ଲର୍ଡ କର୍ଣ୍ଣଓ୍ୱାଲିସ୍ ଭାରତୀୟ ସିଭିଲ୍ ସର୍ଭିସ୍ର ସ୍ରଷ୍ଟା। ଉପନିବେଶବାଦ ଭାରତରେ ପ୍ରଥମ ଭାରତୀୟମାନଙ୍କୁ ସିଭିଲ୍ ସର୍ଭିସ୍ ପ୍ରବେଶ କରିବା ପାଇଁ ୧୮୩୩ ମସିହାେର ଚାର୍ଟର ଆଇନର ବ୍ୟବସ୍ଥା ହୋଇଥିଲା। ତେବେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ୨୦ ବର୍ଷ ପରେ ଅର୍ଥାତ ୧୮୫୩ ମସିହାରେ ତାହା କାର୍ଯ୍ୟକାରୀ କରାଗଲା। ୧୮୫୪ ମସିହାରୁ ମ୍ୟାକ୍ଲେ କମିଟି ଗଠିତ ହେବା ପରେ ୧୮୫୫ରେ ପ୍ରଥମ ସିଭିଲ୍ ସର୍ଭିସ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଭିତ୍ତିକ ବିଭିନ୍ନ ପରୀକ୍ଷା ପାଇଁ ୧୯୪୯ ଏପ୍ରିଲ୍ ପହିଲାରୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା(ଓପିଏସ୍ସି) ଗଠିତ ହୋଇଥିଲା। ଆରମ୍ଭ ସମୟରେ ଏହାର ସଦସ୍ୟ ସଂଖ୍ୟା ୩ ଥିଲା। ପରବର୍ତ୍ତୀ ସମୟରେ ଏହା ୫ ଜଣିଆ ସଦସ୍ୟରେ ପରିଣତ ହୋଇଥିଲା ଏବଂ ୧୯୯୬ରେ ଏହା ୬ ସଦସ୍ୟ ବିଶିଷ୍ଟ ଆୟୋଗରେ ପରିଣତ ହୋଇ ଏବେ କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ପ୍ରଶାସନିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଖାଲି ପଡ଼ିଥିବା ଉଚ୍ଚ ପଦବି ପାଇଁ ମଧ୍ୟ ଓପିଏସ୍ସି ପକ୍ଷରୁ ପ୍ରାର୍ଥୀ ଚୟନ କରାଯାଇଥାଏ।
ସମସ୍ତେ ଜାଣନ୍ତି ଓପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଅତ୍ୟନ୍ତ କଷ୍ଟ, କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ଓ ମନବଳ ଆଗରେ ସବୁ ଅଭାବ ଅନଟନ ପଛରେ ପଡ଼ିଥାଏ।
ୟୁଟ୍ୟୁବ୍ ଦେଖି ପଢ଼ୁଥିଲେ ଦେବାଶିଷ
ଟପର୍ ହେବି ବୋଲି ଆଶା ନଥିଲା। ପ୍ରଥମ ପ୍ରୟାସ ବିନା ପ୍ରସ୍ତୁତିରେ ପରୀକ୍ଷା ଦେଇଥିଲି। ବିଫଳ ହେବା ପରେ ପୁଣିଥରେ ପ୍ରସ୍ତୁତି ଆରମ୍ଭ କରିଥିଲି ଏବଂ ଦ୍ବିତୀୟ ପ୍ରୟାସରେ ସଫଳ ହେଲି। ଏବେ କୃଷିରେ ଏମ୍.ଏସ୍ସି କରୁଛି। ଏଥିସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। ମୌଖିକ ପରୀକ୍ଷା ପାଇଁ କୋଚିଂ ନେଇଥିଲି। ଅନ୍ୟ ବିଷୟଗୁଡ଼ିକ ୟୁଟ୍ୟୁବ୍ରେ ଭିଡିଓ ଦେଖି ପଢ଼ୁଥିଲି। ଭଲ ରୢାଙ୍କ ମିଳିବ ବୋଲି ଆଶା ଥିଲା। ହେଲେ କେବେ ଭାବି ନ ଥିଲି ପ୍ରଥମ ହେବି ବୋଲି। ଏ ଖବର ଜାଣିବା ପରେ ମୋର ବିଶ୍ବାସ ହୋଇନଥିଲା। ସ୍ନାତକ ପରେ ଆମ ଅଞ୍ଚଳର ଆଇଏଏସ୍ ଅଧିକାରୀ ସୁରେନ୍ଦ୍ର କୁମାର ମୀନାଙ୍କ ପ୍ରେରଣା ସାଙ୍ଗକୁ କଠିନ ପରିଶ୍ରମ ମୋ ସଫଳତାର ପ୍ରଥମ କାରଣ। ଆଦିବାସୀମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ଚେଷ୍ଟା କରିବି ବୋଲି ସଫଳତା ପରେ ଦେବାଶିଷ କହିଛନ୍ତି। ଏଥିସହ ଚାଷୀମାନଙ୍କ ସମସ୍ୟା, ଐତିହ୍ୟର ବିକାଶକୁ ବି ପ୍ରାଧାନ୍ୟ ଦେବି। ଯେଉଁମାନେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ଗୋଟିଏ ଥରରେ ହାରିଯାଆନ୍ତୁ ନାହିଁ। ବାରମ୍ବାର ଚେଷ୍ଟା କଲେ ହିଁ ସଫଳତା ମିଳିବ ବୋଲି ସେ ମତ ଦେଇଛନ୍ତି।
ଋତୁପର୍ଣ୍ଣାଙ୍କୁ ସଫଳତା ଦେଲା ସ୍ମାର୍ଟ ଫୋନ୍
ରାଜ୍ୟରେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ରାଜଗାଙ୍ଗପୁର ମାଷ୍ଟରକଲୋନିର ୨୫ ବର୍ଷୀୟା ଋତୁପର୍ଣ୍ଣା ମହାପାତ୍ର କହିଛନ୍ତି। ବିଏଚ୍ୟୁରେ ପଢ଼ୁଥିବା ସମୟରେ ଅନେକ ପିଲା ୟୁପିଏସ୍ପି ପାଇଁ ପ୍ରସ୍ତୁତ ହେଉଥିଲେ। ସେମାନଙ୍କୁ ଦେଖି ମୁଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲି। ୨୦୧୭ରେ ୟୁପିଏସ୍ସି ପରୀକ୍ଷା ଦେଇଥିଲି। କିନ୍ତୁ ସଫଳତା ମିଳି ନଥିଲା। ଯାହାକି ଏବେ ମୋତେ ସହାୟକ ହେଲା। ମୁଖ୍ୟ ପରୀକ୍ଷା ବେଳେ ମୋ ଲେଖା ବହୁତ ଭଲ ଥିଲା। ତେଣୁ ନିଜ ଉପରେ ଆତ୍ମବିଶ୍ବାସ ବଢ଼ିଯାଇଥିଲା। ମୌଖିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିଲି। ତେବେ ଦ୍ବିତୀୟ ସ୍ଥାନରେ ରହିବି ବୋଲି ଆଶା କରି ନ ଥିଲି। ଟେଷ୍ଟ୍ ସିରିଜ୍ ପାଇଁ କୋଚିଂ ନେଇଥିଲି। ଯାହାକି ମୋତେ ଆଗକୁ ବଢ଼ିବାେର ସହାୟକ ହୋଇଥିଲା। ସ୍ମାର୍ଟ ଫୋନକୁ ସ୍ମାର୍ଟ ଭାବେ ବ୍ୟବହାର କରିଥିଲି। ଇଣ୍ଟରନେଟ୍ରୁ ବହୁତ କିଛି ଶିଖିବାକୁ ପାଇଥିଲି, ଯାହା ମୋତେ ସଫଳତା ଆଣିଦେଲା।
ଦୁଇ ଥର ବିଫଳତା ପରେ ବି ହାରି ନ ଥିଲେ ଆକାଶ
ପ୍ରଥମ ଦୁଇ ଥର ଉଦ୍ୟମରେ ମୁଖ୍ୟ ପରୀକ୍ଷାରୁ କଟି ଯାଇଥିଲି। ତଥାପି ହାରି ନ ଥିଲି। ତୃତୀୟ ପ୍ରୟାସରେ ସଫଳତା ମିଳିଛି। ପୂର୍ବରୁ ଅଧିକ ପଢ଼ିବାକୁ ଚେଷ୍ଟା କରୁଥିଲି। କିନ୍ତୁ ବିଫଳ ହେବା ପରେ ପାଠ୍ୟକ୍ରମର ଗୁଣବତ୍ତା ଉପରେ ଗୁରୁତ୍ବ ଦେଲି। ଯାହା ବି ପଢ଼ିବି, ଭଲରେ ପଢ଼ିବି ବୋଲି ସ୍ଥିର କରିଥିଲି। ତିନି ନମ୍ବର ରୢାଙ୍କରେ ନିଜକୁ ଦେଖି ପ୍ରଥମେ ବିଶ୍ବାସ କରିପାରି ନ ଥିଲି। ବହୁତ ଖୁସି ଅଛି। ମା’ ସବୁବେଳେ ପ୍ରେରଣାର ଉତ୍ସ ସାଜିଥିଲେ। ସାଙ୍ଗସାଥୀମାନେ ମଧ୍ୟ ବିଭିନ୍ନ ସମୟରେ ମନୋବଳ ବଢ଼ାଇଥିଲେ। ଲୋକଙ୍କ ସେବା ସହ ନିୟମ ଅନୁଯାୟୀ କାମ କରିବି।
ଯୋଜନା ମୁତାବକ ପଢ଼ି ସଫଳ ହେଲେ ସନ୍ତୋଷିନୀ
ଓପିଏସ୍ସି ପରୀକ୍ଷାରେ ୪ର୍ଥ ସ୍ଥାନରେ ଥିବା ସନ୍ତୋଷିନୀ ଦାଶ ପରୀକ୍ଷା ପାଇଁ ଦିନକୁ ୫ରୁ ୬ ଘଣ୍ଟା ପରିଶ୍ରମ କରୁଥିଲେ। ସେ କହନ୍ତି, ବିଷୟବସ୍ତୁକୁ ଆଖି ଆଗରେ ରଖି ଯୋଜନାବଦ୍ଧ ଭାବେ ପଢ଼ୁଥିଲି। ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦେବା ସହିତ ସାଧାରଣ ଜ୍ଞାନ, ଭୂଗୋଳ ଓ ଇତିହାସ ପରି ବିଷୟ ପାଇଁ କଠିନ ପରିଶ୍ରମ କରୁଥିଲି। ଅଧିକ ପଢ଼ିବା ପରିବର୍ତେ ସୁଚିନ୍ତିତ ଉପାୟରେ ପାଠପଢ଼ାରେ ମୁଁ ବିଶ୍ବାସ ରଖେ। ଓୟୁଏଟିରେ କୃଷି ଉପରେ ଏମ୍.ଏସ୍ସି କରୁଥିବା ବେଳେ ଓଏଏସ୍ ହେବା ପାଇଁ ମନ ବଳାଇଥିଲି। ସଫଳତା ପାଇଁ ବାପା, ମା’ ଓ ଗୁରୁଜନଙ୍କୁ ଶ୍ରେୟ ଦେବି। ଦାୟିତ୍ବ ଗ୍ରହଣ କରିବା ପରେ ସେ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ଦିଗରେ କାର୍ଯ୍ୟ କରିବି।
ବିନା କୋଚିଂରେ ଓପିଏସ୍ସି ପାଇ ହେବ
ପ୍ରଥମ ପ୍ରୟାସରେ ସଫଳ ହୋଇଥିବା ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା କହନ୍ତି; ବର୍ଷେ ହେଲା ଏଥିପାଇଁ ପ୍ରସ୍ତୁତ ହେଉଥିଲି। ସଫଳତା ପାଇବି ବୋଲି ଆଶା ଥିଲା। ତେବେ ୫ ନମ୍ବର ସ୍ଥାନରେ ରହିବି ବୋଲି ଭାବି ନଥିଲି। ଏହି ପରୀକ୍ଷା ପାଇଁ ବାପା, ମା’ଙ୍କଠାରୁ ପ୍ରେରଣା ପାଇଛି। ଛୋଟ ବେଳେ ଟିଭିରେ ଜିଲ୍ଲାପାଳ କିମ୍ବା ତହସିଲ୍ଦାରଙ୍କୁ ଦେଖିଲେ ସେମାନେ କହୁଥିଲେ ସିଭିଲ୍ ସର୍ଭିସ କଲେ ସାଧାରଣ ଲୋକଙ୍କ ପାଇଁ କାମ କରିପାରିବୁ ଏବଂ ତାଙ୍କ ଜୀବନଶୈଳୀ ବଦଳାଇ ପାରିବୁ। ଯାହାକି ମୋତେ ପ୍ରେରଣା ଯୋଗାଇଥିଲା। କାର୍ଯ୍ୟରେ ଯୋଗଦେବା ପରେ ଚାଷୀଙ୍କ ସମସ୍ୟା ଦୂର କରିବା ମୋର ପ୍ରଥମ ଲକ୍ଷ୍ୟ ରହିବ। ଏଥିସହ ମହିଳା ସଶକ୍ତୀକରଣ ଓ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦେବି। ନାରାୟଣୀଙ୍କ ମତରେ ବିନା କୋଚିଂରେ ବି ଜଣେ ଓଏଏସ୍ରେ କୃତକାର୍ଯ୍ୟ ହୋଇପାରିବ।
ତ୍ୟାଗ ଓ ନିଷ୍ଠାକୁ ଶ୍ରେୟ ଦେଲେ ଶକ୍ତିଶ୍ରୀ
କଙ୍କଡ଼ାହାଡ଼ ବ୍ଲକ୍ ଝିଲ୍ଲୀ ଗ୍ରାମର ଶକ୍ତିଶ୍ରୀ ଅନୀଲ ରଞ୍ଜନ ସାହୁ ସାରା ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଜବାହର ନବୋଦୟ ବିଦ୍ୟାଳୟରୁ ଯୁକ୍ତ୨ ଶିକ୍ଷା ପରେ ଶକ୍ତିଶ୍ରୀ ଏନ୍ଆଇଟି ରାଉରକେଲାରୁ ବିଟେକ୍ କମ୍ପ୍ୟୁଟର ସାଇନ୍ସରେ ଇଂଜିନିୟରିଂ ଶିକ୍ଷା ଲାଭ କରିଥିଲେ। ୨୦୧୪ରୁ ଦିଲ୍ଲୀସ୍ଥିତ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଥିଲେ। ତାଙ୍କ ସଫଳତା ପରେ ଜିଲ୍ଲାରେ ଖୁସିରେ ଲହରି ଖେଳିଯାଇଛି। ଦୃଢ଼ ଇଚ୍ଛା ଶକ୍ତି ଆଗରେ କିଛି ଅସମ୍ଭବ ନୁହେଁ। ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ମିଳିପାରିବ ବୋଲି ସେ କହିଛନ୍ତି।
ୟୁପିଏସ୍ସି ପ୍ରସ୍ତୁତି କରି ଓପିଏସ୍ସିରେ ସଫଳ ହେଲେ ଶତାବ୍ଦୀ
ଭୁବନେଶ୍ବର ବିଜେବି ନଗରରେ ରହୁଥିବା ଶତାବ୍ଦୀ ରାଏ ପ୍ରଥମ ଥରରେ ହିଁ ସଫଳତା ହାସଲ କରିଛନ୍ତି। ରାଜ୍ୟରେ ସପ୍ତମ ସ୍ଥାନରେ ଥିବା ଶତାବ୍ଦୀ କହିଛନ୍ତି, ୟୁପିଏସ୍ସି ପାଇଁ ପ୍ରସ୍ତୁତି କରୁଥିଲି। ହେଲେ ଓପିଏସ୍ସିରେ ସଫଳତା ମିଳିଯାଇଛି। ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବାରୁ ମୋର ଓଡିଆ ବିଷୟ ନଥିଲା। ଯେଉଁଥିପାଇଁ ଓପିଏସ୍ସି ପାଇଁ ଯୋଗ୍ୟ ହୋଇପାରୁ ନଥିଲି। ୨୦୧୮ରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଓଡ଼ିଆ ବିଷୟରେ କୃତକାର୍ଯ୍ୟ ହେବା ପରେ ଓପିଏସ୍ସି ପରୀକ୍ଷା ଦେବାକୁ ଯୋଗ୍ୟତା ହାସଲ କରିଥିଲି। ଓଡିଆ ବିଷୟକୁ ନେଇ ଚିନ୍ତିତ ଥିଲି। ଓଡ଼ିଆ ବିଷୟଟି ଭଲ ହେଲେ ନିଶ୍ଚିତ ସଫଳ ହେବି ବୋଲି ବିଶ୍ବାସ ଥିଲା। କିନ୍ତୁ ସପ୍ତମ ସ୍ଥାନରେ ଆସିବି ବୋଲି କଳ୍ପନା କରି ନଥିଲି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ପଢୁଥିବା ବେଳେ ଅଧ୍ୟାପକ ଅଧ୍ୟାପିକା ମୋତେ ଏଦିଗରେ ଯିବା ପାଇଁ ମାର୍ଗଦର୍ଶନ କରିଥିଲେ। ସେଥିପାଇଁ ମୋର ସମସ୍ତ ଶ୍ରେୟ ସେମାନଙ୍କୁ ଦେବି। ଏଭଳି ପରୀକ୍ଷା ପାଇଁ କୋଚିଂ ଜରୁରୀ ନୁହେଁ। ବିନା କୋଚିଂରେ ସବୁକିଛି ହାସଲ କରିହେବ। ମହିଳା ସଶକ୍ତୀକରଣ ଓ ଶିକ୍ଷା ଉପରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ।
ଦମୟନ୍ତୀଙ୍କ ଦୃଢ଼ୋକ୍ତି ଆହୁରି ଆଗକୁ ଯିବେ
ଓପିଏସ୍ସି ପରୀକ୍ଷାରେ ୮ମ ସ୍ଥାନ ହାସଲ କରିଥିବା ଦମୟନ୍ତୀଙ୍କ ଆତ୍ମବିଶ୍ବାସ ଆଗରେ ହାର ମାନିଛି ସବୁ କିଛି। ଆଇଏଏସ୍ ହେବାକୁ ଲକ୍ଷ୍ୟ ରଖିଥିବା ଦମୟନ୍ତୀ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ ମଧ୍ୟ ହାରି ନଥିଲେ। ବିନା କୋଚିଂରେ ଦ୍ବିତୀୟ ପ୍ରୟାସରେ ସଫଳତା ହାସଲ କରିଛନ୍ତି। ନିଜର ସଫଳତା ନେଇ ସେ କହିଛନ୍ତି ଯେ ଭଲ ରୢାଙ୍କ ମିଳିବ ବୋଲି ଆଶା ଥିଲା। ତେବେ ଶ୍ରେଷ୍ଠ ୧୦ ଭିତରେ ରହିବି ବୋଲି ଭାବି ନଥିଲି। ଯେହେତୁ ଆଇଏଏସ୍ ହେବାକୁ ଲକ୍ଷ୍ୟ ଅଛି ତେଣୁ ବେଶି ଖୁସି ହୋଇନି। ସଫଳତା ପରେ କାର୍ଯ୍ୟରେ ଯୋଗଦେବି। ଏହାପରେ ବି ୟୁପିଏସ୍ସି ପାଇଁ ପଢ଼ାପଢ଼ି ଜାରି ରଖିବି। ପ୍ରଥମେ ଅଧ୍ୟାପନା କରିବାକୁ ଲକ୍ଷ୍ୟ ଥିଲା। ତେବେ କଲେଜର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣା ପ୍ରଶାସନିକ କ୍ଷେତ୍ରକୁ ଯିବାକୁ ବାଟ ଦେଖାଇଥିଲା। ଶିକ୍ଷା ବ୍ୟବସ୍ଥା ଉପରେ କାମ କରିବାକୁ ଲକ୍ଷ୍ୟ ରଖିଛି। ପରୀକ୍ଷା ପାଇଁ ବହୁତ ପିଲା କୋଚିଂ ଯିବୁ କି ଯିବୁନି ଦ୍ବନ୍ଦ୍ବରେ ପଡିଥାଆନ୍ତି। କିନ୍ତୁ ମୁଁ କହିବି ପ୍ରଥମେ ନିଜେ ନିଷ୍ପତ୍ତି ନିଅନ୍ତୁ କୋଚିଂ ଦରକାର କି ନୁହେଁ। ତା’ପରେ ନିଷ୍ପତ୍ତି ନେବେ।
ଜିଲ୍ଲା ପାଇଁ ସ୍ବପ୍ନ ଦେଖୁଛନ୍ତି ଶକ୍ତି
ନବରଙ୍ଗପୁରର ବାଦାମ ସାହି ଗାଁ’ରେ ଜନ୍ମ ନେଇଥିବା ଶକ୍ତି ମହାପାତ୍ର ନବମ ସ୍ଥାନରେ ରହିଛନ୍ତି। ଶକ୍ତିଙ୍କ ବାପା ଚାଷ କରି ଘର ଚଳଉଥିବା ବେଳେ ମା’ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଚାଷୀ ପରିବାରରେ ଜନ୍ମିତ ଶକ୍ତି ଛୋଟ ବେଳରୁ ବାପାଙ୍କ କଷ୍ଟକୁ ଅନୁଭବ କରି ପାରିଥିଲେ। ଆଗକୁ ବଡ଼ ହୋଇ କୃଷି କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ବଦ୍ଧପରିକର ହୁଅନ୍ତି। ପ୍ରଥମେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ଦଶମ ପାସ୍ ପରେ ଭୁବନେଶ୍ବରର ଏକ ଘରୋଇ ମହାବିଦ୍ୟାଳୟରେ ଯୁକ୍ତ୨ ବିଜ୍ଞାନ ପଢ଼ିଥିଲେ। କୃଷିରେ ସ୍ନାତକ କରିବା ପରେ ଓୟୁଏଟିରେ ଏମ୍ଏସ୍ସି କରିବା ସମୟରେ ପ୍ରଶାସକ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଦୁଇ ଥର ପ୍ରଚେଷ୍ଟା କରି କୃତକାର୍ଯ୍ୟରୁ ବଞ୍ଚିତ ହେବା ପରେ ତୃତୀୟ ପ୍ରୟାସ କରିଥିଲେ। ସାମୂହିକ ବିକାଶ ପାଇଁ ଲକ୍ଷ୍ୟ ରଖିଥିବା ଶକ୍ତି ନିଜ ଜିଲ୍ଳାରେ ସରକାରୀ ଯୋଜନା ଚାଷୀଙ୍କ ପାଖରେ ପହଞ୍ଚାଇବା ତଥା ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି।
ଅନ୍ଲାଇନ୍ରେ ପଢ଼ି ସ୍ମରଣିକା ସଫଳ
ପ୍ରଥମ ଥର ବିଫଳ ହେବା ପରେ ଦ୍ବିତୀୟ ଉଦ୍ୟମ କରିଥିଲେ ୧୦ମ ସ୍ଥାନରେ ଥିବା ସ୍ମରଣିକା। ସେ କହିଛନ୍ତି ଯେ ଶ୍ରେଷ୍ଠ ୧୦ରେ ରହିବି ବୋଲି ଦୃଢ଼ ବିଶ୍ବାସ ଥିଲା। ଏଭଳି ଖୁସି ଖବର ପ୍ରଥମେ ବାବାଙ୍କୁ ଜଣାଇଥିଲି। ଘରେ ସମସ୍ତେ ମୋତେ ପ୍ରେରଣା ଦେଇଥିଲେ। ମୋ ସଫଳତା ପାଇଁ ଶିକ୍ଷକ ଓ ଭଗବାନଙ୍କୁ ଧନ୍ୟବାଦ ଦେଉଛି। ପରୀକ୍ଷା ପାଇଁ କୋଚିଂ ସେତେଟା ଗୁରୁତ୍ବପୂର୍ଣ୍ଣ ନଥିଲା। ବର୍ତମାନ ସମୟରେ ସବୁ ପାଠ୍ୟକ୍ରମ ଅନ୍ଲାଇନ୍ରେ ମିଳିଯାଉଛି। ତାହାକୁ ଠିକ୍ ଭାବେ ପଢ଼ିବା ଦରକାର। ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ।