Sat. Mar 7th, 2026

କରୋନା କଟକଣା ହେଲା କାଳ, ବାପାକୁ ମୁଖାଗ୍ନି ଦେଇପାରିଲାନି ପୁଅ

231 Views

ବ୍ରହ୍ମପୁର : ସାତ ଦରିଆ ପାରି ଆମେରିକାରେ ଏକମାତ୍ର ପୁଅ ଥିବାବେଳେ ଘରେ ପଡିଥିଲା ବାପାଙ୍କ ମୃତଦେହ।ମଝିରେ ଲକ୍ଷ୍ମଣରେଖା ଟାଣିଲା କରୋନା କଟକଣା।  ନା ଶେଷ ସମୟରେ ବାପାଙ୍କୁ ଆଖି ପୂରାଇ ଦେଖିବା ସମ୍ଭବ ହେଲା, ନା ମୁଖାଗ୍ନି ଦେବା। ଏପରି ଅବସ୍ଥାରେ ହତଭାଗା ପୁଅ କେବଳ ନିଜ ଭାଗ୍ୟକୁ କୋସୁଥିବା ବେଳେ ପରିବାର ଲୋକଙ୍କ ଆଖିରୁ ବି ଲୁହ ସୁଖୁ ନ ଥିଲା। ପୁଅ ଫେରିବାର କିଛି ବି ବାଟ ଦେଖାଯାଉ ନ ଥିବା ବେଳେ ସାନ ଜ୍ୱାଇଁ  ଶେଷକୃତ ସମ୍ପନ୍ନ କଲେ।

କରୋନା ସମୟରେ ସବୁକିଛି ଠପ୍ ହୋଇଯାଇ ଥିବା ବେଳେ ଏପରି ଏକ ହୃଦୟ ବିଦାରକ ଘଟଣା ବ୍ରହ୍ମପୁରରେ ଦେଖିବାକୁ ମିଳିଛି।ଏଭଳି ଦୁଃଖଦ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ବ୍ରହ୍ମପୁର ବଡ଼ବଜାରର କେ. ନରସିଂହ ମୂର୍ତ୍ତିଙ୍କ ପରିବାରକୁ। ଗତକାଲି ସକାଳୁ ନରସିଂହଙ୍କ ହଠାତ୍ ହୃଦଘାତରେ ମୃତ୍ୟୁ ଘଟିଥିଲା । ମୃତ୍ୟୁର ମାତ୍ର  ଅଧଘଣ୍ଟା ପୂର୍ବରୁ ଆମେରିକାର ଫ୍ଲୋରିଡାରେ ରହୁଥିବା ଏକମାତ୍ର ପୁଅ ସୁଦୀପଙ୍କ  ସହ ସେ ଫୋନରେ କଥା ହୋଇଥିଲେ। ତେବେ କିଏ ଜାଣିଥିଲା ହଠାତ୍ ଏଭଳି ଅଘଟଣ ଘଟିବ।

ସକାଳେ ଭଲରେ କଥା ହୋଇଥିବା ବାପାଙ୍କ ଶେଷଯାତ୍ରାକୁ କେବଳ ଭିଡିଓ କଲରେ ଦେଖି ଲୁହ ଗଡ଼ାଇବା ଛଡ଼ା ଅନ୍ୟ ଉପାୟ ନଥିଲା ସୁଦୀପଙ୍କ ପାଖରେ। କରୋନା କଟକଣା ଯୋଗୁ ସମସ୍ତ ବିମାନ ରଦ୍ଦ ହୋଇଥିବାରୁ ଆମେରିକାରୁ ଘରକୁ ଆସିବା ସମ୍ଭବ ହୋଇପାରି ନଥିଲା ସୁଦୀପଙ୍କ କ୍ଷେତ୍ରରେ।  ଅନ୍ୟ ଦିନ ହୋଇଥିଲେ ସେ ଘରକୁ ଫେରିବା ଯାଏ  ଶେଷକୃତ୍ୟ ନିମନ୍ତେ  ଅପେକ୍ଷା କରିଥାନ୍ତେ ବୋଲି କହିଛନ୍ତି ପରିବାର ଲୋକେ।

ତେବେ ଏବେ କରୋନା ସ୍ଥିତିରେ ତାହା ସମ୍ଭବ ନହେବାରୁ ନରସିଂହଙ୍କ ସାନ ଜ୍ୱାଇଁ ମୁଖାଗ୍ନି ଦେଇଥିଲେ। ବ୍ରହ୍ମପୁର ନୀଳକଣ୍ଠେଶ୍ୱର ମଶାଣିରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଏଭଳି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

By amfnews

Related Post