Sun. Mar 8th, 2026

ଓଲଟି ପଡ଼ିଲା ଆମ୍ବୁଲାନ୍ସ; ଦୁର୍ଘଟଣାସ୍ଥଳରେ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା

174 Views

କେନ୍ଦୁଝର, ନଭେମ୍ବର ୨୮: ପ୍ରସୂତୀଙ୍କୁ ହସ୍ପିଟାଲ ନେବା ବେଳେ ଓଲଟିଲା ଆମ୍ବୁଲାନ୍ସ। ଫଳରେ ଦୁର୍ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରଜପଥର ତଳିବେଡ଼ା ଗାଁ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।

ଚାକୁଣ୍ଡାପାଳ ଗାଁର ନରେନ୍ଦ୍ର ମୁଣ୍ଡାଙ୍କ ପତ୍ନୀ ବୁଧୁନି ମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ୧୦୨ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ରେଫର୍‌ କରିଥିଲେ।

ତେବେ ସେଠାରୁ ପୁଣି ୧୦୨ ଆମ୍ବୁଲାନ୍ସରେ ଯିବା ବେଳେ ତିଳବେଡ଼ା ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଦୁର୍ଘଟଣାରେ ଆହତ ମହିଳା ଘଟଣାସ୍ଥଳରେ ଏକ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଏହା ପରେ ତାଙ୍କୁ ଆଉ ଏକ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ନିଆଯାଇଥିଲା। ମହିଳାଙ୍କ ଅବସ୍ଥା ଗୁରୁତର ରହିଛି।

 

By amfnews

Related Post