Sat. Mar 7th, 2026

କରୋନା କାଳରେ ଜିଏସଟି ପୈଠ କ୍ଷେତ୍ରରେ ଓଡିଶା ପ୍ରଥମ, ୭୫ ପ୍ରତିଶତ ଜିଏସଟି ରିଟର୍ଣ୍ଣ ଫାଇଲ

302 Views

ଭୁବନେଶ୍ବର, ଡିସେମ୍ବର ୦୬ : କରୋନାର ମହାମାରୀ ସମୟରେ ଓଡ଼ିଶା ଦେଶରେ ଜିଏସଟି ରିଟର୍ଣ୍ଣ ଫାଇଲରେ ପ୍ରଥମ ସ୍ଥାନରେ ରହିଛି । ଚଳିତମାସ ଏପ୍ରିଲ ପହିଲାରୁ ନଭେମ୍ବର ସୁଦ୍ଧା ଓଡ଼ିଶା ସରକାରଙ୍କ ପକ୍ଷରୁ ୭୫ ପ୍ରତିଶତ ଜିଏସଟି ରିଟର୍ଣ୍ଣ ଫାଇଲ ହୋଇସାରିଛି। ଆଗାମୀ ୪ମାସ ମଧ୍ୟରେ ଏହି ହାର କିଭଳି ୯୨ ପ୍ରତିଶତରୁ ଊର୍ଦ୍ଧ୍ବ ହେବ ସେନେଇ ଗୁରୁତ୍ବ ଦେବାକୁ ଅର୍ଥବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କ ଅର୍ଥବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ମୀନାଙ୍କ ଅଧ୍ୟକ୍ଷତାରେ ଜିଏସଟି ରିଟର୍ଣ୍ଣ ଫାଇଲ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ପାଇଁ ରାଜ୍ୟରେ ଆର୍ଥିକ ମାନ୍ଦାବସ୍ଥା ଭିତରକୁ ଚାଲି ଯାଇଥିବାବେଳେ ଏବେ କିଭଳି ସ୍ଥିତିକୁ ପରିବର୍ତ୍ତନ କରାଯିବ ସେନେଇ ବିଭିନ୍ନ ଆଲୋଚନା ହୋଇଛି ।

ଜିଏସଟି ଆଦାୟ ଓ ରିଟର୍ଣ୍ଣ ଫାଇଲକୁ କିଭଳି ସ୍ବଚ୍ଛତା ଉପାୟରେ ତ୍ବରାନ୍ବିତ କରାଯାଇପାରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ତା’ ଉପରେ ଶ୍ରୀ ମୀନା ଗୁରୁତ୍ବାରୋପ କରିଛନ୍ତି।

ବୈଠକର ସୂଚନା ଅନୁଯାୟୀ ୨୦୧୯-୨୦ ବର୍ଷରେ ରାଜ୍ୟରେ ଜିଏସଟି ରିଟର୍ଣ୍ଣହାର ୯୨ ପ୍ରତିଶତ ରହିଥିଲା। ଚଳିତବର୍ଷ ଏହି ହାରକୁ ବଢ଼ାଇବାପାଇଁ ବିଭାଗପକ୍ଷରୁ ଏକ ନକ୍ସା ପ୍ରସ୍ତୁତ ହୋଇଛି। ଏଣିକି ପ୍ରତିବର୍ଷ ବିଭାଗ ପକ୍ଷରୁ ନୂତନ ଜିଏସଟି ଉପଭୋକ୍ତାଙ୍କୁ ଚିହ୍ନଟ କରାଯିବ।

ଚଳିତବର୍ଷ ଅକ୍ଟୋବର ସୁଦ୍ଧା ମାତ୍ର ୭ମାସ ମଧ୍ୟରେ ରାଜ୍ୟରେ ୩୧ହଜାର ୪୭୪ ନୂତନ ଜିଏସଟି ଗ୍ରାହକ ସୃଷ୍ଟି କରାଯାଇ ପାରିଛି। ଏହାଦ୍ବାରା ରିଟର୍ଣ୍ଣ ହାର ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଏଣିକି ପ୍ରତିବର୍ଷ ୨୦ହଜାର ନୂଆ ଜିଏସଟି ଓ କରଦାତା ଚିହ୍ନଟ କରାଯିବ।

ରାଜ୍ୟର ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ଏହାଦ୍ବାରା ଆତ୍ମନିଯୁକ୍ତି ଯୋଗାଇ ଦିଆଯିବ। ଏନେଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହେବ। ବାଣିଜ୍ୟ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଭଳି ପାଠପଢ଼ା ପରେ କିମ୍ବା ପଢ଼ିବା ସମୟରେ ମଧ୍ୟ ବିଭିନ୍ନ ଚାର୍ଟାଡ ସଂସ୍ଥାରେ ରହି ଅଭ୍ୟାସ କରିପାରିବେ। ଏଥିପାଇଁ ତାଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ଯୋଗାଇ ଦିଆଯିବ ।

By amfnews

Related Post