Sat. Dec 28th, 2024

ଓ.ଏମ୍.ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କଥକର ପାଦଛନ୍ଦ ସାଙ୍ଗକୁ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ ବେହେଲା ବାଦନ

By amfnews Sep 9, 2018 #Featured
356 Views

ଭୁବନେଶ୍ୱର (ତା ୮.୯.୨୦୧୮) : ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଚତୁର୍ଥ ସଂଧ୍ୟା । ଆଜି ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ରାଜେନ୍ଦ୍ର ଗଙ୍ଗାନୀଙ୍କ କଥକ ନୃତ୍ୟରୁ । ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ଜଗନ୍ନାଥଙ୍କ ଜଣାଣ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବତୁମେ ପରେ ପରେ ତାଙ୍କ ପ୍ରସ୍ତୁତିରେ ଥିଲା ଦେବୀ ଦୁର୍ଗାଙ୍କ ଶକ୍ତି ଓ ମହତ୍ତ୍ୱ ଉପରେ ଆଧାରିତ ଦୁର୍ଗାସ୍ତୃତି । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଜୟଦେବଙ୍କ ଗୀତ ଗୋବିନ୍ଦରୁ ଆଧାରିତ ଅଭିନୟ ଶ୍ରୀତ କୋମଳ କୁଛ ମଣ୍ଡଳ ଏବଂ ତାଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ତିନ ତାଲ, ରାଗ ଚାରୁକେଶି ଲେହେରସରେ ଆବଦ୍ଧ ଧୃତ ଲୟ । ପାଦଛନ୍ଦ ସହ ଘୁଙ୍ଗୁରର ନିକ୍ୱଣକୁ ନିଜର ଗାୟନ ଓ ତବଲା ବାଦନରେ ଅତି ଚମକ୍ରାର ଭାବେ ପରିବେଷଣ କରି ସେ ସମସ୍ତଙ୍କୁ ଚକିତ ଓ ବିମୋହିତ କରିଥିଲେ । କଥକ ନୃତ୍ୟରେ ଏଭଳି ସଙ୍ଗୀତ, ବାଦ୍ୟ ଓ ଅଭୀନୟକୁ ଏକାସାଙ୍ଗରେ ଅତି ନିଖୁଣ ଏବଂ ସୁନ୍ଦର ଭାବରେ ପରିବେଷଣ କରିବା ବୋଧ ହୁଏ ଦର୍ଶକମାନଙ୍କ ପାଇଁ ଏକ ପ୍ରଥମ ସୁଯୋଗ ଏବଂ ଅଭୁଲା ଅନୁଭୁତି ହୋଇ ରହିଯିବ । ତାଙ୍କ ସହିତ ସଙ୍ଗତ କରିଥିଲେ ତବଲାରେ ଯୋଗେଶ ଗଙ୍ଗାନୀ, ସୀତାରରେ ରବି ଶଙ୍କର ଶର୍ମା, ସାରଙ୍ଗୀରେ ଆୟୁବ ଖାନ ଏବଂ କଣ୍ଠ ସାମିଉଲ୍ଲା ଖାନ୍ ।

ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଆମ୍ଭି ସୁବ୍ରମନ୍ୟାମଙ୍କ ଦ୍ୱାରା କର୍ଣ୍ଣାଟକୀ ସଙ୍ଗୀତରେ ବେହେଲା ବାଦନ । ତାଙ୍କ ପ୍ରସ୍ତୁତିରେ ଥିଲା ରାଗ ଆଭୋଗି ପରେ ପରେ ରାଗ ଚାରୁକେଶୀରେ ପଲ୍ଲବୀ ବାଦନ ଏବଂ ଶେଷରେ ତିଲାନା ଯାହା ଶ୍ରୋତାମାନଙ୍କୁ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ତାଙ୍କ ସହିତ ମୋରସିଙ୍ଗାରେ ସହଯୋଗିତା କରିଥିଲେ ସତ୍ୟସାଇ ଘଣ୍ଟଶାଳା ଏବଂ ମୃଦଙ୍ଗମ୍‍ରେ ଭି ଭି ରମଣମୁର୍ତ୍ତୀ ।

ଉତ୍ସବର ଅତିଥି ଥିଲେ ଖାତିସମ୍ପନ୍ନ ଓଡ଼ିଶୀ ଗୁରୁ ଶ୍ରୀମତୀ ଅରୁଣା ମହାନ୍ତି, ଓଡ଼ିଶୀ ନୃତ୍ୟାଙ୍ଗନା ପ୍ରଣତି ମହାନ୍ତି ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ଏବଂ ସଂଚାଳନ କରିଥିଲେ ଶ୍ରୀ ଦେବୀପ୍ରସାଦ ମିଶ୍ର ।

By amfnews

Related Post