Thu. Nov 7th, 2024

କାହିଁକି ବିବାହ କରି ନାହାନ୍ତି ରତନ ଟାଟା, କହିଲେ କାରଣ

By amfnews Jul 22, 2019 #Featured
100 Views

ନୂଆଦିଲ୍ଲୀ : ଦେଶ ବିଦେଶରେ ପ୍ରତିଷ୍ଠିତ କମ୍ପାନୀ ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟା ଦେଶର ସବୁଠାରୁ ଜଣାଶୁଣା ତଥା ପ୍ରତିଷ୍ଠିତ ବ୍ୟବସାୟୀ। ୮୧ ବର୍ଷୀୟ ରତନ ଟାଟା ୧୯୬୨ ମସିହାରେ ଟାଟା କମ୍ପାନୀ ସହ ଯୋଡ଼ି ହୋଇଥିଲେ। ତେବେ ସେ କାହିଁକି ବିବାହ କରି ନାହାନ୍ତି, ସେ ନେଇ ଏକ ହିନ୍ଦୀ ସମ୍ବାଦପତ୍ରକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି। ନିଜ ବ୍ୟକ୍ତିଗତ ଜୀବନ ବାବଦରେ କହିବା ବେଳେ ସେ କହିଛନ୍ତି କେତେଥର ତାଙ୍କର ବିବାହ ହେଉ ହେଉ ଅଟକି ଯାଇଛି।

ଗୋଟିଏ ବିବାହ ପ୍ରସ୍ତାବ କଥା କହିବାକୁ ଯାଇ ରତନ ଟାଟା କହିଛନ୍ତି, ଥରେ ତାଙ୍କ ବିବାହ ହେଉ ହେଉ ରହିଯାଇଥିଲା। ସେତେବେଳେ ସେ ଆମେରିକାରେ ଥିଲେ। ତାଙ୍କ ବାହାଘର ହେବ ବୋଲି କହି ତାଙ୍କ ଜେଜେମା ଫୋନ୍ କରି ଡାକିଥିଲେ। ହେଲେ ସେହି ସମୟରେ ଭାରତ ଏବଂ ଚାଇନା ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ସେ ଆସି ପାରିନଥିଲେ। ପରେ ସେ ଝିଅ ଅନ୍ୟତ୍ର ବିବାହ କରିଥିଲେ ବୋଲି ସେ କହିଛନ୍ତି।  କିନ୍ତୁ ଅଳ୍ପ ଦିନ ପରେ ସେଇ ଝିଅର ସ୍ୱାମୀଙ୍କ ଦେହାନ୍ତ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ ବୋଲି ସେ କହିଛନ୍ତି।

ଏହାର କିଛି ବର୍ଷ ପରେ ସେ ତାଙ୍କ ବମ୍ବେ ହାଉସ ଅଫିସରେ ବସିଥିବା ବେଳେ ଜଣେ ବ୍ୟକ୍ତି ଆସି ତାଙ୍କୁ ଚିଠିଟିଏ ଦେଇଥିଲେ। ଚିଠିଟି ଲେଖିଥିଲେ ପ୍ୟାରିସର ଜଣେ ମହିଳା ଯିଏ ତାଙ୍କୁ ବାହା ହେବାକୁ ଚାହୁଁଥିଲେ। ସେ ପରେ ଜାଣିଲେ ସେ ମହିଳା ବିବାହିତ ଏବଂ ତାଙ୍କର ପିଲାଛୁଆ ବି ଅଛନ୍ତି। ରତନ ଏକଥା ମଧ୍ୟ କହିଛନ୍ତି ଯେ ପରବର୍ତ୍ତୀ ସମୟରେ ସେ ଉକ୍ତ ମହିଳାଙ୍କୁ ଭେଟିଥିଲେ ଓ ଏବେ ସେ ତାଙ୍କର ଜଣେ ଭଲ ବନ୍ଧୁ ହୋଇ ରହିଛନ୍ତି।

ଆଗାମୀ ଦିନରେ ଶ୍ରୀ ଟାଟା କୁକୁରଙ୍କ ପାଇଁ ଗୋଟିଏ ହସ୍ପିଟାଲ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ନଭି ମୁମ୍ୱାଇରେ କାମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ଘରେ କୁକୁର ଥିଲେ ସେ ବହୁତ ଖୁସି ଅନୁଭବ କରନ୍ତି। ଏବେ ସେ ଦୁଇଟି ଜର୍ମାନ ଶେଫାର୍ଡ କୁକୁର ପାଳିଛନ୍ତି ବୋଲି କହିଛନ୍ତି। ଆମେରିକାର କୋଲାବ କ୍ଳବରେ ୨୦ରୁ ଅଧିକ କୁକୁରଙ୍କୁ ସେ ଖାଇବା ପାଇଁ ଦେଉଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଥିଲେ ସେହି କୁକୁରଗୁଡ଼ିକୁ କେହି ବିଷ ଦେଇ ମାରି ଦେଇଛି। ତା ପରେ ସେ ନିଜ ପାଖରେ କୁକୁର ରଖିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିଥିଲେ।

୨୮ ଡିସେମ୍ୱର ୧୯୩୭ରେ ରତନ ଟାଟା ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପାଖରେ ଅନେକ ଧନ ସମ୍ପତ୍ତି ରହିଥିଲେ ମଧ୍ୟ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ସେ ଆସନ୍ତି ନାହିଁ। କାରଣ ସେ ତାଙ୍କ ଉପାର୍ଜିତ ଧନରାଶିର ୬୫ ପ୍ରତିଶତ ଦାନ କରିଦିଅନ୍ତି। ତାଙ୍କ ଦ୍ୱାରା ପରିଚାଳିତ ହେଉଥିବା କମ୍ପୀନୀର ଲାଭ ସେ ସମାଜ ସେବାରେ ବିନିଯୋଗ କରିଥାନ୍ତି।

ରତନ ଟାଟା ନିଜ କ୍ୟାରିଅର ଏକ ବଡ଼ ପଦବୀରୁ ଆରମ୍ଭ କରିପାରିଥାନ୍ତେ। କିନ୍ତୁ ସେ ଏହି ଧାରାରେ ନ ଆସି ସେ ଫ୍ୟାକ୍ଟ୍ରିର ସାଧାରଣ ମଜୁରିଆ ଭାବରେ କାମ ଆରମ୍ଭ କରିଥିଲେ। ସେ ଦିନ ମଜୁରିଆଙ୍କ ଅସୁବିଧା ଓ ସମସ୍ୟା କ’ଣ, ସେକଥା ସେ ଜାଣିବାକୁ ଚେଷ୍ଚା କରୁଥିଲେ ତେଣୁ ମଜୁରିଆ ଭାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି।

By amfnews

Related Post