Mon. Jun 9th, 2025

କର୍ତ୍ତାରପୁର ପାଇଁ ଚୁକ୍ତି ସ୍ୱାକ୍ଷରିତ କଲେ ଭାରତ ଓ ପାକ

By amfnews Oct 24, 2019 #Featured
286 Views

ନୂଆଦିଲ୍ଲୀ: ଶେଷରେ ଭାରତ ଓ ପାକିସ୍ତାନ ମିଳିତ ଭାବେ କର୍ତ୍ତାରପୁର ଅପରେସନ ପାଇଁ ଆଜି ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଜିରୋ ଲାଇନ୍‌ ଅଞ୍ଚଳରେ ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିର ଅର୍ଥ ଶିଖ ଶ୍ରଦ୍ଧାଳୁମାନେ ପାକିସ୍ତାନରେ ଥିବା ଦରବାର ସାହିବ ଗୁରୁଦ୍ୱାରକୁ ଯାଇ ପାରିବେ।

ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ ପାକିସ୍ତାନ ପ୍ରବେଶ ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ଭାରତ ସରକାର ବିରୋଧ କରିଥିଲେ। ତଥାପି ପାକିସ୍ତାନ ସରକାର ନିଜ ଜିଦ୍‌ରେ ଅଟଳ ରହିବାରୁ ଭାରତ ସରକାର ଶିଖ ଶ୍ରଦ୍ଧାଳୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି।

ଏହି ଚୁକ୍ତି ଦ୍ୱାରା କର୍ତ୍ତାରପୁର କରିଡରକୁ ନେଇ ଲାଗି ରହିଥିବା ଅନିଶ୍ଚିତାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହି କରିଡର ଦ୍ୱାରା ଶ୍ରଦ୍ଧାଳୁମାନେ ପଞ୍ଜାବରେ ଥିବା ଡେରା ବାବା ନାନକ ଧର୍ମପୀଠରୁ କର୍ତ୍ତାରପୁରରେ ଥିବା ଦରବାର ସାହିବ ଗୁରୁଦ୍ୱାରକୁ ଗସ୍ତ କରିପାରିବେ। ନଭେମ୍ବର ୯ରେ ଏହି କରିଡର ଉଦ୍‌ଘାଟିତ ହେବ।

ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନ କୌଣସି ଭିସା ନିୟମ ଲାଗୁ କରିବ ନାହିଁ। ଏଥିସହ ଭାରତ ସରକାରଙ୍କ ସମସ୍ତ ସର୍ତ୍ତରେ ପାକିସ୍ତାନ ରାଜି ହୋଇଥିଲେ ହେଁ ପ୍ରବେଶ ଫି’ ଆଦାୟ ଜିଦରେ ଅଟଳ ରହିଥିଲା। ଭାରତରୁ ଯାଉଥିବା ପ୍ରତି ଶ୍ରଦ୍ଧାଳୁଙ୍କ ଠାରୁ ପାକିସ୍ତାନ ୨୦ ଡଲାର ଲେଖାଏ ଆଦାୟ କରିବ।

By amfnews

Related Post