Mon. Dec 23rd, 2024

କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ , ୧୪ରେ ଦଣ୍ଡ ଘୋଷଣା

By amfnews Oct 6, 2020 #Featured
260 Views

ନୂଆଦିଲ୍ଲୀ  : କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ଅକ୍ଟୋବର ୧୪ରେ ତାଙ୍କର ଦଣ୍ଡବିଧାନ ଘୋଷଣା କରାଯିବ । ଏହା ସହିତ କୋଇଲା ଦୁର୍ନୀତିରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

୧୯୯୯ ମସିହାରେ ଝାଡ଼ଖଣ୍ଡର ଏକ କୋଲବ୍ଲକର ଆବଣ୍ଟନରେ ଅନିୟମିତତା ହୋଇଥିବା ସ୍ବତନ୍ତ୍ର ବିଚାରପତି ଭରତ ପରାଶର ତାଙ୍କ ରାୟରେ  କହିଛନ୍ତି । ସେତେବେଳେ ଦିଲୀପ କେନ୍ଦ୍ରରେ ଶାସନ କରୁଥିବା ଏନଡିଏ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ । ଏହି ଦୁର୍ନୀତି ମାମଲାରେ ତାଙ୍କର ସଂପୃକ୍ତି ସଂପର୍କରେ ସିବିଆଇ ତଦନ୍ତ କରୁଥିଲା ।

ସୂଚନାଯୋଗ୍ୟ, ୧୯୯୯ରେ ଦିଲୀପ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବାବେଳେ କାଷ୍ଟ୍ରନ ଟେକନଲୋଜିକୁ ଝାଡ଼ଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନ କରାଯାଇଥିଲା । ଏହି ଆବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ସିବିଆଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଦିଲୀପଙ୍କ ସମେତ କୋଇଲା ମନ୍ତ୍ରାଳୟର ତତ୍କାଳୀନ ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ଓଏମସି ଉପଦେଷ୍ଟା (ପ୍ରକଳ୍ପ) ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ ଟେକନଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରଓ୍ବାଲଙ୍କୁ ମଧ୍ୟ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଏ ସମସ୍ତଙ୍କ ବିରୋଧରେ ସିବିଆଇ ତଦନ୍ତ କରି ଆଇପିସିର ଧାରା ୧୨୦-ବି (ଅପରାଧିକ ଷଡଯନ୍ତ୍ର), ଧାରା ୪୨୦ (ପ୍ରତାରଣା) ଏବଂ ଧାରା ୪୦୯ (ବିଶ୍ବାସର ଅପରାଧିକ ଉଲ୍ଲଂଘନ)ରେ ଚାର୍ଜଫ୍ରେମ କରିଥିଲା ।

By amfnews

Related Post