Sun. Mar 8th, 2026

କୋବି କ୍ଷେତରେ ହଳ ବୁଲାଇଲେ ଚାଷୀ

244 Views

ଯାଜପୁରସଦର, ଜାନୁଆରୀ ୨୩  : କୋବିର ଅଭାବୀ ବିକ୍ରି ଯୋଗୁଁ ଚାଷୀ ‌କୋବି ନକାଟି ବିଲରେ ହଳ ବୁଲାଉଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟୁଥିଲେ ମଧ୍ୟ ନା କୃଷି ବିଭାଗ ନା ଜିଲ୍ଲା ପ୍ରଶାସନ କେହି ନଜର ଦେଉ ନଥିବା ଅଭିଯୋଗ ହେଉଛି।

କିଛି ବର୍ଷ ହେଲା ଜିଲ୍ଲାରେ ଚାଷୀ ବାରମ୍ବାର ପ୍ରାକୃ୍ତିକ ବିପର୍ଯ୍ୟୟର ଦାଉ ସହୁଛନ୍ତି। ପୂର୍ବରୁ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଚଳିତ ବର୍ଷ ଜିଲ୍ଲାର ପରିବା ଚାଷୀ ମଧ୍ୟ ଅଭାବୀ ବିକ୍ରିର ସାମ୍ନା କରିଛନ୍ତି। ଯ‌ାହାକି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଚଳିତ ବର୍ଷ ଶୀତଦିନିଆ କୋବି ଚାଷ ପ‌ାଇଁ ପାଗ ଅନୁକୂଳ ଥିବାରୁ ଯାଜପୁର ଜିଲ୍ଲାରେ ବହୁ ଅଞ୍ଚଳରେ ବ୍ୟାପକ ଭାବେ କୋବି ଚାଷ କରାଯାଇଥିଲା। ଏକାସଙ୍ଗେ କୋବି ଅମଳ ଏବଂ ଶୀତଳ ଭଣ୍ଡାର ଅଭାବ ଯୋଗୁ ଅନେକ ସ୍ଥାନରେ କୋବିକୁ ଚାଷୀ ବିଲରୁ ଅମଳ ନକରି ଛାଡି ଦେଇଛି। କୋବି ଚାଷ ପାଇଁ ବାଲିଆ ଓ ନଦୀ କୂଳିଆ ଜମି ସୁହାଉଥିବା ବେଳେ ଜିଲ୍ଲାର ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ ଅବବାହିକା ଅଞ୍ଚଳର ବାରବାଟୀ, ଜେନାପୁର, ନଠୁଆବର, ମାନପୁର, କୋରକରା, ପଣସା, ଆଙ୍କୁଲା, ସାହସପୁର, ବଡସୁଆର, ସାନସୁଆର, ଭଅଁରା, ବୋଦୁଅ, ବାଇଶିରା, ‌ଗୋବିନ୍ଦପୁର, ଏରବାଙ୍କ, ରଘୁନାଥପୁର, ବାଙ୍କ ସାହି ଆଦି ଅଞ୍ଚଳରେ ଭଲ ଫସଲ ହୋଇଥିଲା। ତେବେ ଶହଶହ କୋବି ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚଳିତ ବର୍ଷ ମୂଲ୍ୟ ହ୍ରାସ,ଅଭାବୀ ବିକ୍ରି ଓ ଉପଯୁକ୍ତ ବଜାରର ଅଭାବରୁ ଚାଷୀର ଚାଷ ଲାଭାଂଶ ଉଠାଇବା ଦୂରର କଥା ମୂଳଧନ ସଂଗ୍ରହ କରିପାରିନାହିଁ। ଯାଜପୁର ଜିଲ୍ଲା ପରିବା ଚାଷ ପାଇଁ ପରିଚୟ ପାଇଥିବା ବେଳ ଚଳିତ ବର୍ଷ କୋବିର ଅଭାବୀ ବିକ୍ରି ଚାଷୀଙ୍କ ପାଇଁ କାଳ ହୋଇଛି। ଚାଷୀ କୋବି ଅମଳ କରି ବଜାରକୁ ଆଣିବା ବଦଳରେ ବିଲରେ ଗୋରୁ ଗାଈ ଖାଇବାକୁ ଛାଡି ଦେଇଥିବା ଏରବାରଙ୍କ ଚାଷୀ ବିଭୂତି ବେହେରା,ରଘୁନାଥ ସାହୁ ପ୍ରମୁଖ କହିଛନ୍ତି। ଅନେକ ଚାଷୀ ଋଣକରି କୋବି ଚାଷ କରିଥିବାରୁ କିପରି ଋଣ ପରିଶୋଧ କରିବେ ସେ ନେଇ ଚିନ୍ତାରେ। ଲାଭ ନହେବାରୁ ଚାଷୀମାନେ ଅନ୍ୟ କିଛି ପରିବା ଚାଷ ତରଭୁଜ, କାକୁଡି ପାଇଁ ଜମି ହଳ କରୁଥିବା ଦେଖିବାକୁ ମିଳିଛି।

By amfnews

Related Post