Wed. Dec 25th, 2024

କୃଷକ ଆନ୍ଦୋଳନ: କୃଷି ବିଲ୍ ବିରୋଧରେ ଦେଶବ୍ୟାପୀ ଆଜି ରାଜରାସ୍ତାକୁ ଓହ୍ଲାଇବେ ଚାଷୀ

By amfnews Sep 25, 2020 #Featured
134 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୫ : ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା କୃଷି ବିଲ୍ ବିରୋଧରେ ଚାଷୀଙ୍କ ବିରୋଧ ପ୍ରଦର୍ଶନ ଶୁକ୍ରବାର ଆହୁରି ଉଗ୍ର ରୂପ ଧାରଣ କରିବାର ଆଶଙ୍କା ଦେଖାଯାଇଛି । ବିଭିନ୍ନ ଚାଷୀ ସଂଗଠନ ଶୁକ୍ରବାର ବିଲ୍ ବିରୋଧରେ ଦେଶବ୍ୟାପୀ ବନ୍ଦ ଆହ୍ୱାନ ଡାକରା ଦେଇଛନ୍ତି । ହରିୟାଣା ଓ ପଂଜାବରେ ବିଲ୍‌କୁ ସର୍ବାଧିକ ବିରୋଧ କରାଯାଇଛି । ଏହା ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଚାଷୀ ସଂଗଠନ ସମେତ ରାଜନୈତିକ ଦଳ ମଧ୍ୟ ବିଧେୟକ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବା ଲାଗି କ୍ଷେତ୍ର ପ୍ରସ୍ତୁତି କରିଛନ୍ତି ।

କୃଷି ବିଲକୁ ସର୍ବାଧିକ ହରିୟାଣା ଓ ପଂଜାବରେ ବିରୋଧ ହୋଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶୁକ୍ରବାର ୩୧ଟି ଚାଷୀ ସଂଗଠନ ପଂଜାବକୁ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ସେହିଭଳି ହରିୟାଣାରେ ଭାରତୀୟ କିଷାନ ୟୁନିୟନ ସମତେ ଅନେକ ଚାଷୀ ସଂଗଠନ ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦିର ସିଂହ ମଧ୍ୟ ଚାଷୀଙ୍କୁ ତାଙ୍କର ଲଢ଼େଇରେ ସମର୍ଥନ ଦେବାକୁ ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି ଯେ, ଶୁକ୍ରବାର ରାଜ୍ୟରେ ୧୪୪ ଧାରାର ଉଲ୍ଲଂଘନକୁ ପ୍ରାଥମିକ ତଦନ୍ତ ରିପୋର୍ଟ ଭାବେ ଗ୍ରହଣ କରାଯିବ ନାହିଁ । ସେ କହିଛନ୍ତି ଯେ, ଆନ୍ଦୋଳନ ସମୟରେ ଅସୁବିଧା ନ ହେବା ଲାଗି ଓ ସର୍ବସାଧାରଣ ସଂପତ୍ତି କ୍ଷତି ନ ହେବା ଦରକାର । ହରିୟାଣାରେ ବିକେୟୁ ସମେତ ଅନେକ ଚାଷୀ ସଂଗଠନ ବିଲ୍ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନକୁ ନିଜର ସମର୍ଥନ ଜଣାଇଛନ୍ତି ।

ରାଜ୍ୟ ସରକାର ଅନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିଛନ୍ତି । ରାଜ୍ୟ ଗୃହମନ୍ତ୍ରୀ ଅନିଲ ଭିଜ ଗୃହ ବିଭାଗ ଓ ପୋଲିସ ଅଧିକାରୀଙ୍କ ସହିତ ବୈଠକ ଡାକିଛନ୍ତି । ସେ ଡିଜିପିଙ୍କୁ ଆନ୍ଦୋଳନ ସମୟରେ କୌଣସି ଅପ୍ରୀତିକର ଘଟଣା ନ ଘଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକାଂଶ ଚାଷୀ ନିଜ ଅଂଚଳରେ ରହି ଆନ୍ଦୋଳନ ସହିତ ଜଡ଼ିତ ରହିବାକୁ ଘୋଷଣା କରିଛନ୍ତି ଏବଂ ଦିଲ୍ଲୀ ନଯିବାକୁ ନିଷ୍ପତ୍ତି ନେଇଛନ୍ତି । ତଥାପି ଦିଲ୍ଲୀ ପୋଲିସ ଶୁକ୍ରବାର ଆଲର୍ଟ ରହିଛି । ପୋଲିସ ହରିୟାଣା ସୀମାକୁ ସୀଲ କରିବାକୁ ପ୍ରସ୍ତୁତି କରିଛି ।

By amfnews

Related Post