଧନଞ୍ଜୟ କୁମାର କହିଛନ୍ତି ଯେ ବିମାନ କ୍ର୍ୟୁମାନଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି।

ହେଲେ, ଅସଲ କଥା ହେଲା ବିମାନ କ୍ର୍ୟୁମାନଙ୍କୁ ପୂର୍ବରୁ ପ୍ରଦାନ କରା ଯାଉଥିବା ଗୋଟିଏ ଗୋଟିଏ ମିଲ୍‌ର ମୂଲ୍ୟ ୫୦୦ରୁ ୮୦୦ ଟଙ୍କା ମଧ୍ୟରେ ରହୁଥିଲା। ଏବେ ଏହି ଖର୍ଚ୍ଚକୁ ଏକ ତୃତୀୟାଂଶ କମାଇବା ଲକ୍ଷ୍ୟରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏୟାର ଇଣ୍ଡିଆ ଏବେ ଘୋର ଆଥିକ ସଙ୍କଟର ସମ୍ମୁଖୀନ ହେବା ସହ ଏହାର ଋଣ ପରିମାଣ ଆସି ୫୮୦ ବିଲିୟନ ଟଙ୍କାରେ ପହଞ୍ଚିଛି। ଏ ପରିସ୍ଥିତିରେ ଏବେ ଏହାକୁ ବିକ୍ରୟ କରିଦେବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।

By amfnews

Related Post