Sat. Mar 7th, 2026

କୁମ୍ଭମେଳା ପାଇଁ ୮୦୦ ସ୍ୱତନ୍ତ୍ର ଟ୍ରେନ

658 Views

ଭୁବନେଶ୍ବର , ଡିସେମ୍ବର ୧୪ : କୁମ୍ଭମେଳା ସମୟରେ ଅଗଣିତ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଆହ୍ଲାବାଦ ଓ ପ୍ରୟାଗକୁ ଯାତାୟାତ ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପୂର୍ବବର୍ଷଗୁଡ଼ିକ ପରି ଏଥର ମଧ୍ୟ ରେଳବାଇ ପକ୍ଷରୁ ଅତିରିକ୍ତ ଟ୍ରେନ ବ୍ୟବସ୍ଥା, ବୁକିଂ କାଉଣ୍ଟର୍‌, ଯାତ୍ରା ସମୟରେ ରହଣି, ସ୍ୱଚ୍ଛତା, ପାନୀୟଜଳ, ଯାତ୍ରୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଫାଷ୍ଟଏଡ୍‌ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ମେଳା ସମୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ୪୧ଟି ପ୍ରମୁଖ ସ୍ଥାୟୀ ଭିତ୍ତିଭୂମି ବ୍ୟବସ୍ଥା ନିର୍ମାଣ ହୋଇଛି। ୧୦ ହଜାର ଲୋକଙ୍କ ଆଶ୍ରୟ ପାଇଁ ୪ଟି ବଡ ବିଶ୍ରାମ ସ୍ଥଳ ନିର୍ମାଣ କରାଯାଇଥିବାବେଳେ ସେଥିରେ ଦୋକାନ ଘର, ପାଣି ବୁଥ, ଟିକେଟ କାଉଣ୍ଟର୍‌, ଏଲ୍‌ସିଡି ଟିଭି ସହିତ ପୁରୁଷ, ମହିଳା ଓ ଦିବ୍ୟାଙ୍ଗମାନଙ୍କ ପାଇଁ ପୃଥକ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ନୂତନ ପ୍ଲାଟଫର୍ମ, ପାଦଚଲା ପୋଲ, ସୁବେଦାରଗଞ୍ଜକୁ ଟର୍ମିନାଲ ଷ୍ଟେସନ୍‌ରେ ପରିଣତ କରିବା, ପ୍ଲାଟଫର୍ମ ସେଡ୍‌, ପ୍ରୟାଗଘାଟ ଷ୍ଟେସନ୍‌କୁ କୋଚିଂ ଟର୍ମିନାଲ କରାଯାଇ ୫ ଟି ପ୍ଲାଟଫର୍ମ, ୨ ଟି ସଫାଇ ଲାଇନ, ନୂତନ ଷ୍ଟେସନ୍‌ଗୃହ, ପ୍ଲାଟଫର୍ମ ସେଡ୍‌, ୪ଟି ଆର୍‌ଓବି ଓ ରାସ୍ତା ସହିତ ଡ୍ରେନ୍‌ ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

ଆହ୍ଲାବାଦ ଓ ପ୍ରୟାଗଠାରେ ଆୟୋଜିତ ହେବାକୁ ଥିବା କୁମ୍ଭମେଳାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ପ୍ରାୟ ୮୦୦ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ହୋଇଛି। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରୀୟ ରେଳପଥରୁ ୬ଟି ଟୁରିଷ୍ଟ ସ୍ୱତନ୍ତ୍ର ଟ୍ରେନ୍‌ ସହ ପ୍ରବାସୀ ଭାରତୀୟ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ୧୧ଟି ଷ୍ଟେସନ୍‌ଠାରେ ୧୫ ଦିନ ଆଗରୁ ଅଗ୍ରୀମ ଅଣସଂରକ୍ଷିତ ଟିକେଟ ବିକ୍ରୟ ବ୍ୟବସ୍ଥା ହୋଇଛି।
ମୋବାଇଲ ଆପ୍‌ ମାଧ୍ୟମରେ ମଧ୍ୟ ଯାତ୍ରୀମାନେ ଅଣସଂରକ୍ଷିତ ଟିକେଟ ବୁକ କରିପାରିବେ। ‘ରେଳ କୁମ୍ଭ ସେବା ମୋବାଇଲ ଆପ’ ମାଧ୍ୟମରେ ସାଧାରଣ ଓ ତୀର୍ଥଯାତ୍ରୀମାନେ ରେଳବାଇ ସମ୍ବନ୍ଧରେ ସବିଶେଷ ଅନୁସନ୍ଧାନ ଯଥା ଯାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ହୋଟେଲ, ବାସ ଷ୍ଟାଣ୍ଡ, ପାର୍କିଙ୍ଗ ସ୍ଥାନ, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା, ଯାତ୍ରୀ ବିଶ୍ରାମ ସ୍ଥାନ, ଫୁଡ୍‌ ପ୍ଲାଜା, ଏଟିଏମ୍‌, ରେଳବାଇ ଅନୁସନ୍ଧାନ ବିଷୟରେ ଜାଣିପାରିବେ। ଏହାବ୍ୟତୀତ ଅତିରିକ୍ତ ଟିକେଟ୍‌ ବିକ୍ରୟ କେନ୍ଦ୍ର, ନିରାପତ୍ତା ବ୍ୟବସ୍ଥା ଓ ସିସିଟିଭି ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post