Sat. Mar 7th, 2026

କାବୁଲରେ ଅଜ୍ଞାତ ଆତତାୟୀଙ୍କ ଗୁଳିରେ ମହିଳା ସାମ୍ବାଦିକା ମୃତ

228 Views

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜି ପୂର୍ବାହ୍ନରେ କେତେକ ଅଜ୍ଞାତ ଆତତାୟୀ ଜଣେ ମହିଳା ସାମ୍ବାଦିକାଙ୍କୁ ସ୍ପଷ୍ଟ ଦିବାଲୋକରେ ବିଚ୍‌ରାସ୍ତା ଉପରେ ଗୁଳି କରି ହତ୍ୟା କରିଛନ୍ତି। ଅଜ୍ଞାତ ଆତତାୟୀର ଗୁଳି ଚୋଟରେ ପ୍ରାଣ ହରାଇଥିବା ମହିଳା ସାମ୍ବାଦିକାଙ୍କ ନାମ ମୀନା ମଙ୍ଗଲ। ସେ ଏକ ସ୍ଥାନୀୟ ଟିଭି ଚ୍ୟାନେଲରେ ଉପସ୍ଥାପିକା ଭାବେ କାର୍ଯ୍ୟ କରିବା ସହ ଆଫଗାନିସ୍ତାନ ପାର୍ଲିଆମେଣ୍ଟର ସାଂସ୍କୃତିକ ଉପଦେଷ୍ଟା ଥିଲେ।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ମୀନା ମଙ୍ଗଲ କେତେକ କାର୍ଯ୍ୟରେ ପୂର୍ବ କାବୂଲ ଅଞ୍ଚଳକୁ ଯାଇଥିବା ବେଳେ ହଠାତ କେତେକ ଅଜ୍ଞାତ ଆତତାୟୀ ଆସି ତାଙ୍କ ସମ୍ମୁଖରେ ପହଞ୍ଚି ଯିବା ସହ ବନ୍ଧୁକ ବାହର କରି ତାଙ୍କ ଉପରକୁ ଅନ୍ଧାଧୁନ୍ଧ ଗୁଳି ଚଳାଇଥିଲେ। ଆତତାୟୀଙ୍କ ଗୁଳିଚୋଟରେ ମୀନା ସେଇଠାରେ ହିଁ ଟଳି ପଡ଼ିବା ପରେ ଅଜ୍ଞାତ ଆତତାୟୀମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଘଟଣାରେ ସଂପୃକ୍ତ କୌଣସି ଅଜ୍ଞାତ ଆତତାୟୀକୁ ଅଦ୍ୟାବଧି ଗିରଫ କରିବାରେ ସମର୍ଥ ହୋଇପାରି ନାହିଁ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନରେ ଅଜ୍ଞାତ ଆତତାୟୀମାନେ ୧୫ ଜଣ ସାମ୍ବାଦିକଙ୍କୁ ହତ୍ୟା କରି ସାରିଲେଣି।

By amfnews

Related Post