Sun. Mar 8th, 2026

କଳାହାଣ୍ଡିରେ ଆଉ ଜଣେ କରୋନା ପଜିଟିଭ୍

229 Views

ଧର୍ମଗଡ଼ : ଗତକାଲି ବିଳମ୍ବିତ ରାତିରେ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଳାହାଣ୍ଡିରେ ଜଣେ ବ୍ୟକ୍ତି ଅଛନ୍ତି। ଏହା ସହିତ କଳାହାଣ୍ଡି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୨ରେ ପହଞ୍ଚିଛି। ଗତକାଲି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମ ଆକ୍ରାନ୍ତଙ୍କ ସହିତ ମିଶି ସେ କ୍ରିକେଟ୍ ଖେଳିଥିଲେ ବୋଲି କଳାହାଣ୍ଡି ଜିଲ୍ଲାପାଳଙ୍କ ସୂତ୍ରରୁ ସୂଚନା ଆସିଛି। ପ୍ରଥମ କରୋନା ଚିହ୍ନଟଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ସେ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଉ ନମୁନା ପରୀକ୍ଷା ପରେ ଗତକାଲି ରିପୋର୍ଟ ପଜିଟିଭ୍ ଆସିଥିଲା। ଆଜି ତାଙ୍କୁ କଟକର ଅଶ୍ୱୀନ ହସ୍‌ପିଟାଲ୍‌ ପଠାଯିବ ବୋଲି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରୀ ଜଗୁ ଅଗ୍ରୱାଲ୍ ସୂଚନା ଦେଇଛନ୍ତି। ଏହା ସହିତ ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଖୋଜା ଯାଉଛି।

କଳାହାଣ୍ଡି ଜିଲ୍ଲାରେ ଏପ୍ରିଲ୍‌ ୪ ତାରିଖରେ ପ୍ରଥମ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରେ ତା’ପର ଦିନ ତାଙ୍କ ଗାଁକୁ ସିଲ୍ କରାଯାଇଥିଲା। ନିକଟରେ ସେ ବାହରିନ୍‌ରୁ ଫେରିଥିବା ବେଳେ ତାଙ୍କ ସଂସ୍ପର୍ଶରେ ୩୧ ଜଣ ଆସିଥିଲେ। ତାଙ୍କୁ କୋଭିଡ୍ ହସ୍‌ପିଟାଲ୍‌କୁ ପଠାଯିବା ସହିତ ଅନ୍ୟମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା।

ସୂଚନାଯୋଗ୍ୟ, ଗତକାଲି ମୋଟ ୬ଟି ପଜିଟିଭ୍ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୪୫ ଜଣଙ୍କର ଚିକିତ୍ସା ଚାଲିଛି।

By amfnews

Related Post