Sat. Mar 7th, 2026

କଳାହାଣ୍ଡିରେ ବନ୍ୟା ପରିସ୍ଥିତି, ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ

287 Views

ଭବାନୀପାଟଣା : ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ବର୍ଷା ପାଣି ରାସ୍ତା ଧୋଇ ନେବାରୁ ଜିଲ୍ଲାର ବହୁ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହେବାରେ ଲାଗିଛି। କଳାହାଣ୍ଡି ଜିଲ୍ଲା ପାଣିପାଗ ବିଭାଗର ରେଡ୍‌ ୱାର୍ଣ୍ଣିଂ ଜୋନରେ ଥିବାରୁ ଆହୁରି ବର୍ଷା ବଢ଼ିବାର ସମ୍ଭାବନା ରହିଛି।

ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଥୁଆମୂଳ ରାମପୁର ବ୍ଲକର ୫୨ଟି ଗାଁ ଓ ଲାଞ୍ଜିଗଡ଼ ବ୍ଲକର ୨୧୨ଟି ଗାଁ ପ୍ରଭାବିତ ହୋଇଛି। ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍‌ ଖୋଲା ଯାଇଥିବା ବେଳେ ମଙ୍ଗଲପୁର ବ୍ୟାରେଜରେ ୧୩୪ କ୍ୟୁମେକ୍ସ ବନ୍ୟାଜଳ ଛଡ଼ାଯାଇଛି। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀମାନଙ୍କ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାଧରି ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ସକାଳ ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ ହାରାହାରି ୧୦୯.୪ ମିମି ବର୍ଷା ରେକର୍ଡ଼ ହୋଇଛି। ଲାଞ୍ଜିଗଡ଼ରେ ସର୍ବାଧିକ ୩୮୨.୬ ମିମି ବର୍ଷା ହୋଇଥିବାବେଳେ ଭବାନୀପାଟଣାରେ ୬୫ ମିମି, କେସିଙ୍ଗାରେ ୫୫, କର୍ଲାମୁଣ୍ଡାରେ ୮୭, ମଦନପୁର ରାମପୁରରେ ୧୬୭, ନର୍ଲାରେ ୧୧୦, , ଥୁଆମୂଳ ରାମପୁରରେ ୨୦, ଧର୍ମଗଡ଼ରେ ୨୦.୨, ଜୁନାଗଡ଼ରେ ୪୨, କଲମପୁରରେ ୧୦୭.୩, ଜୟପାଟଣାରେ ୧୩୫, କୋକସରାରେ ୩୭.୭, ଗୋଲାମୁଣ୍ଡା ବ୍ଲକରେ ୧୪.୬ ମିମି ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ୩ଟି ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବ୍ଲକ ମଧ୍ୟରେ ଲାଞ୍ଜିଗଡ଼ ରହିଛି। ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର କେରପାଇ, ସିଲେଟ, ନାକରୁଣ୍ଡି, ତଲଝାପି, କିଆପଦର ପଞ୍ଚାୟତର ୬୨ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ୬୭ଟି ଘର ଆଂଶିକ ଭାବେ ଭାଙ୍ଗିଛି। କାଚଲେଖାଠାରୁ କେରପାଇ ରାସ୍ତା ଓ ସାଇସୁରନିଠାରୁ ନାକରୁଣ୍ଡି ରାସ୍ତା ବର୍ଷା ଯୋଗୁଁ ବିଚ୍ଛିନ୍ନ ହୋଇଛି। ଲାଞ୍ଜିଗଡ଼ ବ୍ଲକ୍‌ର ମାଲିଯୁବାଙ୍ଗ, କାନକୁଟ୍ରୁ, ଲାଞ୍ଜିଗଡ଼ ରୋଡ, ଲାଞ୍ଜି, ଭୁର୍ତ୍ତିଗଡ଼, ଚମ୍ପାଦେଇପୁର, ଲାଞ୍ଜିଗଡ, ଛତ୍ରପୁର, ବିଶ୍ବନାଥପୁର, କମର୍ଦ୍ଧା, ବାତେରଲିମା ସମେତ ୧୧ଟି ପଞ୍ଚାୟତର ୨୧୨ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ସେହିଭଳି ୩୧୩ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ଜଣାପଡ଼ିଛି।

By amfnews

Related Post