Sat. Mar 7th, 2026

କରୋନା ସନ୍ଦେହରୁ ମୁକ୍ତ ହେଲେ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ସମେତ ଓଡ଼ିଶାର ୫ ସନ୍ଦିଗ୍ଧ

187 Views

କଟକ : କନ୍ଧମାଳର ବାସିନ୍ଦା କରୋନା ସନ୍ଦିଗ୍ଧ ଚୀନ୍‌ ଫେରନ୍ତା ଡାକ୍ତରୀ ଛାତ୍ର କରୋନା ଭାଇରସ୍‌ ଆକ୍ରାନ୍ତ ନୁହଁନ୍ତି ବୋଲି ଜଣାଯାଇଛି। ଏନେଇ ମେଡିକାଲ୍ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦେଶକ ଡାକ୍ତର ସି ବି କେ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ଉକ୍ତ ଡାକ୍ତରୀ ଛାତ୍ରଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଏବେ ସେହି ଡାକ୍ତରୀ ଛାତ୍ରଜଣକ କରୋନା ସନ୍ଦେହରୁ ମୁକ୍ତ ଥିବା କହିଛନ୍ତି ଡାକ୍ତର ସିବିକେ ମହାନ୍ତି।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଓଡ଼ିଶାରୁ ଯେଉଁ ଛଅଜଣ କରୋନା ସନ୍ଦିଗ୍ଧଙ୍କର ସ୍ବାସ୍ଥ୍ୟ ପରୀକ୍ଷଣର ରିପୋର୍ଟ ପୁନେକୁ ପଠାଯାଇଥିଲା, ସେଥିମଧ୍ୟରୁ ୫ଜଣଙ୍କର ରିପୋର୍ଟ ହସ୍ତଗତ ହୋଇଛି। ଏମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଫୁଲବାଣୀର ଡାକ୍ତରୀ ଛାତ୍ର ମୃତ୍ୟୁଞ୍ଜୟ ମୁନି(୨୨) ଚୀନରେ ଏମବିବିଏସ୍ ପଢ଼ୁଥିଲେ । ସେ ଚୀନରୁ ଅସୁସ୍ଥ ହୋଇ ଗତ ମାସ ୧୧ ତାରିଖରେ ଫୁଲବାଣୀ ଫେରିଥିଲେ। ତେବେ ଘରକୁ ଫେରିବା ଦିନଠାରୁ ତାଙ୍କୁ କାଶ, ଥଣ୍ଡା ଛାଡ଼ୁ ନ ଥିବାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଘରଲୋକେ ସନ୍ଦେହ କରିଥିଲେ । ଏ ନେଇ ମୃତ୍ୟୁଞ୍ଜୟ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ରକ୍ତ ପରୀକ୍ଷା କରିବାକୁ ନିବେଦନ କରିଥିଲେ।

ଏହି ଖବର ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ କରୋନା ଭାଇରସ୍‌କୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଥିଲା। ଏହାପରେ ମୃତ୍ୟୁଞ୍ଜୟଙ୍କୁ ପରୀକ୍ଷା ପାଇଁ କଟକର ଏସ୍‌ସିବି ମେଡିକାଲକୁ ଅଣାଯାଇଥିଲା।

By amfnews

Related Post