Sun. Mar 8th, 2026

କାର୍‌ରୁ ଜବତ ହେଲା ବ୍ରାଉନ୍‌ ସୁଗାର, ୨ ଗିରଫ

400 Views

ଖଣ୍ଡଗିରି, ଜାନୁଆରୀ ୨୦ : ପୁଣି ଧରାପଡ଼ିଲେ ଦୁଇ ବ୍ରାଉନ୍ ସୁଗାର ବେପାରୀ। ସେମାନେ ହେଲେ, ଏୟାର୍‌ ଫିଲ୍‌ଡ ଥାନା ଭୀମପୁରର ପ୍ଳଟ ନମ୍ବର-୧୯ରେ ରହୁଥିବା ଅସିମ୍ କୁମାର ସାହୁ(୨୧) ଓ ଓୟୁଏଟି ଛାତ୍ରାବାସ-୯ ନିକଟ କ୍ବାଟର୍ସ ନମ୍ବର ଆଇଭି-୧ରେ ରହୁଥିବା ଶୁଭ୍ରଜ୍ୟୋତି ମହାନ୍ତି(୨୩)। ପୁଲିସ ସେମାନଙ୍କଠାରୁ ୧୮ ଗ୍ରାମ୍ ବ୍ରାଉନ୍ ସୁଗାର(ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା), ନଗଦ ୨୭ଶହ ଟଙ୍କା ଓ ଗୋଟିଏ ଆଇ-୨୦ କାର୍‌(ଓଡି୦୨ଏୱାଇ-୪୯୧୫) ଜବତ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ, ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ବରମୁଣ୍ଡା ଆପିକଲ୍ ରାସ୍ତାରେ ଦୁଇ ଜଣ ବ୍ରାଉନ୍‌ସୁଗାର କାରବାର ଚଳାଇଥିବା ଖବର ପାଇ କୁଇକ୍ ଆକ୍ସନ ଟିମ୍ ଖଣ୍ଡଗିରି ଥାନା ପୁଲିସକୁ ଜଣାଇଥିଲା।

ପରେ ପରେ କୁଇକ୍ ଆକ୍ସନ୍ ଟିମ୍ ଓ ଖଣ୍ଡଗିରି ଥାନା ପୁଲିସ ଆପିକଲ୍‌ ରାସ୍ତାର ଦୁଇ ପଟୁ ଘେରି ଯାଇଥିଲେ। ସେତେବେଳକୁ ଠିକ୍ ସେହି ରାସ୍ତାର ବରମୁଣ୍ଡା କ୍ଲବ ନିକଟରେ ଏକ ନୀଳ ରଙ୍ଗର ଆଇ-୨୦ କାର୍‌କୁ ଘେରି କିଛି ଯୁବକ ଠିଆ ହୋଇଥିଲେ। ପୁଲିସ ଗାଡ଼ି ଦେଖି ବାହାରେ ଠିଆ ହୋଇଥିବା ଯୁବକମାନେ ଏଣେତେଣେ ଦୌଡ଼ି ଘଟଣାସ୍ଥଳରୁ ପାର୍ ହୋଇ ଯାଇଥିଲେ। କିନ୍ତୁ ଶୁଭ୍ରଜ୍ୟୋତି ଓ ଅସିମ୍ ଖସିବାକୁ ବାଟ ପାଇନଥିଲେ। ପୁଲିସ ସେମାନଙ୍କୁ ଯାଞ୍ଚ କଲା ପରେ ଅସିମ୍‌ଠାରୁ ୨୭ଶହ ଟଙ୍କା ସହ ୮ ଗ୍ରାମ୍ ଓ ଶୁଭ୍ରଜ୍ୟୋତିଠାରୁ ୧୦ ଗ୍ରାମ୍ ବ୍ରାଉନ୍ ସୁଗାର ମିଳିଥିଲା।

ଦୌଡ଼ି ପଳାଇଥିବା ଯୁବକମାନେ ଏହି ବିଷର ଗ୍ରାହକ ଥିଲେ। ସେମାନଙ୍କ ମଧ୍ୟରୁ କିଛି ଯୁବକ କିଣି ସାରିଥିଲେ। ସୂଚନାଯୋଗ୍ୟ ଯେ ଏହି ଦୁଇଜଣ ଦୀର୍ଘଦିନ ଧରି ବରମୁଣ୍ଡା ଅଞ୍ଚଳରେ ବ୍ରାଉନ୍ସୁଗାର କାରବାର କରୁଥିଲେ। ସ୍ଥାନୀୟ ଅଞ୍ଚଳରେ ମେସ୍ କରି ରହୁଥିବା ବହୁ ଇଂଜିନିୟରିଂ ଛାତ୍ର ଏମାନଙ୍କ ଗ୍ରାହକ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ ୧୦ତା‌ରିଖରେ ଭୁବନେଶ୍ବର ଅବକାରୀ ବିଭାଗ ଖଣ୍ଡଗିରି କୋଳଥିଆ ଛକରୁ ସାଲିଆ ସାହିର ଦେବାଶିଷ ପାତ୍ର ଓ ନୂଆପଲ୍ଲୀ ଅଞ୍ଚଳର ଲିଲୁ ପ୍ରଧାନକୁ ଗିରଫ କରିଥିଲା। ସେମାନଙ୍କଠାରୁ ୧୧ ଗ୍ରାମ୍‌ ବ୍ରାଉନ୍ ସୁଗାର ଜବତ କରାଯାଇଥିଲା।

By amfnews

Related Post