କଟକ : କେନ୍ଦ୍ରାପଡା ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମସ୍ୟା ଲାଗି ରହିଛି। ଏହି ଜିଲ୍ଲାରେ ‘ନ୍ୟାସନାଲ ରେଜିଷ୍ଟର ଅଫ୍ ଇଣ୍ଡିଆନ୍ ସିଟିଜେନ୍ସ’ ପ୍ରସ୍ତୁତ ନେଇ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଗୃହ ବିଭାଗକୁ ଚିଠି ଲେଖିଛି।
ଗୃହ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଲେଖା ଯାଇଥିବା ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ କମିଟିର ବୈଠକ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ଜୁନ୍ ୨୪ରେ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ଏନ୍ଆର୍ଆଇସି ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି ବୋଲି ସେଥିରେ ମତ ପ୍ରକାଶ ପାଇଥିଲା। ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଆଧାରରେ କେନ୍ଦ୍ର ସରକାରଙ୍କୁ ଅନୁମତି ପ୍ରଦାନ ଲାଗି ଅନୁରୋଧ କରାଯାଉ ବୋଲି ଗୃହ ବିଭାଗକୁ ଲେଖା ଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଇକୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଚିଲିକା ଓ ଭିତରକନିକାରେ ଆର୍ଦ୍ରଭୂମି ସୁରକ୍ଷା ପ୍ରସଂଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଓ ସମସ୍ୟା ସଂପର୍କରେ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଭିତରକନିକା ଜାତୀୟ ଉଦ୍ୟାନ ନିକଟବର୍ତ୍ତୀ ଅଞ୍ଚଳରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ପୂର୍ବରୁ ଆଲୋଚନା କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଦର୍ଶାଇଥିଲେ ଯେ ଏପରି ୧୩୨ଟି ବେଆଇନ ପରିବାରକୁ ଚିହ୍ନଟ କରାଯାଇଛି।
ଅନ୍ୟପକ୍ଷରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ ଉପରେ ବୈଠକରେ ଆମିକସ୍ କ୍ୟୁରି ମୋହିତ ଅଗ୍ରୱାଲ ଗୁରୁତ୍ବାରୋପ କରି ଆସୁଛନ୍ତି। ଏନ୍ଆର୍ଆଇସି ପ୍ରସ୍ତୁତ କରାଗଲେ ଅନୁପ୍ରବେଶକାରୀ ଚିହ୍ନଟ ହୋଇ ପାରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। କିନ୍ତୁ ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ା। ଏହି ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ଗୃହ ବିଭାଗକୁ ଜଙ୍ଗଲ ଓ ପରିବେଶ ବିଭାଗ ଅବଗତ କରିଛି। ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଓ ପ୍ରସ୍ତାବ ସଂପର୍କରେ ହାଇକୋର୍ଟରେ ରିପୋର୍ଟ ଦାଖଲ ହେବ। ଅନ୍ୟପକ୍ଷରେ ହାଇକୋର୍ଟରେ ଆସନ୍ତା ସପ୍ତାହରେ ଏ ସଂପର୍କିତ ମାମଲାର ଶୁଣାଣି ହେବ।