ବାଲିଗୁଡ଼ା : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବେହାଲ ହୋଇ ପଡ଼ିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ପକ୍ଷେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି।
ବାଲିଗୁଡା ସହରରେ ନୂଆ ସାହି ଓ ଖଜୁରିନାଳ ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ଉପରକୁ ପାଣି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି। ସେହିପରି ବାଟାଗୁଡ଼ା ୫୯ ନମ୍ବର ଜାତୀୟ ରାଜପଥର ଅସ୍ଥାୟୀ କଲଭର୍ଟ ଧୋଇ ଯାଇଛି।
ଏଥିଯୋଗୁ କନ୍ଧମାଳ, କଳାହାଣ୍ଡି ଓ ରାୟଗଡା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି। ଉଭୟ ପଟରେ ଦୀର୍ଘ ସମୟ ଯାନବାହନ ଅଟକି ରହିବା ସହ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏ ସମ୍ପର୍କରେ ବାଲିଗୁଡ଼ାର ଭାରପ୍ରାପ୍ତ ଉପଜିଲାପାଳ ରାଜେନ୍ଦ୍ର କୁମାର ରଣଜିତ କହିଛନ୍ତି, ବାଲିଗୁଡ଼ାର ବହୁ ଅଞ୍ଚଳ ଜଳମଗ୍ନ ରହିଛି। ନଦୀକୁଳିଆ ଅଞ୍ଚଳବାସୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଭୟଭୀତ ନ ହେବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି।
ସରପଞ୍ଚ, ରେଭିନ୍ୟୁସ୍ତରୀୟ ଅଫିସରଙ୍କୁ ପଲିଥିନ, ଚାଉଳ ଓ ରିଲିଫ ସାମଗ୍ରୀ ସହ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଯାଉଛି। ସ୍କୁଲ, ଅଙ୍ଗନୱାଡି କେନ୍ଦ୍ରରେ ଲୋକଙ୍କୁ ସୁରକ୍ଷିତ ଭାବେ ରଖାଯାଉଛି। ଆଉ ଦିନେ, ୨ ଦିନ ପରେ ପରିସ୍ଥିତିରେ ସୁଧାର ଆସିଲେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କାମ କରାଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ଉପଜିଲାପାଳ ।