Sun. Mar 8th, 2026

କଟକ ବାଲିଯାତ୍ରାରେ ଭିଡ଼ ଜମୁଛି, ୬ ଦିନରେ ୪୦ କୋଟି ବେପାର

173 Views

କଟକ : ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ଭିଡ଼ରେ ରେକର୍ଡ ଭାଙ୍ଗି ଥିବା ବେଳେ ବ୍ୟବସାୟରେ ବି ରେକର୍ଡ ଭାଙ୍ଗିଛି। ୬ ଦିନ ମଧ୍ୟରେ ୪୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବେପାର ହୋଇଥିବା ଜଣାପଡ଼ିଛି।

ବାଲିଯାତ୍ରା ପଡିଆରେ କିଣାବିକା ପାଇଁ ସବୁଠୁ ଆକର୍ଷଣୀୟ ସ୍ଥାନ ହୋଇଥିବା ଓରମାସ୍ ଜାତୀୟ ପଲ୍ଲୀଶ୍ରୀ ମେଳା ପରିସରରେ ଗତକାଲି ପାଖାପାଖି ଅଢେଇ କୋଟି ଟଙ୍କାର ବ୍ୟବସାୟ ହୋଇଛି। ବାଲିଯାତ୍ରା ଇତିହାସରେ ଏହା ଗୋଟିଏ ଦିନରେ ସବୁଠୁ ଅଧିକ ବେପାର ବୋଲି ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ କହିଛନ୍ତି। ବାଲିଯାତ୍ରାର ୬ ଦିନ ଭିତରେ ଓରମାସରେ ବେପାର ୯ କୋଟି ଟଙ୍କାରୁ ଅଧିକ ହେଲାଣି।

ବାଲିଯାତ୍ରାର ଉଭୟ ତଳ ଓ ଉପର ପଡିଆରେ କେବଳ ରବିବାର ଦିନ ବ୍ୟବସାୟ ୧୦ କୋଟି ଛୁଇଁଥିବା ଆକଳନ କରାଯାଉଛି। ଓରମାସ୍‌ର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ୍‌ ରାଉତ୍‌ କହିବା ଅନୁଯାୟୀ ଶୁକ୍ରବାର ଓ ଶନିବାର, ପ୍ରତ୍ୟେକ ଦିନ ପାଖାପାଖି ୨ କୋଟିର ବେପାର ହୋଇଥିବାବେଳେ ରବିବାର ଦିନ ୨.୪୮କୋଟି ଟଙ୍କାର ବିକ୍ରିବଟା କେବଳ ଓରମାସ ପରିସରରେ ହୋଇଛି। ଗଲା ଛଅ ଦିନ ଭିତରେ ରାଜ୍ୟର ସବୁଠାରୁ ବଡ ମେଳା ବାଲିଯାତ୍ରାରେ ବର୍ତ୍ତମାନ ସୁଦ୍ଧା ୪୦ କୋଟିର ବେପାର ହୋଇଥିବା ଜଣାପଡିଛି।

ଅନ୍ୟପକ୍ଷରେ, ବାଲିଯାତ୍ରା ଭିଡ଼ ପ୍ରଥମ ଦିନରୁ ବଢି ଚାଲିଥିବା ବେଳେ ଗତକାଲି ପଡ଼ିଆ ଜାମ ହୋଇଯାଇଥିଲା। ବାଲିଯାତ୍ରା ପଡିଆକୁ ଯାଉଥିବା ସହରର ସବୁ ରାସ୍ତାରେ ଗାଡ଼ି ଗଡ଼ିବା ଅସମ୍ଭବ ହୋଇ ପଡିଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଗାଡ଼ି ଷ୍ଟାଣ୍ଡରେ ଜାଗା ନ ଥିବାରୁ ଆଉ ଷ୍ଟାଣ୍ଡ ଆଡକୁ ନ ଆସିବା ପାଇଁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍‌ କରି ଜଣାଇଥିଲେ। ଗତକାଲି ସଂଗୀତ ଷ୍ଟାର୍ ସୋନା ମହାପାତ୍ରଙ୍କ ସୋ ଦେଖିବାକୁ ଭିଡ ବେକାବୁ ହୋଇଥିଲା। ଆସନ୍ତାକାଲି ବଲିଉଡ୍ ସେନ୍ସେସନ୍ କେ.କେ ବାଲିଯାତ୍ରା ପଡିଆରେ ସୋ କରିବାକୁ ଥିବାବେଳେ ପୁଣି ପ୍ରବଳ ଭିଡ଼ ହେବା ଆଶା କରାଯାଉଛି। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗତକାଲି ରବିବାର ତୁଳନାରେ ଆଜି ଭିଡ଼ କିଛିଟା ହ୍ରାସ ପାଇଥିଲେ ବି ଦିନରୁ ରାତିଯାଏ ଲୋକ ପଡ଼ିଆରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି।

By amfnews

Related Post