Sun. May 25th, 2025

‘କାଳିଆ’ ଯୋଜନାରେ ଆକସ୍ମିକ ପାଣ୍ଠି ଖର୍ଚକୁ ନେଇ ରାଜନୀତି

By amfnews Jan 18, 2019 #Featured
211 Views

ଭୁବନେଶ୍ବର, ଜାନୁଆରୀ ୧୮  : ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ କଣ୍ଟିଜେନ୍‌ସି ଫଣ୍ଡ ବା ଆକସ୍ମିକ ପାଣ୍ଠି ଖର୍ଚ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବିରୋଧୀ କଂଗ୍ରେସ ଓ ବିଜେପି ଭୋଟ ପାଇଁ ଏହାକୁ ବିଜେଡିର ନିର୍ବାଚନୀ ଚାଲ୍‌ ବୋଲି ଅଭିଯୋଗ କରିଛନ୍ତି।

ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ନିର୍ବାଚନରେ ଭୋଟ ଗୋଟାଇବା ପାଇଁ ବିଜେଡି ଆକସ୍ମିକ ପାଣ୍ଠିକୁ କାଳିଆ ଯୋଜନାରେ ଖର୍ଚ କରୁଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତିି, ଏହା ସମ୍ବିଧାନ ବିରୋଧୀ। ଉଭୟ କାଳିଆ ଯୋଜନା ଏବଂ ଏଥିପାଇଁ ପାଣ୍ଠିର ଆବଶ୍ୟକତା ନେଇ ରାଜ୍ୟ ସରକାର ଯେଉଁ ଅଧ୍ୟାଦେଶ ଜାରି କରିଛନ୍ତିି, ତାହା ସମ୍ବିଧାନ ବିରୋଧୀ। ନିର୍ବାଚନ ମାତ୍ର ୧୦୦ ଦିନ ବାକି ଥାଇ କୌଣସି ବ୍ୟୟବରାଦ ନ ଥାଇ ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଉଦ୍ଦିଷ୍ଟ ଆକସ୍ମିକ ପାଣ୍ଠି ବିନିଯୋଗ କରିବା ବିଜେଡିର ନିର୍ବାଚନୀ ଚାଲ୍‌ ଦର୍ଶାଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି।

ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତିି, ପୂର୍ବରୁ ଯେତେବେଳେ ସ୍ବଚ୍ଛ ଭାରତ ଯୋଜନା ଉଦ୍ଦେଶ୍ୟ‌େର ଏହି ପାଣ୍ଠିକୁ ୪୦୦ କୋଟିରୁ ୧୪୦୦ କୋଟିକୁ ବୃଦ୍ଧି କରାଗଲା, ସେତେବେଳେ କେହି ଆପତ୍ତି କରିନଥିଲେ। କିନ୍ତୁ ଚାଷୀଙ୍କ ହିତ ପାଇଁ କାଳିଆ ଯୋଜନାରେ ପାଣ୍ଠିରୁ ଅର୍ଥ ଖର୍ଚ ବେଳେ ବିରୋଧୀ ସମାଲୋଚନା କରିବା ତାଙ୍କର ଚାଷୀ ବିରୋଧୀ ମନୋଭାବ ତଥା ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି। ଏହି ପାଣ୍ଠିକୁ ପ୍ରସଙ୍ଗ କରି ଯେଉଁ ଅପପ୍ରଚାର ଓ ଭୁଲ ବିବୃତି ଉଭୟ ବିଜେପି ଓ କଂଗ୍ରେସ ରଖୁଛନ୍ତି ତାହା ସେମାନଙ୍କ ହତାଶ ମନୋଭାବର ପରିଚୟ ବୋଲି ସେ କହିଛନ୍ତିି।

By amfnews

Related Post