ନୂଆଦିଲ୍ଲୀ, ସେପ୍ଟେମ୍ବର ୦୧ : ଚୀନ ମଙ୍ଗଳବାର ପୁଣି ଥରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଛି । ଲଦ୍ଦାଖର ଚୁମାରରେ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ବି ଏହା ବିଫଳ ହୋଇଛି । କାରଣ ଏଲଏସିରେ ଭାରତୀୟ ସେନା ସତର୍କ ରହିଛି ଏବଂ ଶତ୍ରୁ ଉପରେ କଡ଼ା ନଜର ରଖିଛି । ଏହା ପୂର୍ବରୁ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଚୀନର ସେନା ଅଗଷ୍ଟ ୨୯-୩୦ ରାତି ପୋଙ୍ଗଙ୍ଗ ହ୍ରଦର ଦକ୍ଷିଣାଂଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଭାରତୀୟ ସେନା ଏହାର କଡ଼ା ମୁକାବିଲା କରିଥିଲା । ଭାରତୀୟ ସେନା ନିଜର ସୀମାରେ ବଳ ପ୍ରଦର୍ଶନ କରିଥିଲା ।
ବିଦେଶ ମୁଖପାତ୍ରଙ୍କ ଅନୁସାରେ ଏହି ଘଟଣାର ପରଦିନ ଅର୍ଥାତ ଅଗଷ୍ଟ ୩୧ରେ ଉଭୟ ସେନାର କମାଣ୍ଡରଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ମାଧ୍ୟମରେ ଉତ୍ତେଜନା ହ୍ରାସ କରିବାକୁ ଉଦ୍ୟମ ହୋଇଥିଲା । କିନ୍ତୁ ଏହା ପରେ ମଧ୍ୟ ଚୀନ ସେନା ପୁଣି ଥରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ଫଳରେ ଚୀନ ସେନାର ଉଦ୍ୟମ ବିଫଳ ହୋଇଥିଲା ।
ବିଦେଶ ମୁଖପାତ୍ର କହିଛନ୍ତି, ଚଳିତ ବର୍ଷ ଆରମ୍ଭରୁ ଚୀନ ସୈନିକର ବ୍ୟବହାର ଏବଂ ତାର କାର୍ଯ୍ୟାନୁଷ୍ଠାନ ଉଭୟ ଦେଶ ମଧ୍ୟରେ ସଂପର୍କ ଖରାପ କରିଛି । ଚୀନ ବାରମ୍ବାର ସୀମା ବୁଝାମଣାକୁ ଉଲ୍ଲଂଘନ କରୁଛି । ଚୀନ ସୈନିକମାନଙ୍କ ବାବଦରେ ଚୀନକୁ ସବୁ ଅବଗତ କରାଯାଇଛି । ଚୀନକୁ କୁହାଯାଇଛି ଯେ, ନିଜ ଦେଶର ସୈନିକଙ୍କୁ ନିୟନ୍ତ୍ରଣରେ ରଖୁ ।
ପ୍ରତରିକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ପୋଙ୍ଗାଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଥିବା ସ୍ଥିତିକୁ ପରିବର୍ତ୍ତନ କରିବା ଲାଗି ଚୀନର ଉତ୍ତେଜକ ସୈନ୍ୟ ଯୁଦ୍ଧାଭ୍ୟାସକୁ ଦୃଷ୍ଟିରେ ରଖି ପୂର୍ବ ଲଦ୍ଦାଖରେ ସମୀକ୍ଷା କରିଛନ୍ତି । ଅଧିକାରୀଙ୍କ ସୂତ୍ର ଅନୁସାରେ ପାଖାପାଖି ୨ ଘଣ୍ଟାର ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି ଯେ, ଭାରତୀୟ ସେନାର ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତି ରହିବ ।