ପ୍ରଶାନ୍ତ ପଟ୍ଟନାୟକ
ଏକଦା ନିଜକୁ ଅତ୍ୟନ୍ତ ପ୍ରଭାବଶାଳୀ ଓ ଜନପ୍ରିୟ ନେତା ଭାବରେ ଦାବି କରୁଥିବା ବିଜୁ ଜନତା ଦଳରୁ ବହିଷ୍କୃତ ପ୍ରାକ୍ତନ ମନ୍ତ୍ରୀ ଡ. ଦାମୋଦର ରାଉତ ଏବଂ ପ୍ରାକ୍ତନ ସାଂସଦ ବୈଜୟନ୍ତ ପଣ୍ଡା ସମ୍ପ୍ରତି କେବଳ ବିଜୁ ଜନତା ଦଳରେ ନୁହେଁ ଓଡ଼ିଶା ରାଜନୀତିରେ ସମ୍ପୁର୍ଣ୍ଣ ରୂପେ ଅଲୋଡ଼ା ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି । ବିଜୁ ଜନତା ଦଳର ସର୍ବମୟକର୍ତ୍ତା ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିକଟତମ ଓ ବିଶ୍ୱସ୍ତ ଭାବରେ ଉଭୟେ ଉପଭୋଗ କରୁଥିବା କ୍ଷମତା ନିଜନିଜର ଆଚରଣ ଓ ଉଚ୍ଚାରଣରୁ ହାତଛଡ଼ା ହୋଇଯାଇଛି । ଏକ ସମୟରେ ନିଜକୁ ନବୀନଙ୍କର ବିକଳ୍ପ ବୋଲି ସୀମିତ ସମର୍ଥକମାନଙ୍କ ନିକଟରେ ଦାବି କରି ଆସୁଥିବା ବୈଜୟନ୍ତ ଓ ଡ.ରାଉତଙ୍କ ରାଜନୈତିକ ଭବିଷ୍ୟତ ବସ୍ତୁତଃ ଘୋର୍ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି । ନିଜର ଶକ୍ତି ଓ ସାମର୍ଥ୍ୟ ବିଷୟରେ ଯେତେ ବାହାସ୍ଫୋଟ ମାରୁଥିଲେ ମଧ୍ୟ ଡ.ରାଉତ ଓ ପୂର୍ବତନ ଏକାନ୍ତ ନିଃସଙ୍ଗ ଓ ଅସହାୟ ହୋଇପଡ଼ିଥିବା ଅନୁଭୂତ ହେଉଛି ।
ଡ. ରାଉତ ମନ୍ତ୍ରୀ ପଦରୁ ଓ ବିଜୁ ଜନତା ଦଳର ସଭାପଦରୁ ବହିଷ୍କୃତ ହେବାପରେ ତାଙ୍କ ପ୍ରତି ରାଜ୍ୟବାସୀଙ୍କର ଯଥେଷ୍ଟ ସମର୍ଥନ ଥିବା ଦାବି କରି ଆଗାମୀ ନିର୍ବାଚନରେ ନବୀନଙ୍କୁ ଗାଦିଚ୍ୟୁତ କରିବା ନିମନ୍ତେ ଖୋଲାଖୋଲି ଭାବରେ ଘୋଷଣା କରିବା ସହ ବିଜୁ ସମତାକ୍ରାନ୍ତି ଦଳ ଗଠନ କରି ଏହି ଦଳରେ ପୂର୍ବତନ ପୋଲିସ ମହା ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, କେନ୍ଦ୍ରାପଡ଼ାର ପୂର୍ବତନ ସାସଂଦ ଶ୍ରୀ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ଶ୍ରୀ ବ୍ରଜକିଶୋର ତ୍ରିପାଠି ପ୍ରମୁଖ ଏହି ଦଳର ପ୍ରତିଷ୍ଠାତା ସଭ୍ୟ ଭାବରେ ଯୋଗଦେବେ ବୋଲି ଡ.ରାଉତ ସୂଚନା ଦେବା ସଙ୍ଗେସଙ୍ଗେ ସମଗ୍ର ରାଜ୍ୟର ବିଭିନ୍ନ ରାଜ୍ୟରୁ ବହୁ ନେତା ଓ କର୍ମୀ ଏହି ନୂଆ ଦଳରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଉଲ୍ଲେଖ କରୁଥିଲେ । ସେ ନିଜେ ତାଙ୍କର ହସ୍ତ ମୁଦିମାହଲ ରୁପେ ପରିଗଣିତ ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ । ବିଜୁ ଜନତା ଦଳର ଅନ୍ୟତମ ସାଧାରଣ ସମ୍ପାଦକ ଥିବା ତାଙ୍କର ଏକମାତ୍ର ପୁତ୍ର ତଥା ଦୈନିକ ସମ୍ବାଦପତ୍ର ‘ସଂଚାର’ର ପ୍ରକାଶକ ସମ୍ବିତ୍ ରାଉତରାୟ ମଧ୍ୟ ତାଙ୍କ ଦଳରେ ଯୋଗ ଦେବେ ବୋଲି ଡ.ରାଉତ ସୂଚନା ଦେଇଥିଲେ ।
ମାତ୍ର ଡ.ରାଉତଙ୍କ ଘୋଷଣା ପରେ ପରେ ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କଠାରୁ ଆରମ୍ଭ କରି ଶ୍ରୀବ୍ରଜକିଶୋର ତ୍ରିପାଠି, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଓ ଏପରିକି ଶ୍ରୀ ବୈଜୟନ୍ତ ପଣ୍ଡା ମଧ୍ୟ ଡ.ରାଉତଙ୍କ ସହଯୋଗ ଦେବାର ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି । ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ଗଣମାଧ୍ୟମ ‘ଓଟିଭି’ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ କତ୍ତୃତାଧିନ ଭାବରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୁଦ୍ଧରେ ବ୍ୟବହୃତ ହେଉଥିବାରୁ ଏବଂ ଏହା ଡ.ରାଉତଙ୍କୁ ସୁହାଇଲା ଭଳି ସମ୍ବାଦ ପରିବେଷଣ କରୁଥିବା ହେତୁ ଶ୍ରୀପଣ୍ଡା ସବୁଦିନ ଲାଗି ଡ.ରାଉତଙ୍କ ସହ ହାତ ମିଲେଇବେ ବୋଲି ଯେଉଁ ଆଶା ପ୍ରକାଶ ପାଇଥିଲା ତାହା ଅମୂଳକ ବୋଲି ପ୍ରମାଣିତ ହୋଇଛି ।
ଶ୍ରୀପଣ୍ଡାଙ୍କ ଅଧିନରେ ଥିବା ଗଣମାଧ୍ୟମକୁ ନିଜ ଦଳର ପ୍ରଚାର ପାଇଁ ବ୍ୟବହାର କରିବା ନିମନ୍ତେ ବିଜେପି ଦଳ ବୈଜୟନ୍ତଙ୍କୁ ନିଜ ଦଳରେ ସାମିଲ କରିବା ଲାଗି ଅତି ମାତ୍ରାରେ ଆଗହୀ ବୋଲି ଶ୍ରୀପଣ୍ଡାଙ୍କ ଅନୁରକ୍ତମାନେ ଯେଉଁ ପ୍ରଚାର କରୁଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗ୍ରସ୍ତ ପରେ ତାହା ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଶ୍ରୀ ପଣ୍ଡାଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଓ ସହଯୋଗ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ବିଜେପି ଜାତୀୟ ସଭାପତି ଶ୍ରୀ ଅମିତ ଶାହାଙ୍କ ଭଳି ପୋଖତ ରାଜନେତାଦ୍ୱୟ ଅନୁଭବ କରୁଥିବାରୁ ସେମାନେ ବୈଜୟନ୍ତଙ୍କୁ ଦଳରେ ସାମିଲ କରିବାର ଆଦୌ ସମ୍ଭାବନା ନାହିଁ ।
ଶ୍ରୀ ପଣ୍ଡା ନିଜର ପତିଆରା ରଖିବା ପାଇଁ ମୋଦିଜୀଙ୍କ ‘ଚା ପେ ଚର୍ଚ୍ଚା’ ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ‘ହେଇଯାଉ’ ଜରିଆରେ ଜନସାଧାରଣଙ୍କ ସହ ସମ୍ପର୍କ ସ୍ଥାପନ କରିବା ଲାଗି ଆରମ୍ଭ କରିଥିବା ଉଦ୍ୟମରେ ଓଟିଭିକୁ ବ୍ୟବହାର କରୁଥିଲେ ମଧ୍ୟ ଏହା ସାଧାରଣ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ସମର୍ଥ ହୋଇପାରିନାହିଁ । ଶ୍ରୀ ପଣ୍ଡା ଦୀର୍ଘଦିନ ଧରି ନିଜର ରାଜନୈତିକ ଜୀବନ ମଧ୍ୟରେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶୋଚନୀୟ ଭାବରେ ଅବଜ୍ଞା କରି ଆସିଥିବାରୁ ଅଧିକାଂଶ ଗଣମାଧ୍ୟମ ତାଙ୍କଠାରୁ ଯଥେଷ୍ଟ ଦୂରତ୍ୱ ରଖିବା ଲାଗି ଉଦ୍ୟମ କରୁଛନ୍ତି । ଫଳରେ ଶ୍ରୀପଣ୍ଡା ଜଣେ ଜନାଭିମୁଖୀ ଓ ଜନପ୍ରିୟ ନେତା ଭାବରେ ଜନମାନସରେ ନିଜର ଭାବମୂର୍ତ୍ତି ପ୍ରତିଷ୍ଠା କରିବା ଦିଗରେ ସଫଳ ହୋଇ ପାରିନାହେନ୍ତି ।
ଦୀର୍ଘ ଅଠର ବର୍ଷ ଶାସନ କାଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିରୋଧି ନେତା ତଥା ଗଣମାଧ୍ୟମ ଅନେକଗୁଡ଼ିଏ ଅଭିଯୋଗ ଆଣିଥିଲେ ମଧ୍ୟ ନବୀନଙ୍କ ସରଳ ଓ ସହଜ ଜୀବନ ଯାପନ ଶୈଳୀ ତାଙ୍କର ଆଚରଣ ଓ ଉଚ୍ଚାରଣରେ ରାଜ୍ୟବାସୀ ଅଦ୍ୟାବଧି ମନ୍ତ୍ରମୁଗ୍ଧ ଭଳି ତାଙ୍କ ପ୍ରତି ଅନୁଗତ୍ୟ ରହିଛନ୍ତି । ଏହି ପରିପେକ୍ଷୀରେ ବିଚାର କଲେ ନବୀନଙ୍କ ବିରୋଧିମାନେ ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟରେ ଶୋଚନୀୟ ଭାବରେ ନିଷ୍ପ୍ରଭ ହୋଇପଡ଼ିଛନ୍ତି ।