କାବୁଲ, ନଭେମ୍ବର ୨୧ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ମଙ୍ଗଳବାର ଏକ ଆତ୍ମଘାତୀ ବିସ୍ଫୋରଣରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୩ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ବହୁ ସଂଖ୍ୟାରେ ମୌଲବୀମାନେ ଏକାଠି ଥିବା ବେଳେ ଦୁର୍ବୃତ୍ତମାନେ ଟାର୍ଗେଟ କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି, ବିସ୍ଫୋରଣରେ ୮୩ ଜଣ ଲୋକ ଆହତ ହୋଇଛନ୍ତି । ଏଥରୁ ଗୁରୁତର ସଂଖ୍ୟ ହେଉଛନ୍ତି ୨୦ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଆକ୍ରମଣକୁ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି । କାବୁଲ ପୋଲିସ ମୁଖପାତ୍ର ବସୀର ମୁଜାହିଦ କହିଛନ୍ତି, ଆକ୍ରମଣର ଶିକାର ହୋଇଛନ୍ତି ଧାର୍ମିକ ପଣ୍ଡିତ, ଯେଉଁମାନେ କି ପୈଗମ୍ବର ମହମ୍ମଦଙ୍କ ଜନ୍ମଦିନ ପାଳନ ପାଇଁ ଏକତ୍ର ହୋଇଥିଲେ । ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଗନି ବିସ୍ଫୋରଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସେହିଭଳି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରି ପୀଡ଼ିତ ପରିବାର ପ୍ରତି ସମ୍ବେଦନା ଜଣାଇଛନ୍ତି ।