Sat. Mar 7th, 2026

କଟକ: ‘ଫୋନି’ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

316 Views

କଟକ: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଫୋନି’କୁ ମୁକାବିଲା କରିବାକୁ ବୁଧବାର ଦିନ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲାପାଳ ଶ୍ରୀଅରବିନ୍ଦ ଅଗ୍ରଓ୍ଵାଲ୍‌ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ମେ ୨ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ୍‌, ତହସିଲ ସମେତ ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ରୁମ୍‌ ଖୋଲିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୨୫୪ଟି ସ୍କୁଲ୍‌ ଗୃହକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇ ଆଶ୍ରିତମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ପିଇବା ପାଣି, ପରିମଳ ଓ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।ଗାଁଗଣ୍ଡାରେ ଆଶା କର୍ମୀମାନଙ୍କ ପାଖରେ ଆବଶ୍ୟକୀୟ ଔଷଧ ରଖାଯାଇଛି ଏବଂ ପିଏଚ୍‌ସି, ସିଏଚ୍‌ସିଗୁଡ଼ିକରେ ମଧ୍ୟ ଯଥେଷ୍ଟ ଔଷଧ ମହଜୁଦ ରଖାଯାଇଛି।

ଜନସାଧାରଣଙ୍କ ସୁବିଧା ନିମନ୍ତେ ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ଓ ପନିପରିବାର ଯେପରି କୃତ୍ରିମ ଅଭାବ ଓ କଳାବଜାରୀ ନ ହୁଏ, ସେଥିପ୍ରତି ଜିଲ୍ଲା ପ୍ରଶାସନ କଡ଼ା ନଜର ରଖିଛି।ବିପନ୍ନମାନଙ୍କ ନିମନ୍ତେ ଯଥେଷ୍ଟ ଶୁଖିଲା ଖାଦ୍ୟ, ଚୁଡ଼ା, ଗୁଡ଼ ଓ ଚାଉଳ ଆଦି ମହଜୁଦ ରଖିବା ସହ ପେଟ୍ରୋଲ୍‌ ପମ୍ପ୍‌ରେ ଇନ୍ଧନ ମହଜୁଦ ରଖିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

ବାତ୍ୟା ପ୍ରକୋପରେ ଗଛ ଉପୁଡ଼ି ଯୋଗାଯୋଗ ବିଚ୍ଛିନ୍ନ ହେଲେ ରାସ୍ତାଘାଟ ସଫା କରିବା ପାଇଁ ପୂର୍ତ୍ତ ବିଭାଗ ତରଫରୁ ମାନବ ସମ୍ବଳ ଓ ଜେସିବି ବ୍ୟବସ୍ଥା, ବିଜୁଳି ସରବରାହ ବ୍ୟାହତ ହେଲେ ଗ୍ରାମାଞ୍ଚଳରେ ଗ୍ରାମ୍ୟ ଜଳଯୋଗାଣ ତରଫରୁ ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବା ପାଇଁ ଜେନେରଟର ବ୍ୟବସ୍ଥା, ଓ୍ଵାଟର୍‌ ଟ୍ୟାଙ୍କର୍‌ ବ୍ୟବସ୍ଥା ସମ୍ପର୍କରେ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି।ଗୃହପାଳିତ ପଶୁପକ୍ଷୀମାନଙ୍କ ପାଇଁ ଆଶ୍ରୟସ୍ଥଳୀ, ଖାଦ୍ୟ ସାମଗ୍ରୀ ଓ ଔଷଧ ମହଜୁଦ ରଖିବା ପାଇଁ ସିଡିଭିଓଙ୍କୁ ପରାମର୍ଶ ଦିଆଯାଇଛି।

By amfnews

Related Post