Fri. Mar 6th, 2026

ଓଡ଼ିଶା ବିକାଶ କନ୍‌କ୍ଲେଭ-୨୦୧୮ : ଆଗକୁ ଭୟଙ୍କର ବନ୍ୟା, ମରୁଡ଼ି ଆଶଙ୍କା

427 Views

ଭୁବନେଶ୍ୱର : ୧୯୦୧ରୁ ୧୯୫୦ ମସିହା ମଧ୍ୟରେ ରାଜ୍ୟରେ ବର୍ଷକୁ ହାରାହାରି ୧୫୦୩ ମିଲିମିଟର ବର୍ଷା ହେଉଥିଲା। କିନ୍ତୁ ଗତ ୪୦ ବର୍ଷ ହେଲା ରାଜ୍ୟରେ ବାର୍ଷିକ ହାରାହାରି ବର୍ଷା ପରିମାଣ ୧୪୫୧ ମିଲିମିଟରକୁ ହ୍ରାସ ପାଇଛି। ପାଣିପାଗ ବିଭାଗର ମାନଦଣ୍ଡ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ୨.୫ ମିଲିମିଟର ବର୍ଷା ହେଲେ ତାହାକୁ ବର୍ଷାଦିନ ବୋଲି କୁହାଯାଇଥାଏ। ରାଜ୍ୟରେ ପୂର୍ବରୁ ୧୪୫୧ ମିଲିମିଟରର ବୃଷ୍ଟିପାତ ୮୦ରୁ ୯୦ ଦିନ ମଧ୍ୟରେ ହେଉଥିବା ବେଳେ ଏବେ ଉପରୋକ୍ତ ପରିମାଣର ବର୍ଷା ମାତ୍ର ୪୯.୫ ଦିନ ମଧ୍ୟରେ ହେଉଛି। ରାଜ୍ୟର ଗତ ୨୫ ବର୍ଷର ବୃଷ୍ଟିପାତ ତଥ୍ୟକୁ ବିଶ୍ଳେଷଣ କରିବା ପରେ ଏହା ଜଣାପଡ଼ିଛି। ଏତେ କମ୍‌ ଦିନରେ ବର୍ଷଯାକର ବର୍ଷା ହେଉଥିବାରୁ ଆଗାମୀ ଦିନରେ ରାଜ୍ୟରେ ଭୟଙ୍କର ବନ୍ୟା ଏବଂ ମରୁଡ଼ି ଦେଖାଦେବାର ଆଶଙ୍କା ରହିଛି ବୋଲି ଓଡ଼ିଶା ବିକାଶ କନ୍‌କ୍ଲେଭରେ ମତ ପ୍ରକାଶ ପାଇଛି। କେବଳ ବନ୍ୟା କିମ୍ବା ମରୁଡ଼ି ନୁହେଁ, ପାଣିପାଗ ପରିବର୍ତ୍ତନ ଜନିତ ଅନ୍ୟାନ୍ୟ ବିପଦ ମଧ୍ୟ ରାଜ୍ୟ ପ୍ରତି ରହିଛି। ରାଜ୍ୟ ଜଳସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ କମଳ ଲୋଚନ ମିଶ୍ର ଓଡ଼ିଶା ବିକାଶ କନ୍‌କ୍ଲେଭ-୨୦୧୮ର ଦ୍ୱିତୀୟ ଦିନରେ ଆୟୋଜିତ ଏକ ଅଧିବେଶନରେ ଯୋଗଦେଇ ଏଭଳି ସତର୍କବାଣୀ ଶୁଣାଇଛନ୍ତି।

ଆଚାର୍ଯ୍ୟ ବିହାର ସ୍ଥିତ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପରିସରରେ କନ୍‌କ୍ଲେଭରେ ଆୟୋଜିତ ଦୁର୍ବିପାକ ପରିଚାଳନା ଓ ଜଳବାୟୁ ପରିବର୍ତନ ଶୀର୍ଷକ ଆଲୋଚନାରେ ଭାଗନେଇ ଶ୍ରୀ ମିଶ୍ର କହିଛନ୍ତି, ଓଡ଼ିଶାରେ ଜଳବାୟୁ ପରିବର୍ତନର ପ୍ରଭାବରୁ ଭବିଷ୍ୟତ ପିଢ଼ିକୁ କିଭଳି ନିରାପଦ ରଖାଯାଇ ପାରିବ ତାହା ଉପରେ ବର୍ତମାନର ପିଢ଼ି କାର୍ଯ୍ୟ କରିବା ଉଚିତ । ଏହି ଅଧିବେଶନରେ କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରାଳୟର ଯୁଗ୍ମ ନିର୍ଦେଶକ ଡ. ଏ. କେ. ଗୁପ୍ତା ଯୋଗଦେଇ ନିକଟରେ ଦେଶର ବିଭିନ୍ନ ରାଜ୍ୟରେ ଗତ କିଛି ବର୍ଷ ହେଲା ସଂଘଟିତ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋକପାତ କରିଥିଲେ। ଉଦ୍ୟୋଗ ଜଗତ ଅଧିକ ଲାଭ ଗୋଟାଇବା ଆଶାରେ କମ୍‌ ଦିନରେ ଅକାମୀ ହୋଇ ଯାଉଥିବା ସାମଗ୍ରୀ ଅଧିକ ମାତ୍ରାରେ ଉତ୍ପାଦନ କରି ପରିବେଶକୁ ପ୍ରଦୂଷିତ କରୁଛି ବୋଲି ସେ ମତ ଦେଇଥିଲେ। ଦେଶରେ ବାୟୁ ପ୍ରଦୂଷଣ ମାରାତ୍ମକ ହେଲାଣି। ବର୍ଷକୁ ୨ ଲକ୍ଷ ଲୋକ ବାୟୁ ପ୍ରଦୂଷଣରେ ମୃତ୍ୟୁବରଣ କରୁଛନ୍ତି । ସବୁକ୍ଷେତ୍ରରେ ହେଉଥିବା ଛୋଟ ଛୋଟ ତ୍ରୁଟି ବଡ଼ ବିପର୍ଯ୍ୟୟକୁ ଡାକି ଆଣୁଛି ବୋଲି ସେ ମତ ଦେଇଥିଲେ।

ଆଲୋଚନାରେ ସିକିମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ମୁଖ୍ୟ ପ୍ରଫେସର ବିନୋଦ ଶର୍ମା, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପ୍ରତିଷ୍ଠାତା ସଦସ୍ୟ ପ୍ରଫେସର ବିନୋଦ ମେନନ୍‌, ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଫାଇନାନ୍ସ ଆଣ୍ଡ ପଲିସି (ଏନ୍‌ଆଇପିଏଫ୍‌ପି)ର ପ୍ରଫେସର ଇଲା ପଟ୍ଟନାୟକ, ସିଡିଏନ୍‌ଏଏସ୍‌ଏସ୍‌ର ନିର୍ଦେଶକ ଏନ. ଏମ୍‌. ପୃଷ୍ଟି, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟର ନିର୍ଦେଶକ ଡ. ଗୌରବ, ଅକ୍ସଫାମ୍‌ ଇଣ୍ଡିଆର ଆଂଚଳିକ ପ୍ରବନ୍ଧକ ଅକ୍ଷୟ ବିଶ୍ୱାଳ ପ୍ରମୁଖ ଜଳବାୟୁ ପରିବର୍ତନର ବିଭିନ୍ନ ଦିଗ, ଏହାର ପ୍ରଭାବ ଏବଂ ପ୍ରତିକାର ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ଏ. ସୁଚିତ୍ରା ସଂଯୋଜନା କରିଥିଲେ।

By amfnews

Related Post