Wed. Dec 25th, 2024

-କାନ ଖୁଲ କର ଶୁନ ସରକାର- ଧର୍ମଶାଳାର ରଙ୍ଗଲତାର ଦଃୁଖ ନେଇ ଯାଜପୁର ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ଫଳଶୂନ

mailmesudhansu@yahoo.com' By Sudhansu Biswal Jun 13, 2018 #Featured
306 Views

ଯାଜପୁର,୨୧/୫(ସ୍ୱ.ପ୍ର) ବାପା ମାଁ ଅତି ଶ୍ରଦ୍ଧାରେ ନାଁ ଦେଇଥିଲେ ରଙ୍ଗଲତା । ହେଲେ ଦଇବର ଦାଉ ଜୀବନର ସବୁ ରଙ୍ଗକୁ ଧୋଇଦେଲା । ଇଏ ହେଉଛନ୍ତି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଂଚାୟତ ବିଛାଖଣ୍ଡୀ ଗାଁର ସ୍ୱର୍ଗତ ଘନଶ୍ୟାମ ଦେଉରୀଙ୍କ ପତ୍ନୀ ରଙ୍ଗଲତା । ବୟସ ତାଙ୍କୁ ୬୦ । ରହିବାକୁ ଘର ନାହିଁ । ପୋଷିବାକୁ ପାଖରେ ପୁଅ କି ଝିଅ କିମ୍ବା ଉତରାଧିକାରୀ କେହି ନାହିଁ । ଦୀର୍ଘଦିନରୁ ସ୍ୱାମୀ ଆଖି ବୁଜିଲେଣି । ଭୁଇଁରେ ଗାର ଦେବାକୁ ଜମି ବି ନାହିଁ । ସରକାର ଘୋଷଣା କରିଛନ୍ତି ଭୂମିହୀନଙ୍କୁ ମିଳିବ ଘରଢିହ । ହେଲେ ରଙ୍ଗଲତାଙ୍କ ପାଇଁ ଏହା ସାତସପନ । ବିଛାଖଣ୍ଡୀରେ ଥିବା ପାହାଡ ପର୍ବତରୁ ଦୈନିକ କୁଆଡେ ବହୁଲକ୍ଷ ଟଙ୍କାର କଳାପଥର ଲୁଟ ହେଉଛି । ଏହି କାରବାରରେ ରକ୍ଷକ ହୋଇ ଭକ୍ଷକ ସାଜିବାର ମସୁଧାରେ ବ୍ୟସ୍ତ ଥିବା ରାଜସ୍ୱ ବିଭାଗର ଅଧିକାରୀ, ପ୍ରଶାସନ, ରାଜନେତାଙ୍କ ପାଇଁ ରଙ୍ଗଲତା ପରି ଦଃୁଖୀଙ୍କ ଦଃୁଖ ବୁଝିବାକୁ ବେଳ ବା କାହିଁ । ସେଥିପାଇଁ ରଙ୍ଗଲତାଙ୍କୁ ଘରଢିହ ଖଣ୍ଡିଏ ମିଳି ପାରୁନାହିଁ । ରହିବାକୁ ଘର ନଥିବାରୁ ଗାଁ ଲୋକେ ରାସ୍ତା କଡରେ ଗୋଟିଏ ଭଙ୍ଗା କୁଡିଆ ତୋଳିଛନ୍ତି । ତାକୁ ଛାଆଣି କରିବାକୁ ବି ରଙ୍ଗଲତାଙ୍କ ହାତରେ ଯୁ ନାହିଁ । ସରକାରୀ କଳ ଓ ଜନପ୍ରତିନିଧି ସିନା ନିଷ୍ଠୁର, ହେଲେ ଗ୍ରାମବାସୀଙ୍କ ମଣିଷ ପଣିଆ ରଙ୍ଗଲତାଙ୍କ ପାଇଁ ଜାଗ୍ରତ ହେଇଛି । ପଡିଶା ଲୋକେ ଏକାଠି ହୋଇ ରଙ୍ଗଲତାଙ୍କ ଘରଟିକୁ ଛାଆଣି କରିଛନ୍ତି । ହେଲେ ଘର ଭିତରେ ଶାପ ବେଙ୍ଗଙ୍କ ରାଜୁତି କହିଲେ ନସରେ । ବର୍ଷା ଅସଳାଏ ହେଲେ ଘର ଭିତରେ ପାଣି ଚାଲେ । ରଙ୍ଗ ଶୁଅନ୍ତି ଗାଁ ଲୋକଙ୍କ ଘରେ । କୋଠାଘର ଥିବା ଥିଲାବାଲା ଲୋକେ ବହୁ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଥିବାର ଦୃଷ୍ଟାନ୍ତର ଅଭାବ ନାହିଁ । ହେଲେ ରଙ୍ଗଲତାଙ୍କ ଦଃୁଖ ସରକାରଙ୍କ କାନକୁ ଶୁଭୁନାହିଁ । ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗରୀବ, ଅସହାୟ ଓ ଦଃୁସ୍ଥଲୋକଙ୍କ ଦଃୁଖକୁ ପ୍ରତିଟି କ୍ଷେତ୍ରରେ ଗୁରୁତ୍ୱ ଦେଇଛନ୍ତି । ହେଲେ ଧର୍ମଶାଳାରେ ରଙ୍ଗଲତାଙ୍କ ପରି ଅସହାୟଙ୍କ ଦଃୁଖ ନାଲିଫିତା ତଳେ ଚାପି ହୋଇଯାଉଛି । ଶୁକ୍ରବାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ଯାଇଥିବା ଏକ ପ୍ରତିନିଧି ଦଳ ରଙ୍ଗଲତାଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ଘରଢିହ ଓ ଗୃହ ପ୍ରଦାନ କରିବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିନେଇ ଯାଜପୁର ଜିଲ୍ଲାପାଳଙ୍କୁ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଛି । ତେବେ ଦଃୁଖ ପରେ ଦଃୁଖ ସହି ରଙ୍ଗ ସତେ ନିର୍ବାକ ହୋଇ ଯାଇଛି । ସରକାରୀ କଳ ଉପରେ ତାର ଭରସା ତୁଟି ଯାଇଛି । ସତକୁ ସତ ରଙ୍ଗଲତାର ଦଃୁଖ ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ଯାଜପୁର ଜିଲ୍ଲାପାଳ ଏଥିନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାର ୧ ମାସ ବିତିଲା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଏବଂ ଏହାର ଫଳଶୂନ । ଗରୀବଙ୍କ ସ୍ୱାର୍ଥରକ୍ଷା ପାଇଁ ଯତ୍ନବାନ ଥିବା ନବୀନ ପଟ୍ଟନାୟକଙ୍କ ସରକାରରେ ଜିଲ୍ଲାପାଳଙ୍କ ଠାରୁ ବି.ଡି.ଓଙ୍କ ପର୍ଯ୍ୟନ୍ତ ସରକାରର ଲକ୍ଷ ଓ ଆଦର୍ଶକୁ କାର୍ଯ୍ୟକାରୀ କରିବାକୁ କେତେ ଯତ୍ନବାନ ଏହା ତାହାର ଏକ ନମୁନା ।

(ରିପୋର୍ଟ ଓ ଫଟୋ-ମାନସ ରଂଜନ ବିଶ୍ୱାଳ,amfnews)

Related Post