ମୁମ୍ବାଇ, ଅଗଷ୍ଟ ୨୨ (ଖବର ଓଡ଼ିଶା): କୋଭିଡ-୧୯ କଟକଣା ମଧ୍ୟରେ ଦେଶରେ ଆଜି ଗଣେଶ ପୂଜା ପାଳନ ହେଉଛି । ପୂର୍ବ ବର୍ଷ ତୁଳନାରେ ଯଦିଓ ଗଣେଶ ପୂଜା ନେଇ ସେତେ ଉତ୍ସାହ ନାହିଁ । ତଥାପି ପରଂପରାକୁ ରକ୍ଷା କରି ଅଧିକାଂଶ ସ୍ଥାନରେ ଗଣେଶ ପୂଜାର ଆୟୋଜନ ହେଉଛି । ଏହାରି ମଧ୍ୟରେ ମୁମ୍ବାଇ ତଥା ଦେଶର ପ୍ରସିଦ୍ଧ ସିଦ୍ଧିବିନାୟକଙ୍କ ଠାରେ ଆଜି ଭୋରରୁ ପୂଜକମାନେ ଆରତୀ ଦେଇଛନ୍ତି ।
ମହାରାଷ୍ଟ୍ର ବ୍ୟତୀତ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଗଣେଶ ପୂଜା ସାଧାରଣତଃ ଶିକ୍ଷାନୁଷ୍ଠାନରେ କଟକଣାକୁ ମାନି ହେବ । ଶିକ୍ଷାନୁଷ୍ଠାନରେ ଯଦିଓ ଗଣେଶ ପୂଜାର ଆୟୋଜନ ହେବ, ଏଥିରେ ପିଲାମାନେ ଯୋଗଦେବେ ନାହିଁ । ଓଡ଼ିଶାର ଅଧିକାଂଶ ଜିଲ୍ଲାପାଳ ଗଣେଶ ପୂଜାକୁ କଟକଣା ମଧ୍ୟରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟରେ ହେଉଥିବା ଗଣେଶ ପୂଜାରେ କେବଳ ଶିକ୍ଷକଶିକ୍ଷୟିତ୍ରୀ ଯୋଗଦେଇପାରିବେ । କ୍ଲବ, ସାମାଜିକ ସଂଗଠନ ଓ ସହରର ମୁଖ୍ୟ ସ୍ଥାନଗୁଡ଼ିକରେ ଆୟୋଜନ ହେଉଥିବା ପୂଜାକୁ ବାତିଲ କରି ଦିଆଯାଇଛି ।
କୋଭିଡ-୧୯ କଟକଣା ଯୋଗୁଁ ଏଥର ଘରମାନଙ୍କରେ ପୂଜାର ଆୟୋଜନ ଅଧିକ ଦେଖିବାକୁ ମିଳୁଛି । ଲୋକେ ଛୋଟ ଛୋଟ ମୂର୍ତ୍ତି ନେଇ ଘରେ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । କରୋନା ଯୋଗୁଁ ପୂଜକଙ୍କ ସମସ୍ୟା ଉପୁଜିଥିବାରୁ ଆୟୋଜକମାନେ ଭିଡିଓ କଲିଂ ମାଧ୍ୟମରେ ମଧ୍ୟ ପୂଜାର ଆୟୋଜନ କରୁଥିବା ଦେଖିବାକୁ ମିଳୁଛି ।