Sat. Mar 7th, 2026

ଏନ୍‌କାଉଣ୍ଟର୍‌ ପରେ ଡାକ୍ତରାଣୀଙ୍କ ବାପା କହିଲେ: ଆଜି ମୋ ଝିଅକୁ ନ୍ୟାୟ ମିଳିଛି

320 Views

ନୂଆଦିଲ୍ଲୀ: ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକାଙ୍କ ସହ ଗଣ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତ ଆଜି ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ ହେବା ପରେ ପ୍ରତିକ୍ରିୟା ପ୍ରକାଶ କରି ପୀଡ଼ିତାଙ୍କ ବାପା କହିଛନ୍ତି: ଆଜି ମୋ ଝିଅ ନ୍ୟାୟ ପାଇଛି। ମୋ ଝିଅ ମରିବାର ୧୦ ଦିନ ବିତିଗଲାଣି। ଏନ୍‌କାଉଣ୍ଟର୍‌ ପାଇଁ ପୁଲିସ ଓ ସରକାରଙ୍କୁ ମୁଁ କୃତଜ୍ଞତା ଜଣାଉଛି। ଏବେ ମୋ ଝିଅର ଆତ୍ମା ନିଶ୍ଚୟ ଶାନ୍ତି ପାଇବ।

ଡାକ୍ତରାଣୀଙ୍କ ଭଉଣୀ କହିଛନ୍ତି: ସମର୍ଥନ ପାଇଁ ମୁଁ ତେଲେଙ୍ଗାନା ପୁଲିସ, ତେଲେଙ୍ଗାନା ସରକାର ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଜଣାଉଛି।

ଆଜିର ଖବର ଶୁଣି ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ଯେ ଏ ଖବର ୨୦୧୨ରୁ ତାଙ୍କୁ ଯନ୍ତ୍ରଣା ଦେଉଥିବା କ୍ଷତ ପାଇଁ ମଲମ ସଦୃଶ।
ସେ କହିଛନ୍ତି: ଅନ୍ତତଃ ଜଣେ ଝିଅକୁ ନ୍ୟାୟ ମିଳିଲା। ପୁଲିସକୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ୭ ବର୍ଷ ହେବ ଚିତ୍କାର କରୁଛି, ଆବଶ୍ୟକ ହେଲେ ଆଇନ ଭଙ୍ଗ କରି ଅପରାଧୀଙ୍କୁ ଦଣ୍ଡ ଦେଇ ଦେଖ ସମାଜ କିଭଳି ଭଲ ହେଉଛି।

ଏବେ ବି ମୁଁ ଅଦାଲତକୁ ଦୌଡୁଛି। ଡିସେମ୍ବର ୧୩ରେ ଗୋଟାଏ ତାରିଖ ଥିବାରୁ ମୁଁ ପୁଣି ଅଦାଲତକୁ ଯିବି। ଝିଅକୁ ନ୍ୟାୟ ମିଳିଥିବାରୁ ତା’ର ପିତାମାତା ନିଶ୍ଚୟ ଆଶ୍ୱସ୍ତି ଅନୁଭବ କରୁଥିବେ। ଏ ଭଳି ଘୃଣ୍ୟ ଅପରାଧ ଭିଆଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଏ ଘଟଣା ଭୟ ସଞ୍ଚାର କରିବ।

ପୀଡ଼ିତାଙ୍କ ପ୍ରତି ନ୍ୟାୟ ଦାବୀ କରି ଜାତୀୟ ରାଜଧାନୀରେ ଅନଶନ କରିଥିବା ଡିସିଡବ୍ଲୁ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲ୍‌ କହିଛନ୍ତି: ଦୁଷ୍କର୍ମକାରୀମାନେ ଖସିଯିବାକୁ ଉଦ୍ୟମ କଲେ ପୁଲିସ କ’ଣ କରିବ?

By amfnews

Related Post