Mon. Nov 25th, 2024

କେନ୍ଦ୍ର ସରକାରଙ୍କ ଇସାରାରେ ସେଲ୍ କର୍ତ୍ତୃପକ୍ଷଙ୍କ ଶ୍ରମିକ ସ୍ୱାର୍ଥ ସହ ଖେଳିବା ଶିଳ୍ପ ସମ୍ପର୍କକୁ ବ୍ୟାହତ କରିବ – ସିଆଇଟିୟୁ

By amfnews Nov 10, 2018 #Featured
74 Views

ରାଉରକେଲା, ୧୦ା୧୧  : ସ୍ଥାନୀୟ ଶ୍ରମିକ ଭବନ ଠାରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେଲ କର୍ତ୍ତୃପକ୍ଷ ଦୀର୍ଘ ଦିନ ଧରି ଏନ୍ଜେସିଏସ୍ ନ ଡାକିବା, ନୂତନ ମଜୁରୀ ଚୁକ୍ତିନାମା ପାଇଁ ଆଲୋଚନା ନ କରିବା ଇସ୍ପାତ ଶ୍ରମିକଙ୍କୁ ଧୈର୍ଯ୍ୟହରା କରିଛି । ଚୁକ୍ତିନାମା ପରେ ମଧ୍ୟ ପେନ୍ସନ କାର୍ଯ୍ୟକାରୀ କରାଯାଉ ନାହିଁ । ଦୁଇ ମାସ ତଳେ ଖୋଦ୍ ଇସ୍ପାତ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ପେନ୍ସନ ସ୍କିମ୍ କାର୍ଯ୍ୟକାରୀ ହେଲା ନାହିଁ ।

ବୋନସ୍ ମିଟିଂ ୩ ତାରିଖରେ କରିବାକୁ ସ୍ଥିର କରି ପୁଣି ପରିବର୍ତ୍ତନ କରି ୪ ତାରିଖରେ କରିବା, ବର୍ତ୍ତମାନ ବହୁ ଦାବି ପରେ ସମସ୍ତ ୟୁନିୟନର ସହମତିରେ ୧୯ ତାରିଖରେ ଉତ୍ପାଦନ ଓ ଉତ୍ପାଦକତା ବୈଠକ ଡକାଯାଇଥିଲା । ଗତ ୭ ତାରିଖ ଦିନ ପ୍ରସ୍ତାବିତ ମିଟିଂ ବାତିଲ୍ ହେବା ସୂଚନା ଦିଆଯାଇଥିଲା । ଏହାକୁ ନେଇ ସିଆଇଟିୟୁ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ପୁଣି ୮ ତାରିଖ ଦିନ ପୁନଃ ଉତ୍ପାଦନ ବୈଠକ ପାଇଁ ଚିଠି ଜାରି କରାଯାଇଛି । କାହା ପ୍ରରୋଚନାରେ ଏଭଳି ପ୍ରକ୍ରିୟା ଚାଲିଛି ବୋଲି ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଦୀର୍ଘ ୪୫ ବର୍ଷର ଏନ୍ଜେସିଏସ୍ ମଧ୍ୟରେ ଏଭଳି ଅସାମାଞ୍ଜସ୍ୟତା କେବେ ଦେଖା ଦେଇନଥିଲା ।

ଏ ପ୍ରକାର ଅବିଶ୍ୱାସ ପ୍ରକ୍ରିୟା ଦ୍ୱାରା ଶ୍ରମିକମାନଙ୍କର ସ୍ୱାର୍ଥ ରକ୍ଷା ସମ୍ଭବ ନୁହେଁ । ପରନ୍ତୁ ଏହାଦ୍ୱାରା ଶ୍ରମିକ ସଙ୍ଗଠନ ଓ କର୍ତ୍ତୃପକ୍ଷଙ୍କ ସହ ଶିଳ୍ପ ସମ୍ପର୍କରେ ବିଶ୍ୱାସ ତୁଟିବ । ଏହାଦ୍ୱାରା ଭବିଷ୍ୟତରେ ଶିଳ୍ପ ବିବାଦ ବୃଦ୍ଧି ପାଇବ । ଏଥିପାଇଁ କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ଇତିମଧ୍ୟରେ ବିଭିନ୍ନ ୟୁନିୟନର ସମ୍ପାଦକମାନେ ଆଇଜିଏଚ୍ର ଦୂରାବସ୍ଥା, ବିଭିନ୍ନ ବିଭାଗରେ ସୁରକ୍ଷାରେ ଅଣଦେଖା, ବିଶେଷ କରି ଠିକା ଶ୍ରମିକମାନେ ଆହତ ହେବା, ସହରାଞ୍ଚଳର ବିକାଶ ତଥା ଏନ୍ଜେସିଏସ୍ ପେନ୍ସନ ସମ୍ପର୍କରେ ଆଲୋଚନା କରିଥିଲେ । ତେଣୁ ଆଗାମୀ ଦିନରେ ଆଇଜିଏଚ୍ରେ ଧାରଣା ଓ ଆନ୍ଦୋଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସାଧାରଣ ସମ୍ପାଦକ ବସନ୍ତ ନାୟକ ସ୍ୱୀକୃତିପ୍ରାପ୍ତ ୟୁନିୟନ ବିଏମ୍ଏସ୍ ଏନ୍ଜେସିଏସ୍ ଦାବିରେ ୧୨ ଦିନ ଧରି ଚଳାଇଥିବା ମୌନ ବିକ୍ଷୋଭକୁ ବହୁ ଶ୍ରମିକ ବିସେଷ ଭାବେ ଯୁବ ଶ୍ରମିକ ସମର୍ଥନ କରିଥିଲେ ବୋଲି ଶ୍ରୀ ନାୟକ କହିଛନ୍ତି । ସରକାର ଏବଂ ମନ୍ତ୍ରୀ ତାଙ୍କର ତେଣୁ ସମସ୍ତ ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରୁ ବୋଲି ଶ୍ରୀ ନାୟକ କହିଛନ୍ତି । ଯୁବ ଶ୍ରମିକମାନଙ୍କୁ ସେମାନଙ୍କ ଉପଯୁକ୍ତ ପଦବୀ, ଅଫିସରଙ୍କ ଭଳି ଦରମା, ପେନ୍ସନ, ନାଲ୍କୋ, ଏନ୍ଟିପିସି ଭଳି ମୂଳଦରମା, ଇନ୍କ୍ରିମେଣ୍ଟ ଇତ୍ୟାଦିକୁ କାର୍ଯ୍ୟକାରୀ କରାଯାଉ ।

ଦୁଇଥର ଶ୍ରମିକମାନେ ଏହି ସଙ୍ଗଠନକୁ ସ୍ୱୀକୃତି ଦେଇଛନ୍ତି । ସରକାର ମଧ୍ୟ ତାଙ୍କର, ଯେତେବେଳେ ଶ୍ରମିକମାନେ ଆନ୍ଦୋଳନ କରନ୍ତି, ସେତେବେଳେ ସିଆଇଟିୟୁ ସେମାନଙ୍କୁ ସମର୍ଥନ କରିଥାଏ । ମିଳିତ ଆନ୍ଦୋଳନ ଦ୍ୱାରା ଶ୍ରମିକମାନେ ଲାଭବାନ ହୋଇଥାନ୍ତି । ରାଉରକେଲାରେ ବଡ ୟୁନିୟନ ଭାବେ ବିଏମ୍ଏସ୍ ଯଦି ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଆନ୍ଦୋଳନ କରୁଛି ତେବେ ସମସ୍ତଙ୍କୁ ସାମିଲ୍ କରୁ । ପରସ୍ପରକୁ ଆକ୍ଷେପ କଲେ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ସମ୍ଭବ ହେବନାହିଁ । ସିଆଇଟିୟୁ ତାର ଶକ୍ତି ଅନୁଯାୟୀ ଆନ୍ଦୋଳନ କରିଛି, ଭବିଷ୍ୟତରେ ମଧ୍ୟ କରିବ ।

ଆଜିତ ବୈଠକରେ ଶ୍ରୀମନ୍ତ ବେହେରା, ରତ୍ନାକର ନାୟକ, ଅଶୋକ ମିଶ୍ର, ଏନ୍.ଏନ୍. ପାଣିଗ୍ରାହୀ, ପି.ସି. ପ୍ରଧାନ, ପ୍ରଦୀପ ସେଠୀ, ୱାଇ. ସାହୁ, କେ.ଏନ୍. ମହାନ୍ତି, ଏମ୍.କେ. ପାଣିଗ୍ରାହୀ, ପର୍ଶୁରାମ ଜେନା, କେ.ସି. ମହାରଣା, ଏନ୍.ସି. ପାତ୍ର, ବିଶ୍ୱଜିତ ରାଉତରାୟ, ୟୁ.ପି. ମୁଖାର୍ଚୀ, କୁଳମଣି ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

By amfnews

Related Post